ଜଗତସିଂହପୁର: ଦୁଇ ମାସର କଟକଣା ଗତକାଲି ମଧ୍ୟ ରାତ୍ରରୁ ହଟିଛି। ପ୍ରତ୍ୟେକ ବର୍ଷ ପରି ଏହି ଦିନକୁ ଚାତକ ପରି ଚାହିଁ ବସିଥିବା ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକମାନେ ମାଛ ଧରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ତେବେ ଡିଜେଲ୍ ଦର ବୃଦ୍ଧି ଓ ଅଗଭୀର, ଅଣଓସାରିଆ ମହାନଦୀ ମୁହାଣ ମତ୍ସ୍ୟଜୀବୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା)ର ସଭାପତି ଶ୍ରୀକାନ୍ତ ପରିଡ଼ା କହିଛନ୍ତି, ଆଜି ବହୁତ କମ୍ ଟ୍ରଲର ଓ ଡଙ୍ଗି ମାଛ ଧରିବାକୁ ଯିବେ। ଧାର୍ମିକ ଭାବନା ଓ ବରଫ ସମସ୍ୟା କାରଣରୁ ସମସ୍ତେ ଏକାଥରକେ ମାଛ ଧରିବା ପାଇଁ ଯାଉ ନାହାନ୍ତି। ମାତ୍ର ଦିନ ଯେତିକି ଗଡ଼ିବ ଟ୍ରଲର ମାଲିକମାନଙ୍କ ସମସ୍ୟା ବଢ଼ିବ। ମାଛ ଧୀରେ ଧୀରେ କମିବ। ଏପଟେ ତେଲ ଦର ବୃଦ୍ଧି ଯୋଗୁଁ ସେମାନେ କ୍ଷତି ସହିବେ। ଏଣୁ ପୂର୍ବରୁ ଓମ୍ଫା ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବି ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତର୍ଜମା କରି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଅନ୍ୟଥା ମତ୍ସ୍ୟ ବ୍ୟବସାୟ ଉପରେ ନିର୍ଭର ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀ ପରିବାରର ପେଟପାଟଣା ପାଇଁ ସମସ୍ୟା ବଢ଼ିବ ବୋଲି ଶ୍ରୀ ପରିଡ଼ା ଆଶଙ୍କା ବ୍ୟକ୍ତ କରିଛନ୍ତି। ଅଲିଭ୍ ରିଡ୍ଲେ କଇଁଛମାନଙ୍କ ସୁରକ୍ଷା ନିମନ୍ତେ ଅପ୍ରେଲ ୧୪ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଦୁଇ ମାସ ମାଛ ଧରା ଉପରେ କଟକଣା ଲଗାଯାଇଥିଲା। ସମୁଦ୍ରକୁ ଯିବା ପୂର୍ବରୁ ଟ୍ରଲର, ଜାଲ ମରାମତି ଓ ବରଫ ସଂଗ୍ରହ ଉପରେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଏ। ସମୁଦ୍ର ଦେବତା ବରୁଣଙ୍କୁ ପୂଜା ପାଇଁ ବନ୍ଦରରେ ଯଜ୍ଞ ହୋଇଥାଏ। କିନ୍ତୁ ପୂର୍ବାପେକ୍ଷା ଉଭୟ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକଙ୍କ ଉତ୍ସାହ କମିଛି। କାରଣ ଡିଜେଲ ଦର ୭୦-୭୫ ଟଙ୍କା ଥିବା ବେଳେ ମତ୍ସ୍ୟଜୀବୀମାନେ ଆପତ୍ତି ଉଠାଇଥିଲେ।
ବର୍ତ୍ତମାନ ଡିଜେଲ ଦର ଲିଟର ୯୫ ଟଙ୍କା। ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ ଭଳି ରାଜ୍ୟରେ ସେଠାକାର ସରକାର ଡିଜେଲ ଦର ଉପରୁ ଭାଟ୍ ଛାଡ଼ କରୁଛନ୍ତି। ଏ ନେଇ ଓମ୍ଫା ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଦୃଷ୍ଟି ଦେଉ ନାହାନ୍ତି। କ୍ଷତି ବଢ଼ୁଥିବାରୁ ଏହାକୁ ରୁଗ୍ଣ ଶିଳ୍ପ ଘୋଷଣା ଓ ମତ୍ସ୍ୟ ବ୍ୟବସାୟୀଙ୍କୁ ନାମମାତ୍ର କିମ୍ବା ବିନା ସୁଧରେ ଋଣ ଯୋଗାଇ ଦେବାକୁ ସଂଘ ପୂର୍ବ ଦାବି ଦୋହରାଇଛି। ବର୍ତ୍ତମାନ ସ୍ଥାନୀୟ ମାଛଧରା ବନ୍ଦରରେ ୪୦୦ଟି ଯନ୍ତ୍ରଚାଳିତ ଡଙ୍ଗି ସମେତ ୬୩୦ଟି ଟ୍ରଲର କାରବାର ହେଉଛି। ବାରମ୍ବାର ଦାବି ପରେ ମହାନଦୀ ମୁହାଣଖନନ କରାଯାଇଥିଲେ ହେଁ ତାକୁ ଅଧିକ ପ୍ରଶସ୍ତ ଓ ଗଭୀର କରିବା ପାଇଁ ଦାବି କରାଯାଇଛି। ତେବେ ଡିଜେଲ ଦରରେ ଅହେତୁକ ମୂଲ୍ୟ ବୃଦ୍ଧି ଓ କରୋନା କଟକଣା ପାଇଁ ମାଛ ବିକ୍ରି ମାନ୍ଦା ସମସ୍ୟା ମତ୍ସ୍ୟଜୀବୀମାନଙ୍କୁ ଦୁର୍ଦ୍ଦଶାକୁ ଠେଲି ଦେଇଛି।