କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ପଥରା ଗ୍ରାମର ନାରାୟଣ ଲେଙ୍କା। ବୟସ ୯୫ ଛୁଇଁଲାଣି। ତଥାପି ସେ ସୁସ୍ଥ ଓ ନିରୋଗ। ଆଉ ସବୁଠୁ ବଡ଼କଥା ହେଉଛି, ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ରୋଗ ନାରାୟଣଙ୍କୁ ଛୁଇଁ ନଥିବା ବେଳେ ବିନା ଆଶାବାଡ଼ି ଓ ବିନା କାହାର ସହଯୋଗରେ ସେ ଚଲାବୁଲା କରିପାରୁଛନ୍ତି। ନାରାୟଣଙ୍କ ପରିବାର କହିଲେ ଦୁଇପୁଅ ଗୋପୀନାଥ ଏବଂ ସୁଦର୍ଶନ ଓ ଦୁଇଝିଅ ଅମାଲୁ ଏବଂ ଖୁଦି। ନାତିନାତୁଣୀ ହେଉଛନ୍ତି ୧୫। ପତ୍ନୀ ୨୦ ବର୍ଷ ତଳେ ଆରପାରିକୁ ପଳାଇଥିବା ନାରାୟଣ ଦୁଇପୁଅଙ୍କ ପାଖରେ ରହୁଛନ୍ତି।
୬୦ ବର୍ଷ ଧରି ପଥରା ଗ୍ରାମରେ ନାରାୟଣ ହୋଟେଲ୍ ବ୍ୟବସାୟ କରୁଥିଲେ। ଲେଙ୍କା ହୋଟେଲ୍ ନାମରେ ତାଙ୍କ ହୋଟେଲ୍ ପରିଚିତ ଥିଲା। କିନ୍ତୁ ବୟସାଧିକ୍ୟ କାରଣରୁ ଏବେ ଦୁଇପୁଅ ହୋଟେଲ୍ ବେପାର ସମ୍ଭାଳିଛନ୍ତି। ନିଜ ସୁସ୍ଥ ଓ ନିରାମୟ ଜୀବନଶୈଳୀକୁ ନେଇ ନାରାୟଣ କହିଛନ୍ତି, ‘ଏବେବି ଜାଉ, ପେଜ, କାଞ୍ଜି, ଶାଗ, ମୁଗ ଓ ଗୁଡ଼ ମୋର ପସନ୍ଦ। ଜୀବନରେ କେବେବି ଚିକେନ୍ ଓ ଅଣ୍ଡା ଖାଇ ନଥିବା ବେଳେ କୌଣସି ଖରାପ ଅଭ୍ୟାସ ମଧ୍ୟ ନାହିଁ। ବିନା କାହାର ସାହାଯ୍ୟରେ ନିଜ କାମ ନିଜେ କରିପାରୁଛି। ଆଖିକୁ ଭଲ ଦେଖାଯାଉଥିବା ସହ କାନକୁ ଟିକେ କମ୍ ଶୁଭୁଛି। ତଥାପି ମୋର ଜୀବନ ରଥ ଗଡ଼ିଚାଲିଛି। ଆଜିକାଲିର ମସଲାଯୁକ୍ତ ଓ ରାସାୟନିକ ରଙ୍ଗବୋଳା ଖାଦ୍ୟ ସବୁ ରୋଗର କାରଣ’ ବୋଲି ନାରାୟଣ କହିଛନ୍ତି।