ରାୟଗଡ଼ା: ଫେବ୍ରୁଆରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ମତଦାନ। ମୁନିଗୁଡ଼ା, ବିଷମକଟକ, ଚନ୍ଦ୍ରପୁର ବ୍ଲକର ୫ଟି ଜିଲ୍ଲା ପରିଷଦ ଜୋନ୍, ୪୬ଟି ସରପଞ୍ଚ ଓ ସମିତିସଭ୍ୟ ଏବଂ ୫୫୪ଟି ୱାର୍ଡମେମ୍ବର ପ୍ରାର୍ଥୀଙ୍କ ନିମନ୍ତେ ୧ ଲକ୍ଷ ୫୨ ହଜାର ଭୋଟର ନିଜର ମତଦାନ ସାବସ୍ତ୍ୟ କରିବେ। ଶୃଙ୍ଖଳିତ ମତଦାନକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ୍ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି। ତେବେ ୩ଟି ବ୍ଲକର ୫୫୪ଟି ବୁଥ ମଧ୍ୟରେ ୪୬ଟି ଅତି ସମ୍ବେଦନଶୀଳ ଓ ୮୭ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ସୁରକ୍ଷା ଦୃଷ୍ଟିରୁ ୧୧ଟି ବୁଥକୁ ସ୍ଥାନାନ୍ତର କରାଯାଇଛି। ଉକ୍ତ ବୁଥ ଗୁଡିକର ଭୋଟର ଓ ପ୍ରାର୍ଥୀଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି।
ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ନିମନ୍ତେ ୩ଟି ବ୍ଲକର ୫୫୪ଟି ବୁଥ ନିମନ୍ତେ ୧୬୬୨ଜଣ ପୋଲିଂ ଅଧିକାରୀଙ୍କ ସମେତ ୫୫୪ଟି ପୁଲିସ କର୍ମଚାରୀଙ୍କୁ ମିଶାଇ ମୋଟ ୨୨୧୬ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୧୫ ତାରିଖରେ ସମସ୍ତେ ନିଜ ନିଜ ବୁଥ ଅଭିମୁଖେ ବାହାରିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାୟଗଡ଼ା ଜିଲ୍ଲାରେ ଫେବୃଆରୀ ୧୬ରେ ମୁନିଗୁଡା, ବିଷମକଟକ, ଚନ୍ଦ୍ରପୁର, ୧୮ରେ ଗୁଣପୁର ଓ ରାମନାଗୁଡା, ୨୦ରେ କାଶୀପୁର ଓ କଲ୍ୟାଣସିଂହପୁର, ୨୨ରେ ରାୟଗଡ଼ା ଓ କୋଲନରା, ୨୪ ତାରିଖରେ ପଦ୍ମପୁର ଓ ଗୁଡାରୀ ବ୍ଲକରେ ଭୋଟ ଗ୍ରହଣ ହେବ। ଜିଲ୍ଳାର ୨୨ଟି ଜିଲ୍ଲା ପରିଷଦ ଜୋନ, ୧୮୨ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୨୦୨ଟି ୱାର୍ଡର ୱାର୍ଡମେମ୍ବର ନିମନ୍ତେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ସପକ୍ଷରେ ୫ ଲକ୍ଷ ୯୯ ହଜାର ଭୋଟର ନିଜର ମୂଲ୍ୟବାନ ମତଦାନ ସାବ୍ୟସ୍ତ କରିବେ। ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟା ପରିଚାଳନାରେ ନିମନ୍ତେ ୩୭୦୦ ଜଣ ପୋଲିଂ ଅଧିକାରୀଙ୍କ ସମେତ ସଂରକ୍ଷିତ ଥିବା ୧୦ ପ୍ରତିଶତକୁ ମିଶାଇ ୪୧୧୦ ଜଣ ପୋଲିଂ ଅଫିସିଆଲ୍ ନିୟୋଜିତ ହେବେ।
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସମ୍ବନ୍ଧୀୟ ସୂଚନା ପ୍ରଦାନ ସମୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଉପସ୍ଥିତ ରହି ପୁଲିସ ପ୍ରଶାସନ ପକ୍ଷରୁ ନିର୍ବାଚନ ନିମନ୍ତେ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଅବଗତ କରିଥିଲେ। ମାଓ ପ୍ରବଣ ବିଷମକଟକ, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଲକରେ ଭୋଟ ଗ୍ରହଣ ସମୟରେ ପୋଲିଂ ଅଧିକାରୀ ଓ ପୁଲିସ କର୍ମଚାରୀଙ୍କ ସମେତ ଭୋଟରଙ୍କୁ ସୁରକ୍ଷିତ ରଖିବା ପାଇଁ ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ଏସପି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି। ୩ଟି ବ୍ଲକର ସ୍ୱତନ୍ତ୍ର ଗ୍ରାମ ପଞ୍ଚାୟତ ପାଇଁ ପୁଲିସ ମୋବାଇଲ୍ ପାର୍ଟି ଗଠନ କରାଯାଇଥିବା ବେଳେ କିଛି ପଞ୍ଚାୟତକୁ ମିଶାଇ ଗୋଟିଏ ଗୋଟିଏ ସେକ୍ଟର ଗଠନ କରାଯାଇଛି। ମାଓବାଦୀଙ୍କ ଗତିବିଧିକୁ ନଜରରେ ରଖି ପ୍ରଥମ ପର୍ଯ୍ୟାୟରେ ୩ଟି ବ୍ଲକରେ ଏସଓଜି, ସିଆରପିଏଫ୍, ଡିଭିଏଫ ଯବାନଙ୍କ ଦ୍ୱାରା ୧୧ଟି ଅପରେସନ୍ ଯୋଜନା ହୋଇ ସାରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକରେ ୭ଟି ଅପରେସନ୍ ଯୋଜନା ହୋଇଛି। ମାଓ ପ୍ରବଣ ବ୍ଲକ୍ ଗୁଡିକରେ ଭୋଟ ଗ୍ରହଣ ନିମନ୍ତେ ପୁଲିସ ପକ୍ଷରୁ ଫୁଟ, ମଟର ସାଇକେଲ ଓ ଏଲଏମଭି ପେଟ୍ରୋଲିଂ ଜାରି ରହିଥିବା ବେଳେ ଡିଆଇବିରେ ୨୪ ଘଣ୍ଟିଆ ସ୍ୱତନ୍ତ୍ର କଣ୍ଟ୍ରୋଲ୍ ରୁମ ବ୍ୟବସ୍ଥା କରାଯାଇଛି।