ଜୟପୁର: ରେଳପ୍ରକଳ୍ପକୁ ସ୍ବାଗତ କରୁଛୁ। ଏହା ମାଲାକାନଗିରି- କୋରାପୁଟ ଜିଲ୍ଲାବାସୀଙ୍କ ଆଶା ଓ ଅକ୍ଷାଂକାର ପ୍ରକଳ୍ପ। ବଂଶାନୁକ୍ରମିକ ଭାବେ ଜମି ଚାଷ କରି ବଞ୍ଚୁଛୁ । ରେଳ ପ୍ରକଳ୍ପ ପାଇଁ ଜମି ଗଲେ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିବ। ପରିବାରର ଜଣକୁ ନିଯୁକ୍ତି, ଏବେକାର ବଜାର ଦର ଅନୁଯାୟୀ କ୍ଷତି ପୁରଣ ଦିଆନଗଲେ ଆମେ ଜମି ଛାଡ଼ି ପାରିବୁ ନାହିଁ ବୋଲି କହିଛନ୍ତି ପାମ୍ପୁଣୀର ବାବୁ ଗୌଡ଼। କେଉଁ ମୌଜାର କେତେ ନଂ ପ୍ଲଟ୍, କାହାର କେତେ ଜମି ପ୍ରକଳ୍ପ ପାଇଁ ଯିବ ସ୍ପଷ୍ଟ ସୂଚନା ନ ଥିବାରୁ ଆମେ ଜାଣି ପାରୁନୁ।  ଆମ ଜମି ଗୁଡ଼ିକ ଖରିଫ ଓ ରବି ଋତୁରେ ଚାଷ ହେଉଥିବାରୁ ଏହା ସ୍ପଷ୍ଟ ଭାବେ ଜାଣିଲେ ରେଳ ପ୍ରକଳ୍ପ ପାଇଁ ଯାଉଥିବା ଜମିକୁ ବାଦ୍ ଦେଇ ଅନ୍ୟ ଜମିରେ ଚାଷ କରିବୁ। କେଉଁ ହିତାଧିକାରୀଙ୍କର କେତେ ଜମି ଯିବ ତାହାର ସ୍ପଷ୍ଟ ବିବରଣୀ ଓ ବୋର୍ଡ ଟାଙ୍ଗି ଦିଆଯାଉ ବୋଲି କହିଛନ୍ତି ସୁକାନ୍ତ ରାଉତ, ସନ୍ତୋଷ ବେହେରା। ଜମିର ସର୍ଭେ କରିଥିବା ସଂସ୍ଥା କ୍ଷେତ୍ର ପରିଦର୍ଶନ କରି ସର୍ଭେ କରି ନାହାନ୍ତି । ବହୁ ବର୍ଷ ତଳେ ମୃତ ରବିନ୍ଦ୍ର ଚୌଧୁରୀଙ୍କ ନାଁ ଡକାଯିବା ଏଥିରୁ ସ୍ପଷ୍ଟ ବୋଲି ଜୟପୁର ତହସିଲର ପାମ୍ପୁଣୀ ଠାରେ ଜୟପୁର-ମାଲାକାନଗିରୀ ରେଳ ପ୍ରକଳ୍ପର ପ୍ରଥମ ଜନଶୁଣାଣୀରେ ଅଭିଯୋଗ କରିଥିଲେ ମୁକୁନ୍ଦ ନାୟକ, ନରସିଂହ ବାଗଦେରିଆ, ମହାକୁଳ ନାୟକ, କ୍ଷେତ୍ର ପ୍ରଧାନ, ବନବାସୀ ରାଉଳ।

Advertisment

ଏସବୁ ଜମିରେ ଦୀର୍ଘ ଦିନ ଧରି କାମ କରି ବଂଚୁଥିବା କୃଷି ଦିନ ମଜୁରିଆଙ୍କୁ ବି କ୍ଷତି ପୁରଣ ଦିଆଯାଉ ବୋଲି ରଘୁନାଥ ପଟ୍ଟନାୟକ ଫାଉଣ୍ଡେସନ୍ ପକ୍ଷରୁ ବିରେନ୍ ପଟ୍ଟନାୟକ ଦାବି କରିଥିଲେ। ଏହି ଜନଶୁଣାଣୀରେ ଉପଜିଲ୍ଲାପାଳ ତଥା ଜମି ଭୁ-ଅର୍ଜନ ଅଧିକାରୀ ହେମକାନ୍ତ ସୟ, ଜୟପୁର ଅତିରିକ୍ତ ତହସିଲଦାର ନିଳାମ୍ବର ପୁଝାରୀ, ବ୍ଲକ ଅଧ୍ୟକ୍ଷା ସୁକାନ୍ତି ବାଗଦେରିଆ, ସରପଂଚ ପ୍ରତିମା ନାୟକ, ସୁକୁମାର ସାହୁ, ପ୍ରକାଶ ସାହୁ, ବିଦ୍ୟାଧର ମହାପାତ୍ର, ସୁଜିତ ମହାପାତ୍ର, ପାମ୍ପୁଣୀ ଆରଆଇ ଜିତେନ୍ଦ୍ର ନାଥ ଜେନା, ଜୟପୁର ଟାଉନ ଆରଆଇ ଚିତ୍ତରଂଜନ ଶବର ପ୍ରମୁଖ ଯୋଗ ଦେଇଥିଲେ।

publive-image Sambad

ହିତାଧିକାରୀଙ୍କ କିଛି ଆପତ୍ତି ଓ ଅଭିଯୋଗ ଥିଲେ ସରପଂଚ, ତହସିଲଦାର, ଆରଆଇ, ସରପଂଚ କିମ୍ବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରିପାରିବେ ବୋଲି କହିଛନ୍ତି ଉପଜିଲ୍ଲାପାଳ। ଏହି ପ୍ରକଳ୍ପ ପାଇଁ ଜୟପୁର, କୁନ୍ଦ୍ରା ଓ ବୈପାରୀଗୁଡା ତହସିଲ ଅର୍ନ୍ତଗତ ୨୭ଟି ଗାଁର ୪୬୪.୧୬ଏକର ଜମି ଅଧିଗ୍ରହଣ କରାଯିବ।

ଆଜି ଜୟପୁର ତହସିଲର ପାମ୍ପୁଣୀ ଠାରେ ୧୮୭.୫୯୯ ଏକର ଜମି ଅଧିଗ୍ରହଣ ପାଇଁ ପ୍ରଥମ ଜନଶୁଣାଣୀ ହୋଇଥିଲା। ଏଥିରେ ଏକମ୍ବା, ତାଟିବେଢ଼ା, ଘିରିଗାଁ, ରାଣୀପୁଟ, ବାର୍ଲାହାଣ୍ଡି, କଙ୍କଡାହାଣ୍ଡି, ପାମ୍ପୁଣୀ ଗାଁର ହିତାଧିକାରୀ ଭାଗ ନେଇଥିଲେ। ସେଭଳି ଆସନ୍ତା ୧୫ତାରିଖ ଦିନ ୧୭୧.୨୧୪ଏକର ଜମି ପାଇଁ କୁନ୍ଦ୍ରା ତହସିଲର ଦିଗାପୁର ଓ ୧୭୧.୨୧୪ଏକର ଜମି ପାଇଁ ୧୮ ଓ ୨୩ତାରିଖ ଦିନ ବୈପାରୀଗୁଡା ତହସିଲର ବୈପାରୀଗୁଡା ଠାରେ ଜମି ଅଧିଗ୍ରହଣ ପାଇଁ ଜନଶୁଣାଣୀ ହେବ। ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର, ଏଏସଆଇ ରମାକାନ୍ତ ହୋତା, ଗଣେଶ ବେହେରା ପୁଲିସ ଫୋର୍ସ ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଉପସ୍ଥିତ ଥିଲେ। ଦୀର୍ଘ ୫ବର୍ଷ ପରେ ବି ଜୟପୁର-ମାଲାକାନଗିରୀ ରେଳପଥର ୧୨୫କିଲୋମିଟର ମଧ୍ୟରୁ ଇଂଚେ ଜମି ଅଧିଗ୍ରହଣ ହୋଇନି। ଜୟପୁର ଉପଖଣ୍ଡର ୪୨କିଲୋମିଟର ପାଇଁ ଶୁଣାଣୀ ଆରମ୍ଭ ହୋଇଛି।