କୁଜଙ୍ଗ ଅଞ୍ଚଳର ପ୍ରଥମ ଖବର କାଗଜ ବିତରକ; ୮୫ ବର୍ଷରେ ବି ଫିଟ୍‌ ଦାମାନ୍ନା

କୁଜଙ୍ଗ: ଖରା,ବର୍ଷା, ଶୀତ, କାକରକୁ ଖାତିର ନ କରି ଦୀର୍ଘ ୪୫ ବର୍ଷକାଳ କୁଜଙ୍ଗ ଅଞ୍ଚଳରେ ଖବରକାଗଜ ବିତରଣ କରିଥିଲେ ଅଞ୍ଚଳର ସର୍ବପ୍ରଥମ ଖବର କାଗଜ ବିତରକ ଦାମାନ୍ନା। ଏବେ ୮୫ ବର୍ଷ ବୟସରେ ବି ଦାମାନ୍ନା ସଂପୂର୍ଣ୍ଣ ଫିଟ୍। ୧୯୬୦ରୁ ପ୍ରଜାତନ୍ତ୍ର କାଗଜର ବିତରକ ଭାବେ କାର୍ଯ୍ୟ କରୁଥିବାବେଳେ କୁଜଙ୍ଗ ଏପରିକି କେନ୍ଦ୍ରାପଡ଼ା ଜିଲ୍ଲାର ଏକାଧିକ ସ୍ଥାନକୁ ମଧ୍ୟ ସେ କାଗଜ ପଠାଉଥିଲେ। ତେବେ ୨୦୦୫ରୁ ଏହି ବୃତ୍ତିରୁ ବିରତି ନେଇ ଘରେ ରହୁଛନ୍ତି।

କୁଜଙ୍ଗବ୍ଳକ ମଙ୍ଗରାଜପୁର ପଞ୍ଚାୟତର ସନ୍ତରା ଗ୍ରାମର ଦାମୋଦର ପାଣି ଓରଫ ଦାମାନ୍ନା ,୧୯୬୦ରେ ୨୫ ବର୍ଷ ବୟସରୁ ଖବର କାଗଜ ବିତରଣ ଆରମ୍ଭ କରିଥିଲେ। ସେହି ସମୟରେ ପ୍ରାୟ ୩ଶହ ଖଣ୍ତ କାଗଜ କୁଜଙ୍ଗ, ତାଳଦଣ୍ତା, ପଙ୍କପାଳ, ଭୂତମୁଣ୍ତାଇ, ବାଲିତୁଠ, ତିଖିରି, ଗତାନଇ, ଗଡ଼ରୋମିତ, ଚଟୁଆ, ଗଣ୍ତକିପୁର, ଝିମାଣୀ ଆଦି ଅଂଚଳକୁ ପଠାଉଥିଲେ। ଏଥିପାଇଁ ଦିନକୁ ସେ ପ୍ରାୟ ୬୦ କିମି ସାଇକେଲରେ ଯାଇ କାଗଜ ବିତରଣ କରୁଥିଲେ। ନିଜର ଖଣ୍ଡେ ସାଇକେଲ ନଥିଲା। କଟକ ଯାଇ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ସାକ୍ଷାତକରି ଖଣ୍ଡେ ସାଇକେଲ ଆଣିଥିଲେ। ସେହି ସମୟରେ ମାସକୁ ପ୍ରାୟ ୩୦ରୁ ୪୦ ଟଙ୍କା ପର୍ଯ୍ୟନ୍ତ କମିସନ ବାବଦରେ ଆୟ କରୁଥିଲେ।

ଏହାବାଦ୍‌ ସେ ସ୍ଥାନୀୟ ପୋଷ୍ଟ ଅଫିସରେ ପୋଷ୍ଟାଲ ଏଜେଂଟ ଭାବେ କାର୍ଯ୍ୟ କରି ପ୍ରାୟ ୧୦ରୁ ୧୫ ଟଙ୍କା ପାଉଥିଲେ। ସେତେବେଳେ ଏପରି ଭାବେ ମାସକୁ ପ୍ରାୟ ୫୦ରୁ ୬୦ଟଙ୍କା ରୋଜଗାର କରୁଥିଲେ। ଏହି ଆୟରେ ନିଜର ପୁଅ, ଝିଅଙ୍କୁ ପାଠ ପଢାଇବା ସହିତ ତିନି ବଖରା ଘର କରିଛନ୍ତି। ବୟସାଧିକ୍ୟ କାରଣରୁ ୨୦୦୫ରେ ସେ ଏହି ପେସାରୁ ଅବସର ନେଇ ସାନପୁଅକୁ ସେଥିରେ ନିୟୋଜିତ କରିଥିଲେ। ପେସାରେ ଅଧିକ ଆତ୍ମସନ୍ତୋଷ, କୌଣସି ଅବସୋସ ନାହିଁ। ଏ ବୟସରେ ଅନ୍ୟମାନଙ୍କ ଭଳି ବ୍ଲଡ୍ ପ୍ରେସ୍‌ର, ବ୍ଲଡ ସୁଗାର କିମ୍ବା ଅନ୍ୟ ଜଟିଳ ରୋଗ ନାହିଁ। ଆଜିକାଲି ରୋଜଗାର ପାଉନଥିବା ଯୁବକମାନେ ଏହି ପେସାକୁ ଆସିବାକୁ ନାପସନ୍ଦ କରୁଛନ୍ତି। କିନ୍ତୁ ଏହି ପେସା ଜୀବନଜୀବିକା ପାଇଁ ଏକ ଭଲ ମାଧ୍ୟମ ହୋଇ ପାରନ୍ତା। ଏହାକୁ ହେୟ କରିବାର କିଛି ନାହିଁ। ବରଂ ସକାଳୁ ସକାଳୁ ବିଶ୍ବ, ଦେଶ, ରାଜ୍ୟ ଓ ନିଜ ଅଂଚଳର ତାଜା ଖବର ଲୋକଙ୍କ ପାଖରେ ପହଂଚାଇବା ସବୁଠାରୁ ଗୌରବର ବିଷୟ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର