ଖୋର୍ଦ୍ଧା ପୌର ପରିଷଦର ପ୍ରଥମ କାଉନସିଲ ବୈଠକ; ରାସ୍ତାଘାଟ, ପରିମଳ ଓ ଟ୍ରାଫିକ୍ ସୁବ୍ୟବସ୍ଥାକୁ ପ୍ରାଥମିକତା

ଟାଉନ୍ ପ୍ଲାନ୍ ଅନୁମୋଦନ ବିଡିଏ ବଦଳରେ ପୌର ପରିଷଦ କରିବାକୁ ପ୍ରସ୍ତାବ ଗୃହୀତ

ଖୋର୍ଦ୍ଧା: ନିର୍ବାଚନର ପ୍ରାୟ ୧ ମାସ ପରେ ଆଜି ଖୋର୍ଦ୍ଧା ପୌର ପରିଷଦର ପ୍ରଥମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାସ୍ତାର ଆଲୋକୀକରଣ, ନାଳ ଆଦିର ନିର୍ମାଣ ଓ ସଫା କରିବା, ଟ୍ରାଫିକ ସୁବ୍ୟବସ୍ଥା ଆଦିକୁ ପ୍ରାଥମିକତା ଦିଆଯାଇଛି। ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟାଳୟର ସଭାଗୃହରେ ନବ ନିର୍ବାଚିତ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଖୋର୍ଦ୍ଧା ପୌର ପରିଷଦର ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ସମସ୍ତ କାଉନସିଲର ଯୋଗ ଦେଇ ନିଜ ନିଜ ୱାର୍ଡ଼ର ସମସ୍ୟା ଓ ଉନ୍ନୟନ ପାଇଁ ପ୍ରସ୍ତାବ ଉପସ୍ଥାପିତ କରିଥିଲେ।

ପ୍ରଥମେ ଅଧ୍ୟକ୍ଷା ଶ୍ରୀମତି ମହାନ୍ତି ପ୍ରାରମ୍ଭିକ ଅଭିଭାଷଣ ପରେ ବିଭିନ୍ନ ବିଭାଗର ଆୟବ୍ୟୟ ହିସାବ, ନିର୍ମାଣାଧୀନ ଓ ପ୍ରସ୍ତାବିତ କାର୍ଯ୍ୟ, ପୌର ପରିଷଦର ବଜେଟ୍ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ସହରରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଦୁଇଟିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କାଉନସିଲରମାନେ ଦାବି କରିଥିଲେ। ଏହାସହ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ସହରରେ ଥିବା ସ୍କୁଲ ଗୁଡ଼ିକର ମରାମତି ଆଦି ସମ୍ପର୍କରେ ପ୍ରସ୍ତାବ ରଖିଥିଲେ। ଜଳଶକ୍ତି ମିଶନ ଆନୁକୂଲ୍ୟରେ ଖୋର୍ଦ୍ଧା ସହରର ୨୦୦ଟି ସ୍ଥାନରେ ଭୂପୃଷ୍ଠ ବର୍ଷାଜଳ ସଂରକ୍ଷଣ ପାଇଁ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଥିଲେ। ଏହା ମଧ୍ୟରୁ କେତେକ ଶେଷ ହୋଇଥିବା ବେଳେ ବଳକା କାର୍ଯ୍ୟ ବର୍ଷାଋତୁ ପୂର୍ବରୁ ଶେଷ କରିବାକୁ ପରିଷଦ ନିଦେ୍ର୍ଦଶ ଦେଇଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଆଜି ପ୍ରଥମ ବୈଠକରେ ଖୋର୍ଦ୍ଧା ସହରର ଅନ୍ୟତମ ପ୍ରମୁଖ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ପାରିତ କରାଯାଇଛି। ପୂର୍ବେ ପୌର ପରିଷଦରେ କୋଠାବାଡ଼ି ନିର୍ମାଣ କରିବାକୁ ଭୁବନେଶ୍ୱର ଯାଇ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷର ଅନୁମୋଦନ ଲୋଡ଼ିବାକୁ ପଡ଼ୁଥିଲା। ଏନେଇ ବିଭିନ୍ନ ନାଗରିକ ଓ ସାମାଜିକ ସଂଗଠନ ପକ୍ଷରୁ ନୂତନ ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପୌର ପରିଷଦ ଯେଭଳି ଏହି ଅନୁମୋଦନ ଦେବ ସେନେଇ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଥିଲା। ଆଜି ପୌର ପରିଷଦ ବୈଠକରେ ପୌର ପରିଷଦ କୋଠାବାଡ଼ି ନିର୍ମାଣ ପାଇଁ ଅନୁମୋଦନ ଦେବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଆଗତ ହୋଇ ଗୃହୀତ ହୋଇଥିଲା। ଏନେଇ ଅଧ୍ୟକ୍ଷତା କନକଲକ୍ଷ୍ମୀ ମହାନ୍ତି କହିଛନ୍ତି ଯେ ପ୍ରସ୍ତାବ ଗୃହୀତ ହେବା ପରେ ଏନେଇ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଚିିଠି ଲେଖାଯାଇଛି। ଖୁବଶୀଘ୍ର ଏହା ଖୋର୍ଦ୍ଧାରେ କାର୍ଯ୍ୟକ୍ଷମ ହେବ। ଆଜିର ବୈଠକରେ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଯୋଗ ଦେଇଥିଲେ। ଉପାଧ୍ୟକ୍ଷ ଶୌର୍ଯ୍ୟ ମହାନ୍ତି ବିଭିନ୍ନ ବିଭାଗର ନିର୍ମାଣାଧୀନ କାର୍ଯ୍ୟର ଅନୁଶୀଳନ କରିବା ସହ ରାସ୍ତାର ଆଲୋକୀକରଣ, ବର୍ଷାଋତୁ ପୂର୍ବରୁ ନାଳନର୍ଦ୍ଦମା ନିଷ୍କାସନ ବ୍ୟବସ୍ଥା ଓ ଟ୍ରାଫିକର ସୁଧାର କରିବାକୁ କହିଥିଲେ।

ସମ୍ବନ୍ଧିତ ଖବର