ଭୁବନେଶ୍ବର: କୃଷି, ଶିଳ୍ପର ଯୋଜନାବଦ୍ଧ ବିକାଶ ସହିତ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବେକାର ଯୁବକ-ଯୁବତୀଙ୍କ ନିଯୁକ୍ତି ପାଇଁ ସିପିଆଇ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବ। ସିପିଆଇ ରାଜ୍ୟ ସମ୍ପାଦକ ଭାବରେ ଅଭୟ ସାହୁଙ୍କ ନିଯୁକ୍ତି ପରେ ଭଗବତୀ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସମ୍ମିଳନୀର ଗୃହୀତ ପ୍ରସ୍ତାବ ଅନୁସାରେ, ଚାଷୀଙ୍କୁ ଉପଯୁକ୍ତ ଦାମ ଏବଂ ବଜାର ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଅଧିକାଂଶ ବ୍ଲକରେ ଧାନ ମଣ୍ଡି ନାହିଁ। ଟୋକନ ପାଇ ମଧ୍ୟ ଚାଷୀ ଧାନ ବିକ୍ରି କରିପାରୁ ନାହାନ୍ତି। ଅନ୍ୟ ଫସଲ ପାଇଁ ପ୍ରତି ବ୍ଲକରେ ଶୀତଳଭଣ୍ଡାରର ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଶିଳ୍ପ କହିଲେ ରାଜ୍ୟ ସରକାର କେବଳ ଖଣିଜ ଭିତ୍ତିକ ଶିଳ୍ପକୁହିଁ ବୁଝନ୍ତି। ଓଡ଼ିଶାରେ ଆବଶ୍ୟକତା ଅନୁସାରେ ଉତ୍ପାଦନକ୍ଷମ ଏବଂ କୃଷି ଭିତ୍ତିକ ଶିଳ୍ପର ବିକାଶ ହେଲେ ନୂଆଁ ନିଯୁକ୍ତି ସୃଷ୍ଟି ହୋଇ ପାରିବ। କାରଖାନା ପ୍ରତିଷ୍ଠା ବେଳେ ବିସ୍ଥାପନ, ପ୍ରଦୂଷଣ ସମସ୍ୟା, ମାନ୍ୟତାପ୍ରାପ୍ତ କୃଷି ଅର୍ଥନୀତି ଯେପରି ବିଧ୍ବସ୍ତ ନହୁଏ ସେଥିପାଇଁ ଗୁରୁତ୍ବ ଦେବାକୁ ପଡ଼ିବ।

Advertisment

ବନ୍ଦ ପଡ଼ିଥିବା ବିଟିଏମ, ଓଟିଏମ ଲୁଗାକଳ, ବାରିପଦା, ଆସିକା ସୁତାକଳ, ନୟାଗଡ଼, ବରଗଡ଼ ଚିନି କଳ, ଓରିଏଣ୍ଟ, ବଲାରପୁର ପେପରମିଲ ସମେତ ସମସ୍ତ କାରଖାନା ଖୋଲିବା ଏବଂ ରାଜ୍ୟ ବାହାରେ କାମ କରୁଥିବା ୨୫ ଲକ୍ଷ ଓଡ଼ିଆ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ପାଇଁ ଦାବି କରାଯାଇଥିଲା। କୁଟିର ଶିଳ୍ପ, ହସ୍ତତନ୍ତ ସର୍ବାଧିକ ନିଯୁକ୍ତି ସୃଷ୍ଟି କରୁଛନ୍ତି। ଏହାକୁ ଗୁରୁତ୍ବ ଦିଆଯାଇ ପାରିଲେ ସ୍ଥାନୀୟ ନିଯୁକ୍ତି ହେବ। ଶିକ୍ଷା, ତାଲିମ କ୍ଷେତ୍ରରେ ଘରୋଇକରଣ, ବ୍ୟବସାୟୀକରଣ ପ୍ରୋତ୍ସାହନକୁ ବନ୍ଦ କରି ବଜେଟର ୩୦ ଭାଗ ଅର୍ଥ ଏଥିରେ ଖର୍ଚ କରିବାକୁ ଦାବି କରାଯାଇଛି। ଶିକ୍ଷାନୁଷ୍ଠାନରେ ଗଣତାନ୍ତ୍ରିକ ପ୍ରକ୍ରିୟା ଜାରି ରଖିବା ପାଇଁ ଛାତ୍ର ସଂସଦ ନିର୍ବାଚନ, ସିନେଟ୍, ସିଣ୍ଡିକେଟରେ ଛାତ୍ର ପ୍ରତିନିଧିତ୍ବ, ବିଶ୍ବବିଦ୍ୟାଳୟ ପରିଚାଳନାଗତ ନିଷ୍ପତ୍ତିରେ ବିଦ୍ୟାର୍ଥୀ, ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଭାଗିଦାର ସୁନିଶ୍ଚିତ କରିବାକୁ ହେବ। ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟବସାୟୀକରଣକୁ ଖାଲି ଡାକ୍ତର ଏବଂ ମେଡିକାଲ ପଦ ପୂରଣ ଏବଂ ଫାଷ୍ଟଟ୍ରାକ କୋର୍ଟରେ ହିଂସା, ଦୁଷ୍କର୍ମ ଏବଂ ହତ୍ୟା ମାମଲା ବିଚାର ପାଇଁ ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସଦସ୍ୟ ଦିବାକରଣ ନାୟକ, ରାମକୃଷ୍ଣ ପଣ୍ଡା, ଆଶିଷ କାନୁନଗୋ, କ୍ଷୀରୋଦ ସିଂଦେଓ, ପ୍ରଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।