ପ୍ରଥମ ପର୍ଯ୍ୟାୟ ଭୋଟ ଗଣନାର ଫଳାଫଳ: ଖୋର୍ଦ୍ଧାରେ ବିଜେଡି ଶୀର୍ଷରେ, ଖସିଲା ବିଜେପି, କଂଗ୍ରେସ ସ୍ଥିତିରେ ସାମାନ୍ୟ ଉନ୍ନତି

ଖୋର୍ଦ୍ଧା: ୨୬ ତାରିଖ ପ୍ରଥମ ପର୍ଯ୍ୟାୟ ୧୦ ଟି ଜିଲ୍ଲା ପରିଷଦ ଆସନର ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ୧୦ଟିରୁ ୯ଟି ଆସନରେ ବିଜେଡି ପ୍ରାର୍ଥୀ ଜିତି ଥିବା ବେଳେ ଗୋଟିଏରେ ବିଜେପି ପ୍ରାର୍ଥୀ ବିଜୟ ହୋଇଛନ୍ତି। ତେବେ ୨୦୧୨ ପଞ୍ଚାୟତ ନିର୍ବାଚନରୁ ୨୦୧୭ରେ ବିଜେପି ଯେଉଁ ଭଳି ଉଲ୍କା ଗତିରେ ନିଜର ଆସନ ସଂଖ୍ୟା ବଢ଼ାଇଥିଲା, ୨୦୨୨ରେ କିନ୍ତୁ ସେଭଳି ଦେଖିବାକୁ ମିଳିନାହିଁ। ଏପରିକି ୩ଟି ଜୋନ୍‌ରେ କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଠାରୁ ମଧ୍ୟ ପଛରେ ରହିଛନ୍ତି। ୨୦୧୭ରେ ଅସ୍ତିତ୍ୱ ହରାଇଥିବା କଂଗ୍ରେସ କିନ୍ତୁ ଦୁଇଟି ଜୋନ୍‌ରେ ଭଲ ପ୍ରଦର୍ଶନ କରି ବିଜେପିକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଛି। ୨୬ ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ ଗଣନା ବିଳମ୍ବିତ ରାତି ଯାଏଁ ଚାଲିଥିଲା। ରାତି ପ୍ରାୟ ଗୋଟାଏ ବେଳକୁ ୧୦ଟି ଜୋନ୍‌ରେ ୯ଟିର ଫଳାଫଳ ଘୋଷଣା ହୋଇସାରିଥିବା ବେଳେ ଜଟଣୀ ୭ ନମ୍ବର ଜୋନ୍‌ରେ ଗଣନା ଦାୟିତ୍ୱରେ ଥିବା ଅଧିକାରୀ ଅସୁସ୍ଥ ହେବାରୁ ଗଣନାରେ ବିଳମ୍ବ ଘଟିଥିଲା। ଆଜି ଅପରାହ୍ନ ଗୋଟାଏ ବେଳକୁ ଜଟଣୀ-୭ ନମ୍ବର ଜୋନ୍‌ର ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା। ଚୂଡ଼ାନ୍ତ ଫଳାଫଳ ଅନୁସାରେ, ଖୋର୍ଦ୍ଧା ୧ ନମ୍ବର ଜୋନ୍‌ର ମୋଟ ୨୬ ହଜାର ୬୮୫ଟି ଭୋଟ ପଡ଼ିଥିଲା। ଏଥିରୁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ୧୨,୨୩୯ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ ବିଜେପିର ପ୍ରବୀଣା ଭଞ୍ଜଦେଓ ୭୬୯୭ ଖଣ୍ଡ ଭୋଟ ପାଇଥିଲେ। ବେଗୁନିଆ ୨୨ ନମ୍ବର ଜୋନ୍‌ରେ ମୋଟ ୨୮, ୯୦୧ ଭୋଟ ମଧ୍ୟରୁ ବିଜେଡିର ପ୍ରକାଶ ଚନ୍ଦ୍ର ସାହୁ ୨୦, ୨୩୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ସରୋଜ କୁମାର ମହାପାତ୍ର ୫୬୨୦ ଖଣ୍ଡ ଭୋଟ ପାଇଥିଲେ। ବୋଲଗଡ଼ ବ୍ଲକ ୨୫ ନମ୍ବର ଜୋନ୍‌ରେ ମୋଟ ୩୦,୨୬୪ ଖଣ୍ଡ ଭୋଟରୁ ବିଜେଡିର ସୁନନ୍ଦିତା ସାହୁ ୧୭, ୬୬୨ ଖଣ୍ଡ ଭୋଟ ପାଇ ଥିବା ବେଳେ କଂଗ୍ରେସର ରୀତା ପରିଡ଼ା ୬୩୩୧ ଟି ଭୋଟ ପାଇ ଦ୍ୱିତୀୟ ଓ ସୁନୀତାରାଣୀ ଦାସ ୬୨୭୧ ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

ଟାଙ୍ଗୀ ୯ ନମ୍ବର ଜୋନ୍ରେ ମୋଟ ୨୩, ୪୪୦ ଖଣ୍ଡ ଭୋଟ ମଧ୍ୟରୁ ମିତାଞ୍ଜଳି ବଳିଆରସିଂହ ୧୩,୦୯୬ ଟି ଭୋଟ ପାଇଥିବା ବେଳେ ବିଜେପିର ଆଶିଷ କୁମାର ବରିଶଲ ୮୮୨୫ଟି ଭୋଟ ପାଇ ପରାଜିତ ହୋଇଛନ୍ତି। ଚିଲିକା ୪ ନମ୍ବର ଜୋନ୍‌ରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଥିଲା। ମୋଟ ୧୭,୧୫୪ଟି ଭୋଟ ମଧ୍ୟରୁ ବିଜେଡିର ମମତା ପାଇକରାୟ ୮୩୫୦ଟି ଭୋଟ ଓ ବିଜେପିର ସୁକାନ୍ତି ଦେଈ ୭୬୮୩ଟି ଭୋଟ ପାଇଥିଲେ। ବାଣପୁର ୧୩ ନମ୍ବର ଜୋନ୍‌ରେ ବିଜେପି ନିଜର ସ୍ଥିତି ବଜାୟ ରଖିଛି। ଏଠାରେ ମୋଟ ୧୮,୦୯୩ ଟି ଭୋଟ ମଧ୍ୟରୁ ବିଜେପିର ଟିକି ଶବର ୯୫୩୫ଟି ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସସ୍ମିତା ପ୍ରଧାନ ୮୨୩୦ଟି ଭୋଟ ପାଇଛନ୍ତି। ଭୁବନେଶ୍ୱର ୨୮ ନମ୍ବର ଜୋନ୍‌ରେ ମୋଟ ୨୪,୬୨୩ଟି ଭୋଟ ମଧ୍ୟରୁ ବିଜେଡିର ପ୍ରଭାତ ପରିଡ଼ା ୧୦,୦୪୦ଟି ଭୋଟ ଓ ବିଜେପିର ବିଶ୍ୱାନାଥ ପିଙ୍କୁଆ ୯୭୩୯ଟି ଭୋଟ ପାଇଛନ୍ତି। ବାଲିଅନ୍ତାର ୧୬ ନମ୍ବର ଜୋନ୍‌ରେ ମୋଟ ୧୭, ୬୭୮ଟି ଭୋଟ ମଧ୍ୟରୁ ବିଜେଡିର ମହେଶ୍ୱର ଦାସ ୮୫୨୩ ଟି ଭୋଟ ଓ ସ୍ୱାଧୀନ ପ୍ରାର୍ଥୀ ତ୍ରଲୋକ୍ୟ ମଙ୍ଗରାଜ ୬୯୨୩ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏଠାରେ ବିଜେପିର ପ୍ରାର୍ଥୀ ସିଦ୍ଧେଶ୍ୱର ନାଥ ମାତ୍ର ୧୩୮୬ ଖଣ୍ଡ ଭୋଟ ପାଇଛନ୍ତି। ବାଲିପାଟଣାରେ ମୋଟ ୨୪, ୧୪୩ଟି ଭୋଟ ମଧ୍ୟରୁ ବିଜେଡିର ଗଙ୍ଗାଧର ମଲ୍ଲିକ ୧୩,୯୫୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରସନ୍ନ କୁମାର ଭୋଇ ୬୪୫୧ ଖଣ୍ଡ ଭୋଟ ପାଇ ପରାଜୟ ହୋଇଛନ୍ତି। ଜଟଣୀର ୭ ନମ୍ବର ଜୋନ୍‌ରେ ୩୫, ୫୦୧ ଖଣ୍ଡ ଭୋଟ ମଧ୍ୟରୁ ବିଜେଡି ପ୍ରାର୍ଥୀ ମୋହିନୀ ନାୟକ ୧୬,୬୯୮ ଟି ଭୋଟ ପାଇଥିବା ବେଳେ କଂଗ୍ରେସର ସସ୍ମିତା ଗୁମାନସିଂହ ୭୩୭୯ ଭୋଟ ପାଇ ଦ୍ୱତୀୟ ସ୍ଥାନରେ ଓ ବିଜେପିର ସଂଗୀତା ଜେନା ୭୦୧୪ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର