‘କ୍ରୀଡ଼ା ଓ ବ୍ୟାୟାମ ମାନସିକ-ଶାରୀରିକ ସମସ୍ୟା ସମାଧାନର ଚାବିକାଠି’

ବାଲେଶ୍ବରରେ ‘ଫିଟ୍‌ କୁଇନ୍‌’ ପ୍ରତିଯୋଗିତା

ବାଲେଶ୍ବର: ପାଶ୍ଚାତ୍ୟ ସଭ୍ୟତା ଭାରତୀୟ ଜୀବନକୁ କବଳିତ କଲାଣି। ଗତିଶୀଳ ହେଉଛି ସମୟ। ଏହା ସହିତ ବଦଳୁଛି ଲୋକଙ୍କ ଜୀବନଶୈଳୀ। ଫଳରେ ମହିଳାମାନେ ନାନା ମାନସିକ ରୋଗର ଶିକାର ହେଉଛନ୍ତି। ବିଶେଷ କରି ଅତ୍ୟାଧୁନିକ ତଥା ଅନିୟମିତ ଖାଦ୍ୟପେୟ ଯୋଗୁଁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି। ତେବେ ଯାବତୀୟ ସମସ୍ୟାରୁ ମୁକୁଳିବା ପାଇଁ ମହିଳାମାନେ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ ସହ ପ୍ରତିଦିନ ବ୍ୟାୟାମ କରିବା ଉଚିତ ବୋଲି ‘ଫିଟ୍‌ ବାଲେଶ୍ବର’ କ୍ଲବ୍‌ ପକ୍ଷରୁ ଆୟୋଜିତ ‘ଫିଟ୍‌ କୁଇନ୍‌’ ପ୍ରତିଯୋଗିତାରେ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ଫକୀରମୋହନ ବିଶ୍ବବିଦ୍ୟାଳୟ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ଆସିଣ୍ଟାଣ୍ଟ ପ୍ରଫେସର ଡ. ସ୍ମିତୀ ପାଢ଼ୀ।

ରବିବାର ମଠସାହିସ୍ଥିତ ‘ବିକନ୍ସ ଜିମ୍‌’ ପରିସରରେ ଆୟୋଜିତ ପ୍ରତିଯୋଗିତାରେ ଅଭ୍ୟାସରତ ୨୫ ଜଣ ଭାରୋତ୍ତଳନକାରୀ ମହିଳା ଏବଂ ଜିମ୍‌ ଯାଉଥିବା ୪୭ ଜଣ ମହିଳା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଭାରୋତ୍ତଳନ ପ୍ରତିଯୋଗିତାରେ ରୋଜାଲିନ ବୀର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୋନାଲି ଜେନା ଦ୍ବିତୀୟ ଏବଂ ବର୍ଷା ବର୍ଣ୍ଣାଳୀ ପାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଫ୍ରି ସ୍କ୍ବାଟ୍‌ସ ବା ଦଣ୍ଡ ପ୍ରତିଯୋଗିତାରେ ମାନସୀ ସୋରେନ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସ୍ମିତୀ ପାଢ଼ୀ ଦ୍ବିତୀୟ ଏବଂ ପାୟଲ ମଲ୍ଲିକ ତୃତୀୟ ସ୍ଥାନରେ ରହିଥିଲେ। ସେହିପରି ପ୍ଲାଙ୍କ ବା ବ୍ୟାୟାମ ପ୍ରତିଯୋଗିତାରେ ମାନସୀ ସୋରେନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପାୟଲ ମଲ୍ଲିକ ଦ୍ବିତୀୟ ଓ ସ୍ମିତୀ ପାଢ଼ୀ ତୃତୀୟ ସ୍ଥାନରେ ରହିଥିଲେ। ବିଶିଷ୍ଟ ଭାରୋତ୍ତଳନକାରୀ ଏସ୍‌କେ ମେହରାଜ ବିଚାରକ ଦାୟିତ୍ବ ତୁଲାଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ଅତିଥି ଡ. ପାଢ଼ୀ ଏବଂ ବରିଷ୍ଠ ଭାରୋତ୍ତଳନକାରୀ ଶ୍ରୀ ମେହରାଜ ପୁରସ୍କାର ପ୍ରଦାନ କରିଥିଲେ। ‘ବିକନ୍ସ ଜିମ୍‌’ ସହଭାଗିତାରେ ଆୟୋଜିତ ଏହି ପ୍ରତିଯୋଗିତା ଜିମ୍‌ର ମୁଖ୍ୟ ଅଭିଷେକ ଦାଶ ଏବଂ ‘ଫିଟ୍‌ ବାଲେଶ୍ବର’ର ଅଭିଜିତ ସାହୁଙ୍କ ସହ ସମସ୍ତ କର୍ମକର୍ତ୍ତା ତଥା ସଦସ୍ୟମାନଙ୍କ ଦ୍ବାରା ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର