ସଫଳ ହେଲା ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ: ଡିଆରଡିଓ ଇଣ୍ଡିଆ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର/ଚାନ୍ଦବାଲି : ବଙ୍ଗୋପସାଗର ଉପକୂଳ ଅନ୍ତର୍ଗତ ଭଦ୍ରକ ଚାନ୍ଦବାଲିଠାରେ ଥିବା ଅବଦୁଲ କଲାମ୍‌ ଦ୍ବୀପରେ ଆଜି ଚାନ୍ଦିପୁର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ୧୦ଟା ୫୫ ମିନିଟ୍‌ରେ ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠ ନିକ୍ଷେପ କରାଯାଇପାରୁଥିବା ଏହି ଆଣବିକ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା  ୧୦୦୦ରୁ ୨୦୦୦ କିଲୋମିଟର ରହିଛି। ସ୍ବଦେଶୀ ଜ୍ଞାନକୌଶଳରେ ଏହି କ୍ଷେପଣାସ୍ତ୍ରର ବିକାଶ କରାଯାଇଛି ବୋଲି କୁୁହାଯାଉଛି। ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଡିଆରଡିଓ ଇଣ୍ଡିଆ ଟିମ୍‌କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

 

 

ଏହା ପୂର୍ବରୁ ଭାରତୀୟ ସେନାର ଷ୍ଟ୍ରାଟେଜିକ୍‌ କମାଣ୍ଡ ଫୋର୍ସ ଏକାଧିକ ଥର ଏହାର ସଫଳ ବ୍ୟାବହାରିକ ପରୀକ୍ଷଣ କରିଛି। ଅଗ୍ନି-୧ ଲକ୍ଷ୍ୟଭେଦ କ୍ଷମତା ଭିତରେ ପାକିସ୍ତାନ ଓ ଚୀନର ଅଧିକାଂଶ ସହର ଆସୁଛି। ଏହି କ୍ଷୀପ୍ର ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ ପାଇଁ ପ୍ରତିରକ୍ଷା ବିଭାଗ ସର୍ବାଧିକ ସତର୍କତା ଅବଲମ୍ବନ କରିବା ସହ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ଦୁଇଦିନ ସମୁଦ୍ର ଭିତରକୁ ନଯିବା ଲାଗି ସତର୍କ ସୂଚନା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର