ବାଲେଶ୍ୱରରେ ସ୍ୱାସ୍ଥ୍ୟକର ମାଛ ବିକ୍ରୟ କେନ୍ଦ୍ର: ଜମି ଚିହ୍ନଟରେ ଅଟକିଛି ପ୍ରସ୍ତାବିତ ପ୍ରକଳ୍ପ

ବାଲେଶ୍ୱର: ମାଛ ଉତ୍ପାଦନରେ ବାଲେଶ୍ୱର ଜିଲ୍ଲା ବେଶ ଆଗୁଆ। ଏଠାରେ ବିଭିନ୍ନ ପ୍ରଜାତିର ସାମୁଦ୍ରିକ ମାଛଠାରୁ ଆରମ୍ଭ କରି ଭଳିକିଭଳି ତଟକା ନଦୀ ମାଛ ମିଳିଥାଏ। ଜିଲ୍ଲାର ଗ୍ରାମାଞ୍ଚଳରେ ଲୋକେ ଧାନଚାଷ ସାଙ୍ଗକୁ ମାଛଚାଷ ହିଁ କରିଥାନ୍ତି। ମାଛଚାଷ ପାଇଁ ଏଠାରେ ପର୍ଯ୍ୟାପ୍ତ ଭିତ୍ତିଭୂମିକୁ ଆଖି ଆଗରେ ରଖି ବାଲେଶ୍ୱର ସହର ଉପକଣ୍ଠରେ ଏକ ସ୍ୱାସ୍ଥ୍ୟକର ମାଛ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିବା ପରେ ମତ୍ସ୍ୟ ବିଭାଗ ଏ ନେଇ ସକରାତ୍ମକ ମନୋଭାବ ପୋଷଣ କରିଥିଲା। ହେଲେ ଏଯାଏ ଜମି ଖୋଜା ହୋଇ ନପାରିବା ଯୋଗୁଁ ପ୍ରସ୍ତାବିତ ଏହି ପ୍ରକଳ୍ପଟି କାର୍ଯ୍ୟକାରୀ ହୋଇ ପାରୁନାହିଁ।

ଜିଲ୍ଲାରେ ବର୍ତ୍ତମାନ ମତ୍ସ୍ୟ ଉତ୍ପାଦନ ବେଶ୍‌ ଉତ୍ସାହଜନକ ରହିଛି। ଏଠାରେ ମଧୁର ଜଳ ମତ୍ସ୍ୟ ଉତ୍ପାଦନ ସର୍ବାଧିକ ୪୧୨୯୧.୪୫ ମେଟ୍ରିକ୍‌ ଟନ୍‌ ପର୍ଯ୍ୟନ୍ତ ହୋଇପାରିବାର ଭିତ୍ତିଭୂମି ରହିଥିବା ବେଳେ ଏବେ ପାଖାପାଖି ୧୨୩୯୧.୭୭ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦନ ହେଉଛ।। ସେହିପରି ଲବଣାକ୍ତ ଜଳ ମତ୍ସ୍ୟ ଉତ୍ପାଦନ କ୍ଷମତା ସର୍ବାଧିକ ୧୨୩୦୧.୮୫ ମେଟ୍ରିକ୍‌ ଟନ୍‌ ପର୍ଯ୍ୟନ୍ତ ରହିଥିବା ବେଳେ ବର୍ତମାନ ପାଖାପାଖି ୨୬୯୩.୨୫ ମେଟ୍ରିକ୍‌ ଟନ୍‌ ହେଉଛି। ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ କ୍ଷମତା ସର୍ବାଧିକ ୮୦୨୫୦.୦୦ ମେଟ୍ରିକ୍‌ ଟନ୍‌ ପର୍ଯ୍ୟନ୍ତ ରହିଥିବା ବେଳେ ଅଧୁନା ୩୫୨୮୭.୩୮ ମେଟ୍ରିକ୍‌ ଟନ୍‌ ଉତ୍ପାଦିତ ହେଉଛି। ମୋଟାମୋଟି ଭାବେ କହିବାକୁ ଗଲେ ଜିଲ୍ଲାରେ ସର୍ବାଧିକ ମତ୍ସ୍ୟ ଉତ୍ପାଦନ କ୍ଷମତା ୧୩୩୮୪୩.୩୦ ମେଟ୍ରିକ୍‌ ଟନ୍‌ ରହିଥିବା ବେଳେ ବର୍ତମାନ ୫୦୩୭୨.୪୦ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦିତ ହେଉଛି।

ତେବେ ମତ୍ସ୍ୟ ଉତ୍ପାଦନର ଏପରି ଗୋଲାପୀ ଚିତ୍ର ଜିଲ୍ଲାରେ ସ୍ୱାସ୍ଥ୍ୟକର ମାଛ ବିକ୍ରୟ କେନ୍ଦ୍ରର ଆବଶ୍ୟକତା ଉପରେ ମୋହର ଲଗାଇଛି। ଏ ସଂପର୍କରେ ବିଭିନ୍ନ ଅନୁଷ୍ଠାନ ତଥା ଅଗ୍ରଣୀ ମାଛଚାଷୀ ଅନୁକୂଳ ମତ ରଖିଛନ୍ତି। ଫଳରେ ବିଭାଗ ପକ୍ଷରୁ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରାଥମିକ ଭାବେ ରେମୁଣା ବ୍ଲକ୍‌ ଅଞ୍ଚଳରେ ତଥା ସଦର ବ୍ଲକ୍‌ ଚନ୍ଦ୍ରଗଡ଼ି ମେଜାରେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ପତ୍ରସଂଖ୍ୟା ୨୮୩୧/ ୬.୯.୧୯ ଅନୁଯାୟୀ ରେମୁଣା ତହସିଲଦାରଙ୍କୁ ୦.୯୯ ଡେସିମିଲ୍‌ ଜମି ପ୍ରଦାନ ପାଇଁ ଚିଠି ଲେଖା ଯାଇଥିବା ବେଳେ ସଦର ତହସିଲଦାରଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଚିଠି ଦିଆଯାଇଛି। ତେବେ ଏହି ପ୍ରକ୍ରିୟା ଏବେ ବିଚାରାଧୀନ ରହିଛି। ରାଜସ୍ୱ ବିଭାଗ ଯେତେ ଶୀଘ୍ର ମତ୍ସ୍ୟ ବିଭାଗକୁ ଜମି ହସ୍ତାନ୍ତର କରିବ, ସେତେ ଶୀଘ୍ର ସ୍ୱାସ୍ଥ୍ୟକର ମାଛ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା ହୋଇପାରିବ ବୋଲି ଜଣେ ବିଭାଗର ଜଣେ ଅଧିକାରୀ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର