ଘୁ.ଉଦୟଗିରି: ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ତରଫରୁ ‘ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ’  ପାଳିତ ହୋଇଯାଇଛି। ଏହି ସମ୍ମିଳନୀରେ ବ୍ଲକ୍ ଅଧ୍ୟକ୍ଷା ସୁଷମା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି  ଭାବେ ବରିଷ୍ଟ ସାମ୍ବାଦିକ ତଥା ଭାଷାବିତ୍‌ ଶିଶିର ପଟ୍ଟନାୟକ, କଳିଙ୍ଗ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ.ନଳିନୀ କୁମାର ପାଣିଗ୍ରାହୀ, ଅଧ୍ୟାପିକା ସୁପ୍ରିୟା ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ଲିଲିମା ପ୍ରଧାନ, ଶିଶୁ ସାହିତ୍ୟିକ ନିରୋଦ ଚନ୍ଦ୍ର ଜେନା, ଭାଷାବିତ୍ ତଥା ଅବସର ପ୍ରାପ୍ତ ଅଧ୍ୟାପକ ଲଡୁକେଶ୍ୱର୍ ରଥ ଯୋଗଦେଇ ଓଡ଼ିଆ ଭାଷାର ବିକାଶ ଓ ଭାବିଶ୍ୱତ ବିଷୟରେ ନିଜର ମତ ରଖିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା ସଭାପତିତ୍ବ କରି ଏହି ସମ୍ମିଳନୀର ଉଦ୍ଦେଶ୍ୟ ଜଣାଇଥିଲେ।

Advertisment

ପ୍ରାରମ୍ଭରେ "ସମସ୍ତେ ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ କରିଥିଲେ। ଉପସ୍ଥିତ ସମସ୍ତ କବି, ସାହିତ୍ୟିକ ଏବଂ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷା ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସମ୍ମିଳନୀରେ ଘୁ.ଉଦୟଗିରି ଅଞ୍ଚଳର ବିଭିନ୍ନ ସାହିତ୍ୟବିତ୍ ତଥା କବି ପବିତ୍ର କୁମାର ସାହୁ, ଡାକ୍ତର ସତ୍ୟ ନାରାୟଣ ପଟ୍ଟନାୟକ, ଗୋଲକ ପଟ୍ଟନାୟକ, ଶାଶ୍ଵତୀ ଶ୍ୱେତ ପଦ୍ମା ବେହେରା, ଜିନିତା ଦାସ ଯୋଗଦେଇ ସ୍ଵ-ରଚିତ କବିତା ପାଠ କରିବା ସହ "ଓଡ଼ିଆ ଭାଷାର ଭବିଶ୍ଵତ" ଉପରେ ସମ୍ୟକ୍ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମକୁ ବ୍ଲକ୍ ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ରଥ ସ୍ବାଗତ କରିବା ସହ ପରିଚାଳନା କରିଥିବା ବେଳେ ସହାୟକ ଯନ୍ତ୍ରୀ ବାଳକୃଷ୍ଣ ମିଶ୍ର ଧନ୍ୟବାଦ୍ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ୟାମଳ ବେହେରା, ଜ୍ୟୋତି ପ୍ରସାଦ ସାହୁ, ମାନୁଆଲ ନାୟକ, ଜାକେସ ପ୍ରଧାନ, ସୁଜିତ୍ କୁମାର ନାୟକ ସହଯୋଗ କରିଥିଲେ।