ମାଲକାନଗିରି: ପୋଖରୀରେ ମାଛ ଚାଷ କରି ହନ୍ତସନ୍ତ ହେଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ପ୍ରଶାସନକୁ ଗୁହାର କରି ଚାରିବର୍ଷ ବିତିଗଲେ ମଧ୍ୟ ମହିଳା ମାନଙ୍କୁ ମିଳୁନି ନ୍ୟାୟ, ଶୁଣୁ ନାହିଁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ବିଭାଗ। ଶେଷରେ ବାଧ୍ୟ ହୋଇ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ମାଲକାନଗିରି ଜିଲ୍ଲା ବୀରଲକ୍ଷ୍ମଣପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମପଦର ଗ୍ରାମର ଗୁପ୍ତେଶ୍ଵର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ୨୦୧୭ ମସିହାରେ ନିଜ ଗାଁରେ ଥିବା ଏକ ପୋଖରୀରେ ମାଛ ଚାଷ ପାଇଁ ପଞ୍ଚାୟତରୁ ପୋଖରୀ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ପାଇଥିଲେ। ମାଛ ଯାଆଁଳ ପୋଖରୀରେ ଛଡା ଗଲା। ମାଛ ବଡ ହୋଇ ଧରି ବିକିବାକୁ ଯିବା ସମୟରେ ମାର୍କାପାଲ୍ଲୀ ପଞ୍ଚାୟତର କିଛି ଗ୍ରାମବାସୀ ଆସି ଏହି ପୋଖରୀ ସେମାନଙ୍କ ଗାଁର ପୂର୍ବ ପୁରୁଷ ମାନଙ୍କର କହି ମହିଳା ମାନଙ୍କ ସହ ଗଣ୍ଡଗୋଳ କରି ପୋଖରୀରେ ଛଡାଯାଇଥିବା ସମସ୍ତ ମାଛକୁ ଜୋର ଜବରଦସ୍ତ ନେଇ ଯାଇଥିଲେ।ଏହାପରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଜ ପଞ୍ଚାୟତରେ ଅଭିଯୋଗ କରିଥିଲେ। ପଞ୍ଚାୟତରେ ସେମାନଙ୍କୁ ନ୍ୟାୟ ନ ମିଳିବାରୁ ସେମାନେ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଥାନା ବାବୁ ସେମାନଙ୍କ ଅଭିଯୋଗକୁ ଶୁଣିବା ପରେ ଏହି କେସ ତହସିଲର କହି ତହସିଲଦାରଙ୍କ ପାଖକୁ ମହିଳା ମାନଙ୍କୁ ପଠାଇ ଦେଇଥିଲେ। ତହସିଲଦାର ନିକଟକୁ ଏହି ମାମଲା ନେଇ ମହିଳାମାନେ ଗଲାପରେ ସେ ତୁମ ପଞ୍ଚାୟତର କହି ସେମାନଙ୍କୁ ସେଠାରୁ ବିଦା କରିବା ପରେ ନିରାଶ ହୋଇ ଏସଏଚଜି ମହିଳା ମାନେ ମାଲକାନଗିରି ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଥିଲେ।

Advertisment

ସେଠାରେ ମଧ୍ୟ ନ୍ୟାୟ ନ ମିଳିବାରୁ ଶେଷରେ ନିରାଶ ହୋଇ ବରିଷ୍ଠ ଓକିଲଙ୍କ ସହାୟତାରେ ମାମଲା ରୁଜୁ କରାଯାଇଥିଲା। ନିୟମ ମୁତାବକ ଉପ-ଜିଲ୍ଲାପାଳଙ୍କ କୋର୍ଟରେ ଗଣ୍ଡଗୋଳକୁ ଆଶଙ୍କା କରି ୧୪୪ ଧାରା ରୁଜୁ କରାଯାଇଥିଲା। କିନ୍ତୁ ତତ୍କାଳୀନ ଉପ-ଜିଲ୍ଲାପାଳ ଏହା ଉପରେ କୌଣସି ବିଚାର କରିନଥିବା ମହିଳା ମାନେ ଅଭିଯୋଗ ଆଣିଛନ୍ତି। ଏହି ସମସ୍ୟା ବିଷୟରେ ବର୍ତ୍ତମାନ ଉପ-ଜିଲ୍ଲାପାଳଙ୍କୁ ପଚାରି ବୁଝିବାରୁ ସେ ଏହି ଘଟଣା ଉପରେ ଅବଗତ ଥିବା ସହ ତହସିଲଦାର ଓ ଥାନା ଅଧିକାରୀଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ଦୁଇ ଦିନ ପୂର୍ବରୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଅପର ପକ୍ଷରେ ଅଭିଯୋଗକାରୀଙ୍କ ଓକିଲ କହିଛନ୍ତି ମହିଳା ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଲା ପରେ ଉପ-ଜିଲ୍ଲାପାଳ ଏନେଇ ତତ୍ପରତା ଦେଖାଇଛନ୍ତି। ତେବେ ମହିଳା ମାନଙ୍କୁ କେବେ ଉଚିତ ନ୍ୟାୟ ମିଳିବ ଆଗାମୀ ଦିନରେ ଜଣା ପଡିବ।