ବାଲେଶ୍ବର: କରୋନା କାଳରେ ଚଳିତବର୍ଷ ଏ ପର୍ଯ୍ୟନ୍ତ ଡେଙ୍ଗୁମୁକ୍ତ ଜିଲ୍ଲା ହୋଇ ରହିଥିବା ବାଲେଶ୍ବରରେ ଆଜି ଜଣେ ମହିଳା ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ବୟସ ୩୦ ବର୍ଷ। ରେମୁଣା ଗୋଲେଇ ଅଞ୍ଚଳରେ ସେ ତାଙ୍କ ପରିବାର ସହ ଭଡ଼ାଘରେ ରହୁଥିବା ବେଳେ ଭୁବନେଶ୍ବର ଶୈଳଶ୍ରୀ ବିହାର ନିକଟ ଇନଫୋସିଟି ଅଞ୍ଚଳରେ ରହି କାମ କରନ୍ତି। ବର୍ତ୍ତମାନ ଭୁବନେଶ୍ବରରେ ଡେଙ୍ଗୁର ସ୍ଥିତି ଉଦ୍ବେଗଜନକ ରହିଥିବା ବେଳେ ଦୁଇଦିନ ପୂର୍ବରୁ ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ୧୫ ବର୍ଷୀୟ ଆକ୍ରାନ୍ତ ବାଳକର ମୃତ୍ୟୁ ହୋଇଥିଲା। ଉକ୍ତ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଲାଣି। ବାଲେଶ୍ବରରୁ ଆକ୍ରାନ୍ତ ମହିଳାଙ୍କୁ ଜିଲ୍ଲା ବଡ଼ ଡାକ୍ତରଖାନାର ସ୍ବତନ୍ତ୍ର ଡେଙ୍ଗୁ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି। ସେପଟେ ଜିଲ୍ଲାରେ ଡେଙ୍ଗୁ ପ୍ରତିକାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସର୍ଭେ କାର୍ଯ୍ୟ ଏବଂ ସନ୍ଦିଗ୍ଧ ରୋଗୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ଜାରି ରହିଥିବା ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ ସୂଚନା ଦେଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp