କୋଭିଡ୍‌ ତୃତୀୟ ଲହରରେ ପ୍ରଥମ ମୃତ୍ୟୁ; ସୁନ୍ଦରଗଡ଼ର ମୋଟ୍‌ କୋଭିଡ୍‌ ମୃତ୍ୟୁ ୫୯୩, ଜିଲ୍ଲାରେ ସଂକ୍ରମଣ ୭୦ ହଜାର ପାର୍‌

ରାଉରକେଲା: କୋଭିଡ୍‌ ପ୍ରଥମ ଓ ଦ୍ବିତୀୟ ଲହରରେ ମୃତ୍ୟୁ ସଂଖ୍ୟା ଢ଼େର୍‌ ଅଧିକ ରହିଥିଲା। ବିଶେଷକରି ଦ୍ବିତୀୟ ଲହରବେଳେ ଏହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ଢ଼େର୍‌ କମ୍‌ ରହିଛି। ଆନୁଷ୍ଠାନିକଭାବେ ଆଜି ପ୍ରଥମ କରୋନା ମୃତ୍ୟୁ ଘଟିଛି। ତେବେ ଅଣ ଆନୁଷ୍ଠାନିକଭାବେ ଜିଲ୍ଲାରେ କୋଭିଡ୍‌ ମୃତ୍ୟୁ ସଂଖ୍ୟା ଅଧିକ ହେବ। ତୃତୀୟ ଲହରରେ ପ୍ରଥମ ମୃତକ ହେଉଛନ୍ତି ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକ। ମୃତକ ଜଣକ ଝାଡ଼ଖଣ୍ଡ ଗୋଏଲକେରା ଅଞ୍ଚଳରବୋଲି ଜଣାପଡ଼ିଛି। ସେ କୋଭିଡ୍‌ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ଗତ ୧୨ ତାରିଖରେ ରାଉରକେଲାର ଏକ କୋଭିଡ୍‌ ହସପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଗତ ୧୩ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ତାଙ୍କ ମୃତ୍ୟୁ ଘଟିଥିଲା। ପ୍ରାୟ ମାସକପରେ ସୁନ୍ଦରଗଡ଼ ଜିଲ୍ଲା ଆଜି କୋଭିଡ୍‌ ମୃତ୍ୟୁ ଦେଖିଛି। ଶେଷଥର ଗତ ଡିସେମ୍ବର ୬ ତାରିଖରେ ଜିଲ୍ଲାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ସେ ମଧ୍ୟ କୋଭିଡ୍‌ ହସପିଟାଲରେ ଚିକିତ୍ସାଧୀନ ଥିଲେ। ସେ ଏକାଧିକ ରୋଗରେ ଜଡ଼ିତ ଥିଲେ। ଏହାସହ ଜିଲ୍ଲାର କୋଭିଡ୍‌ ମୃତ୍ୟୁ ସଂଖ୍ୟା ୫୯୩ରେ ପହଞ୍ଚିଛି। ଅପେକ୍ଷାକୃତ ତୃତୀୟ କମ୍‌ ଭୟଙ୍କର ଥିବା ଓ ଆକ୍ରାନ୍ତ ବିନା ହସପିଟାଲକୁ ଆସି ସୁସ୍ଥ ହେଉଥିବା ଦେଖିବାକୁ ମିଳିଛି। ତେବେ ଆଜିର କୋଭିଡ୍‌ ମୃତ୍ୟୁ, କିଛି ମାତ୍ରାରେ ଭୟ ଖେଳାଇଦେଇଛି।

ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଆଜି ୭୦ ହଜାର ପାର୍‌ କରିଛି। ଆଜିର ୧୦୪୯ ନୂଆ ଆକ୍ରାନ୍ତ ସହ ଜିଲ୍ଲାର ମୋଟ୍‌ ସଂକ୍ରମିତ ସଂଖ୍ୟା ୭୦ ହଜାର ୩୫୪ରେ ପହଞ୍ଚିଛି। କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣ ଯୋଗୁଁ ସ୍ବଳ୍ପ ସମୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ସଂଖ୍ୟା ୭୦ ହଜାର ଅତିକ୍ରମ କରିଛି। ଗତ ଜାନୁଆରି ପହିଲାରୁ ତୃତୀୟ ଲହର ଆରମ୍ଭ ହୋଇଯାଇଥିଲା। ତେବେ ଗତ ୪ ତାରିଖରୁ ଦୈନିକ ସଂକ୍ରମିତ ସଂଖ୍ୟା ଶହେ ପାର୍‌ କରିଥିଲା। କିନ୍ତୁ ୧୦ ତାରିଖରୁ ଏହି ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ଘଟିଛି। ଗତ ୧୦ ତାରିଖରେ ଜିଲ୍ଲାରେ ମୋଟ୍‌ ୧୧୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୧ ତାରିଖରେ ୧୨୫୨, ୧୨ ତାରିଖରେ ୧୩୪୮ ଓ ୧୩ ତାରିଖରେ ୧୦୪୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଗୁୁରୁବାର ଅପେକ୍ଷା ଶୁକ୍ରବାର ଜିଲ୍ଲାର ଦୈନିକ ସଂକ୍ରମଣ ସଂଖ୍ୟା କମ୍‌ ରହିଛି, କିନ୍ତୁ ପଜିଟିଭ୍‌ ହାର ଢ଼େର୍‌ ଅଧିକ। ଗୁରୁବାର ମୋଟ୍‌ ୩୭୧୪ଟି ନମୁନା ଟେଷ୍ଟ୍‌ କରାଯାଇଥିଲା। ଆର୍‌ଟିପିସିଆର୍‌ରେ ୨୧୪୯, ଆଣ୍ଟିଜେନରେ ୧୫୩୮ ଓ ଟ୍ରୁନାଟ୍‌ରେ ୨୭ ଟି ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ୧୦୪୯ ଜଣ(୨୮.୨%) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଟାଉନ୍‌ର ଅଛନ୍ତି। ସୁନ୍ଦରଗଡ଼ ଟାଉନ୍‌ରୁ ମୋଟ୍‌ ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଉରକେଲା ମହାନଗର ନିଗମ ଅଞ୍ଚଳରୁ ୨୦୮ ଜଣ ଚିହ୍ନଟ ହୋଇଛନ୍ତି। ଏତଦ୍‌ବ୍ୟତୀତ ରାଜଗାଙ୍ଗପୁର ବ୍ଲକରୁ ୯୪ ଜଣ ଚିହ୍ନଟ ହୋଇଥିବାବେଳେ କୁତ୍ରାରୁ ୭୨, ବଡ଼ଗାଁରୁ ୫୪, ଟାଙ୍ଗରପଲ୍ଲୀରୁ ୪୩, ଲହୁଣୀପଡ଼ାରୁ ୪୧, ଲେଫ୍ରିପଡ଼ାରୁ ୪୦, ସବଡେଗାରୁ ୪୦, ବଣାଇଁରୁ ୩୫, ସୁନ୍ଦରଗଡ଼ ସଦର ବ୍ଲକରୁ ୩୪, ହେମଗିର ବ୍ଲକରୁ ୩୦, ବିଶ୍ରାରୁ ୨୪, କୁଆରମୁଣ୍ଡାରୁ ୨୦, ଲାଠିକଟାରୁ ୨୦, ଗୁରୁଣ୍ଡିଆରୁ ୧୧, ନୂଆଗାଁରୁ ୯, ବାଲିଶଙ୍କରାରୁ ୭ ଓ ବୀରମିତ୍ରପୁର ପୌରପାଳିକାରୁ ୮ ଜଣ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର