ଟ୍ରଲର୍‌ ବୁଡ଼ି ଘଟଣା, ନିଖୋଜ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି

ବୁଡ଼ି ଯାଇଥିବା ଟ୍ରଲର୍‌ ବି ନିଖୋଜ

ରାଜନଗର: ଗଭୀର ସମୁଦ୍ରରେ ୧୭ ତାରିଖ ଦିନ ‘ଉପାସନା–୧’ ନାମକ ଟ୍ରଲର ବୁଡ଼ି ଯାଇଥିଲା। ଏଥିରେ ଥିବା ୧୩ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୨ଜଣ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି। ଘଟଣାକୁ ୬୦ ଘଂଟା ବିତି ଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ। ନିଖୋଜ ମତ୍ସ୍ୟଜୀବୀ ଜଣଙ୍କ ହେଉଛନ୍ତି ପଟାପାରିଆ ଗାଁର ରାଧାନାଥ ଭୂୟାଁ (୬୦)। ଅନ୍ୟପଟେ ବୁଡି ଯାଇଥିବା ଟ୍ରଲରଟି ଓଲଟି ପଡିଥିବା ଅବସ୍ଥାରେ ଗଭୀର ସମୁଦ୍ରରେ ଗତକାଲି ଠାବ କରାଯାଇଥିଲା। ଏହାକୁ କୂଳକୁ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଗଭୀର ସମୁଦ୍ରରେ ୫କିମି ଟଣା ହୋଇ ଆସିବା ପରେ ଆଜି ଟ୍ରଲରଟିର କୌଣସି ସନ୍ଧାନ ମିଳିପାରୁନାହିଁ। ଟ୍ରଲର ଓ ମତ୍ସ୍ୟଜୀବୀଙ୍କୁ ଖୋଜାଯିବା ପ୍ରକ୍ରିୟା ଜାରି ରହିଛି।
ସୂଚନା ଅନୁସାରେ, ତାଳଚୁଆ ଅଂଚଳର ‘ଉପାସନା–୧’ ଟ୍ରଲର ଚଳିତମାସ ୧୪ ତାରିଖ ଦିନ ମାଛ ମାରିବାକୁ ଗଭୀର ସମୁଦ୍ରକୁ ଯାଇଥିଲା। ତେନ୍ତୁଳିଆରୁ ଦକ୍ଷିଣରେ ଟ୍ରଲରଟି ମାଛ ମାରୁଥିଲା। ସମୁଦ୍ରର ଲହଡି ମାଡରେ ଟ୍ରଲରର ତଳପଟୁ ଫାଟ ସୃଷ୍ଟି ହୋଇ ଟ୍ରଲରରେ ପାଣି ପଶିବା ସହ ସମ୍ପୂର୍ଣ୍ଣ ଓଲଟି ପଡିଥିଲା। ଟ୍ରଲର ଆସୋସିଏସନର ଟ୍ରଲର ଓ କୋଷ୍ଟଗାର୍ଡର ଖୋଜାଖୋଜି ପରେ ୧୨ଜଣ ମତ୍ସ୍ୟଜୀବୀ ଉଦ୍ଧାର ହୋଇଥିଲେ। ଏହି ଖୋଜିବା ପ୍ରକ୍ରିୟାରେ କୋଷ୍ଟଗାର୍ଡର ହେଲିକପ୍ଟର ବି ସାମିଲ ହୋଇଥିଲା। ଗତକାଲି ଉଦ୍ଧାର ହୋଇଥିବା ୧୨ଜଣଙ୍କ ମଧ୍ୟରୁ ୮ଜଣ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ୪ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସିତ ହେଉଛନ୍ତି।

ନିଖୋଜ ଥିବା ପଟାପାରିଆ ଗାଁର ରାଧାନାଥ ଏଯାଏ ବି ନିଖୋଜ ଅଛନ୍ତି। ଟ୍ରଲର ଆସୋସିଏସନର କଷାଫଳ, ବାଲେଶ୍ବର ଓ କସିଆ ବୋଟ ଆସୋସିଏସନର ଟ୍ରଲର ସହିତ କୋଷ୍ଟଗାର୍ଡ ପକ୍ଷରୁ ନିଖୋଜ ରାଧାନାଥଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ ଏଯାଏ ତାଙ୍କର ପତ୍ତା ମିଳିପାରିନାହିଁ। ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଆଶା ଆଶଙ୍କା ଲାଗି ରହିଥିବା ବେଳେ କାନ୍ଦବୋବାଳି ଲାଗି ରହିଛି। ଅପରପକ୍ଷରେ ଗତକାଲି ତେନ୍ତୁଳିଆରୁ ଦକ୍ଷିଣକୁ ୫କିମି ପରେ ବୁଡି ଯାଇଥିବା ‘ଉପାସନା–୧’ ଟ୍ରଲରକୁ ଠାବ କରାଯାଇଥିଲା। ଟ୍ରଲରଟି ସମ୍ପୂର୍ଣ୍ଣ ଓଲଟି ପଡିଥିଲା। ପଛଭାଗର ଟିକିଏ ଅଂଶ ଦେଖା ଯାଉଥିଲା। ଗତକାଲି ୩/୪ଟି ଟ୍ରଲର ସହିତ ଧାମରା ପୋର୍ଟର ଟ୍ରଲର ସମୁଦ୍ର ଭିତରେ ବୁଡି ଯାଇଥିବା ଟ୍ରଲରକୁ ଟାଣି ଟାଣି କୂଳକୁ ଆଣୁଥିଲେ। ସମୁଦ୍ର ଭିତରେ ୫କିମି ଯାଏ ଟ୍ରଲରକୁ ଟାଣି ଆଣିବା ପରେ ଲୁହାର ରଶି ଛିଣ୍ତି ଯାଇଥିଲା। ଅନ୍ଧାର ରାତି ଓ ଗଭୀର ସମୁଦ୍ରର ଅଥଳ ଜଳ ଯୋଗୁଁ ରାତିରେ ଏହାକୁ ଆଉ ଟାଣି ଆଣିବା ସମ୍ଭବ ହୋଇନଥିଲା। ଆଜି ସକାଳେ ବୁଡି ଯାଇଥିବା ଟ୍ରଲରକୁ କୂଳକୁ ଆଣିବା ପାଇଁ ଯୋଜନା ହୋଇଥିଲା। ଟ୍ରଲର ମାଲିକଙ୍କ ଅନ୍ୟ ୨ଟି ଟ୍ରଲର ଏହାକୁ ଜଗି ରହିଥିଲେ। ଆଜି ସକାଳୁ ଧାମରା ପୋର୍ଟର ଟ୍ରଲର ସହିତ ତାଳଚୁଆ ଅଂଚଳର ଟ୍ରଲର ସେଠାରେ ପହଞ୍ଚିବା ବେଳକୁ ବୁଡିଥିବା ‘ଉପାସନା–୧’ ଟ୍ରଲରକୁ ଆଉ ପାଇ ନ ଥିଲେ। ଗଭୀର ସମୁଦ୍ରରେ ଟ୍ରଲରକୁ ବହୁ ଖୋଜାଖୋଜି ପରେ ମଧ୍ୟ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଟ୍ରଲରର ପତ୍ତା ମିଳିପାରିନାହିଁ।

ସମ୍ବନ୍ଧିତ ଖବର