ରାଉରକେଲା/ବିଶ୍ରା: ଗତକାଲି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ହାଟଗମ୍‌ହାରିଆ ଥାନା ନୁରଡ଼ା ଗାଁ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ହତ୍ୟା ଘଟଣାରେ ହାଟ୍‌ଗମ୍‌ହାରିଆ ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୃତକଙ୍କ ଗାଁର ମଙ୍ଗଳ ସିଂହ ସୀଙ୍କୁ (୩୨), ମୋଟରା ସିଙ୍କୁ (୨୩), ଯୋଗେନ ସିଂଙ୍କୁ (୨୨), ସୋମା ସିଂଙ୍କୁ (୨୨), ଟୁପରା ସିଂଙ୍କୁ (୩୧)। ଗିରଫ ସମସ୍ତ ଅଭିଯୁକ୍ତ ଗୋଟିଏ ପରିବାର। ହତ୍ୟା ଘଟଣାରେ ବ୍ୟବହୃ୍ତ ଲାଠି ଓ ଅନ୍ୟ ସାମଗ୍ରୀ ପୁଲିସ ଜବତ କରିଛି। ପାରିବାରିକ ଶତ୍ରୁତା, ତେନ୍ତୁଳି ଗଛ ଭାଗବଣ୍ଟା ଓ ଗୁଣିଗାରେଡ଼ି ସନ୍ଦେହକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ କିଛି ଦିନ ଧରି ପାଟିତୁଣ୍ଡ ଲାଗି ରହିଥିଲା। ୫ ଅଭିଯୁକ୍ତ ଲାଠିରେ ପିଟି ପିଟି ଗୋଟିଏ ପରିବାରର ପତି-ପତ୍ନୀ ଓ ସେମାନଙ୍କ ଦୁଇ ପିଲାଙ୍କୁ ହତ୍ୟା କରିଥିଲେ। ହତ୍ୟାକୁ ଆତ୍ମହତ୍ୟା ରୂପ ଦେବାକୁ ଟ୍ରେନ୍‌ ଲାଇନ୍‌ରେ ଫିଙ୍ଗିଦେଇଥିଲେ। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଏହି ସୂଚନା ଦେଇଛନ୍ତି।

Advertisment

ମୃତକଙ୍କ ପରିବାର ଲିଖିତ ଏତଲା ଓ ପାରିପାର୍ଶ୍ବିକ ସ୍ଥିତି ଆଧାରରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଉଲ୍ଲେଖଯୋଗ୍ୟ, ଗତକାଲି ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ କେନ୍ଦୁପୋଷି ଓ ତଲାବୁରୁ ଷ୍ଟେସନ୍ ମଧ୍ୟରେ ରେଳଧାରଣା ଉପରେ ଜଣେ ପୁରୁଷ, ଜଣେ ମହିଳା ଓ ୨ ଶିଶୁଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଦୁଇପିଲାଙ୍କ ଶବ ବସ୍ତାରେ ଭର୍ତ୍ତି ହୋଇଥିବାବେଳେ ମହିଳାଙ୍କ ହାତଗୋଡ଼ ବନ୍ଧା ହୋଇଥିଲା। ସେମାନଙ୍କୁ ଅନ୍ୟତ୍ର ହତ୍ୟା କରିବା ପରେ ଆଣି ସେଠାରେ ପକାଇ ଦିଆ ଯାଇଥିବା ଜଣା ପଡ଼ୁଥିଲା। ମୃତକ ମଧ୍ୟରେ ଥିଲେ ହାଟଗମ୍‌ହାରିଆ ଥାନା ନୁରଡା ଗାଁ ଟୁଙ୍ଗୁବାସା ବସ୍ତିର ବିନୁ ସିଂକୁ, ତାଙ୍କ ପତ୍ନୀ, ୨ ବର୍ଷର ଝିଅ ଓ ୮ ମାସର ପୁଅ। ତେବେ ବିନୁଙ୍କ ୧୫ ବର୍ଷୀୟା ବଡ଼ଝିଅ ସେଠାରୁ ଖସିଯାଇ କୌଣସି ମତେ ଜୀବନ ବଞ୍ଚାଇଥିଲେ। ଜଗନ୍ନାଥପୁର ଏସ୍‌ଡିପିଓ ରାକେଶ ନନ୍ଦନ ମିଞ୍ଜ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।