ଜୟପୁର:ଗତ ୨୦୨୧-୨୨ ଆର୍ଥିକ ବର୍ଷରେ କୋଭିଡ୍ ସମୟରେ ରାଜ୍ୟସରକାର ସହରାଂଚଳର ବସ୍ତି ଅଂଚଳର ମହିଳା ସ୍ବୟଂ ସହାୟିକା ଦଳ ଜରିଆରେ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ସହରାଂଚଳ କର୍ମତତ୍ପର ଯୋଜନା(ମୁକ୍ତା)। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଜୟପୁର ପୌରପାଳିକାର ୨୮ଟି ୱାର୍ଡରେ ୮୨୮ଟି ବର୍ଷା ଜଳ ଅମଳ (ୱାଟର ରିଜର୍ଭେସନ ପିଟ୍)ପ୍ରକଳ୍ପ କରାଯାଇଥିବା ବେଳେ ଏହି ତିନି ବର୍ଷ ଭିତରେ ପ୍ରକଳ୍ପର ଖୋଜ ଖବର ମିଳୁ ନାହିଁ।   ଏପରିକି ଯେଉଁ ସବୁ ସ୍ଥାନରେ ଏହାକୁ କରାଯାଇଛି ଉପଯୁକ୍ତ ଦେଖାରଖା ଓ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଖୋଜିଲେ ବି ଦେଖିବାକୁ ମିଳୁନି। ପ୍ରକଳ୍ପ ସ୍ଥାନରେ ମାଟିରେ ପୋତି ହୋଇଯାଇଛି। ଅପରପକ୍ଷରେ  ଏବେ ସରକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ଏହି ପ୍ରକଳ୍ପକୁ  ବାଦ୍ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁରଦୃଷ୍ଟି ଅଭାବ, ପ୍ରକଳ୍ପ କରିବା ପରେ ଲଗାତାର ଏହାର ନିୟମିତ ରକ୍ଷଣାବେକ୍ଷଣ ଅଭାବରୁ ବର୍ଷା ଜଳ ଅମଳ ପ୍ରକଳ୍ପ ପାଇଁ  କୋଟି କୋଟି ଟଙ୍କା  ପାଣିରେ ମିଶିସାରିଛି। ଏବେ  ସହରର ଶିଶୁ ଉଦ୍ୟାନ, ଚଲାପଥ ନିର୍ମାଣ, ଓପନ୍ ଜିମ୍, ପୋଖରୀ ପୁନଃରୁଦ୍ଧାର, ପାର୍କର ବିକାଶ, ଶୌଚାଳୟ, କମ୍ୟୁନିଟି ସେଣ୍ଟର ଓ ବସ୍ତିର ବିକାଶମୂଳକ କାମ କରାଯାଉଛି। ତେବେ ପ୍ରଥମ ପର୍ଯ୍ୟାୟ ପରି  ଏଥରକ ବି ପ୍ରକଳ୍ପ ଗୁଡିକ ଫେଲ୍ ମାରିବ  ନାହିଁ ତ ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି।

Advertisment

ସୂଚନା ଅନୁଯାୟୀ, ସରକାରୀ ମହିଳା ମହାବିଦ୍ୟାଳୟ, ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଜେଇଏଲସି ହାଇସ୍କୁଲ, ସରକାରୀ ଉଚ୍ଚବିଦ୍ୟାଳୟ, କୁନ୍ଦାରୀଗୁଡା ପ୍ରାଥମିକ ବିଦ୍ୟାଳୟ, ପାରାବେଢ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡୀ କେନ୍ଦ୍ରରେ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ସେଠାରେ ଲତାବୁଧା ଉଠିବା ସହ ଏହି ପ୍ରକଳ୍ପ ପୋତି ହୋଇଯାଇ  ଆଉ ବାହାରକୁ ଦେଖାଯାଉନି। ଯେଉଁ ସବୁ ସ୍ଥାନରେ ଏହା କରାଯାଇଛି ସେଠାରେ ବର୍ଷା ଜଳ ଖସି ଆସୁଛି ତାର ପ୍ରବାହକୁ ନ ପରଖି ମନଇଚ୍ଛା ସ୍ଥାନରେ ମାଟି ଖୋଳି ଅଯଥା ଜଳ ଅମଳ ପ୍ରକଳ୍ପ କରାଯାଇଛି। ଫଳରେ ବର୍ଷା ଜଳ ଗୋଟିଏ ସ୍ଥାନରେ ବହି ଚାଲୁଥିବା ବେଳେ କିଛି ଦୂରରେ ଖୋଳାଯାଇଥିବା ନାଳ ମଧ୍ୟକୁ ଉଚ୍ଚସ୍ଥାନରୁ ମାଟି ଧସି ଆସି ପ୍ରକଳ୍ପକୁ ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି।

ପୌରପାଳିକାରୁ ମିଳିଥିବା ତଥ୍ୟ ଅନୁସାରେ, ଜୟପୁର ପୌରପାଳିକାରେ ଗତ  ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୪୨୮ଟି ପ୍ରକଳ୍ପ ପାଇଁ ଏକ କୋଟି ୯୫ଲକ୍ଷ ଟଙ୍କା ଓ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ୪୦୦ଟି ପ୍ରକଳ୍ପ ପାଇଁ ଏକ କୋଟି ୬୪ଲକ୍ଷ ଟଙ୍କା ଏଭଳି ସର୍ବମୋଟ ୨ ବର୍ଷରେ ୮୨୮ଟି ପ୍ରକଳ୍ପ ପାଇଁ ୩କୋଟି ୫୯ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରତିବର୍ଷ ଏହି ପ୍ରକଳ୍ପ ଗୁଡିକର ପୁନଃରୁଦ୍ଧାର, ରକ୍ଷଣାବେକ୍ଷଣ କରିବା କଥା ବୋଲି କହିଛନ୍ତି ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି। ସଂପ୍ରତି ଆଉ ଜଳ ଅମଳ ପ୍ରକଳ୍ପ କରାଯାଉ ନାହିଁ।  ଶିଶୁ ଉଦ୍ୟାନ, ଚଲାପଥ ନିର୍ମାଣ, ଓପନ୍ ଜିମ୍, ପୋଖରୀ ପୁନଃରୁଦ୍ଧାର, ପାର୍କର ବିକାଶ, ଶୌଚାଳୟ, କମ୍ୟୁନିଟି ସେଣ୍ଟର ଓ ବସ୍ତିର ବିକାଶମୂଳକ କାମ ମହିଳା ସ୍ବୟଂ ସହାୟକ ଦଳ ଓ ବସ୍ତି ଉନ୍ନୟନ କମିଟି ଗୁଡିକ ଜରିଆରେ କରି ସେମାନଙ୍କୁ ସଶକ୍ତିକରଣ କରାଯାଉଛି। ବହୁ ବସ୍ତି ଅଂଚଳର ସାମଗ୍ରୀକ ବିକାଶ କରାଯାଇ ବସ୍ତିବାସିନ୍ଦାଙ୍କୁ ସେମାନଙ୍କର ମୌଳିକ ସାମ୍ବିଧାନିକ ଅଧିକାର ପ୍ରଦାନ କରାଯାଉଛି ବୋଲି କହିଛନ୍ତି ପୌରଅଧ୍ୟକ୍ଷ ।