ଫୁଲବାଣୀ:ପାହାଡ ଓ ଜଙ୍ଗଲ ଘେରା କନ୍ଧମାଳ ଜିଲ୍ଲାରେ ବଡ ନଦୀ ନାହିଁ କି ଯଥେଷ୍ଟ ପୋଖରୀ ନାହିଁ। ଯାହା ବି ଛୋଟ ନଦୀ ଓ କାଁଭାଁ ପୋଖରୀ ଅଛି ତାହା ସବୁ ଖରା ଦିନ ଆସିବା ପୂର୍ବରୁ ଶୁଖି ଯାଉଛି। ଯାହା ଫଳରେ କନ୍ଧମାଳବାସୀ ଦେଶୀ ମାଛ ଖାଇବାରୁ ବଞ୍ଚିତ ହେଉଛନ୍ତି। ଅପରପକ୍ଷେ ଆନ୍ଧ୍ରା ମାଛ ହେଉ କି ଭଂଜନଗର ଓ ବୌଦ୍ଧ ଉପରେ ନିର୍ଭର କରିବାକୁ ପଡୁଛି। ଅଧିକରୁ ଅଧିକ ମାଛ ଚାଷ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଅଙ୍ଗନବାଡି ପିଲାଙ୍କୁ ଚୁନା ମାଛ ଦିଆଯିବ ବୋଲି ନିକଟରେ ଘୋଷଣା କରିଛନ୍ତି।
ଏଥି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ୟ୍ୟକାରୀ କରୁଛନ୍ତି। କନ୍ଧମାଳରେ ମତ୍ସ୍ୟଚାଷ ଅଧିକ ଉତ୍ପାଦନ ପାଇଁ ଯୋଜନା ପରେ ଯୋଜନା ହେଉଛି। ହେଲେ ଲକ୍ଷ୍ୟଠାରୁ ଉତ୍ପାଦନ ବହୁତ କମ୍ ରହୁଛି। ଯାହାକି ଆବଶ୍ୟକତା ମେଣ୍ଟାଇ ପାରୁ ନାହିଁ। କନ୍ଧମାଳରେ ମତ୍ସ୍ୟ ଚାଷ ଉତ୍ପାଦନ ବୃଦ୍ଧି ପାଇଁ ଜିଲ୍ଲା ସଦର ମହକୁମାରେ ରହିଛି ଜାଅଁଳ କେନ୍ଦ୍ର। ଏଠାରେ ୫୫ ଲକ୍ଷ ଜାଅଁଳ ଉତ୍ପାଦନର ବ୍ୟବସ୍ଥା ରହିଛି। ଜାଅଁଳ ବଡ ହେବା ପରେ ଏହାକୁ ମତ୍ସ୍ୟ ଚାଷଙ୍କୁ ଯୋଗାଇ ଦିଆଯାଉଛି। ମତ୍ସ୍ୟଚାଷ ପାଇଁ ଚାଷୀ ଅଧିକ ପ୍ରଭାବିତ ହେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ୟ୍ୟକାରୀ କରାଯାଉଛି। ଆର୍ଥିକ ଅନୁଦାନ ସହ ବିଭିନ୍ନ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟ ପୋଖରୀ ଯୋଜନାରେ ହରିଜନ,ଆଦିବାସୀ ଓ ମହିଳାଙ୍କ ପାଇଁ ୬୦ ପ୍ରତିଶତ ସବସିଡି ରହିଛି।
ବାକି ଅନ୍ୟମାନଙ୍କ ପାଇଁ ୪୦ ପ୍ରତିଶତ ସବସିଡି ରହିଛି। ସେହିଭଳି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୬୦-୪୦ ପ୍ରତିଶତ ସବସିଡିର ବ୍ୟବସ୍ଥା ରହିଛି। ଏସବୁ ଯୋଜନାରେ କନ୍ଧମାଳର ବହୁ ଚାଷୀ ଓ ସ୍ବୟଂସହାୟକ ଗୋଷ୍ଠୀକୁ ସାମିଲ କରାଯାଇଛି। ମତ୍ସ୍ୟ ପୋଖରୀ ଯୋଜନାରେ ୪୯ ଜଣଙ୍କୁ ସାମିଲ କରାଯାଇଛି। ୧୫ ହେକ୍ଟର ଜମିରେ ପୋଖରୀ ଖୋଳାଯିବ। ହେକ୍ଟର ପ୍ରତି ୮ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ। ସେସବୁ ପୋଖରୀରେ ମାଛ ଚାଷ କରାଯିବ। ସଂପ୍ରତି ପୂର୍ବରୁ ଲିଜ ନ ହୋଇ ପଡି ରହିଥିବା ୮୪ଟି ପୋଖରୀକୁ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀକୁ ଦିଆଯାଇଛି। ସେମାନଙ୍କୁ ସବୁ ପ୍ରକାର ସୁବିଧା ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି ବୋଲି କୁହାଯାଇଛି। ଆବଶ୍ୟକତା ଅନୁଯାୟୀ କନ୍ଧମାଳବାସୀଙ୍କ ପାଇଁ ୩୦ ହଜାର କ୍ବିଣ୍ଟାଲ ମାଛର ଆବଶ୍ୟକତା ରହିଛି। ହେଲେ ମାଛ ଉତ୍ପାଦନ ହେଉଛି ୧୫ହଜାର କ୍ବିଣ୍ଟାଲ। ଆବଶ୍ୟକତାଠାରୁ ଅଧା ଉତ୍ପାଦନ ହେଉଥିବାରୁ ଅନ୍ୟ ରାଜ୍ୟ ଓ ପଡେଶୀ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି।
ବିଶେଷତଃ ଆନ୍ଧ୍ର,ବୌଦ୍ଧ ଓ ଭଂଜନଗର ମାଛକୁ ଭରସା କରିବାକୁ ପଡୁଛି। ପାଣି ସମସ୍ୟା ଓ ଖର ପାଣି ଯୋଗୁ ମାଛ ଉତ୍ପାଦନ ଯେତିକି ହେବା କଥା ହୋଇ ପାରୁ ନାହିଁ। ତଥାପି ମାଛ ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ଶିବପ୍ରସାଦ ଭୋଇ କହିଛନ୍ତି। ଏବେ ବିଭିନ୍ନ ଆଧୁନିକ ପ୍ରଣାଳୀରେ ମାଛ ଚାଷ କରାଯାଉଛି। ବିକ୍ରିବଟା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମାଛ ଚାଷ ଏକ ଲାଭଜନକ ହୋଇଥିବାରୁ କନ୍ଧମାଳର ବହୁ ଚାଷୀ ସରକାରଙ୍କ ସୁବିଧା ସୁଯୋଗ ହାସଲ କରି ଅଧିକରୁ ଅଧିକ ମାଛ ଚାଷ କରିବାକୁ ସେ ନିବେଦନ କରିଛନ୍ତି।