ବନ୍ଧୁକ-ବୋମା ସହ ଧନୁ ତୀର ଜବତ, ୫ ଅଭିଯୁକ୍ତ ଗିରଫ

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମ ନିକଟସ୍ଥ ତାଲବିଲା ଜଙ୍ଗଲ ରାସ୍ତା ନିକଟରୁ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବନ୍ଧୁକ, ବୋମା, ବୋମା ପ୍ରସ୍ତୁତ ସାମଗ୍ରୀ, ଧନୁତୀର, ହରିଣ ସିଂଘ, ହାତୀ କଳ ଦାନ୍ତ ଏବଂ ମୟୂର ପୁଚ୍ଛ ଜବତ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମର୍ହା ଗ୍ରାମର ସୁରେଶ ଶବର(୫୬), ରିଆମାଳ ଥାନା ଅନ୍ତର୍ଗତ ମଧ୍ୟପୁର ଗ୍ରାମର ହେମନ୍ତ କିସାନ(୪୦) ଓ ବେଣୁଧର କିସାନ(୩୨), ତେନ୍ତଳାବାହାଲ ଗ୍ରାମର ରେବତୀ ମୋହନ ମୁଣ୍ଡା(୩୪) ଓ ଭାଲିଆଡିହି ଗ୍ରାମର ଲୋକନାଥ(୫୦)।

ଶନିବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜ କିଶୋର ପାଇକରାୟ ଏ ବାବଦରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ କୌଣସି ଅସାମାଜିକ ସଂଗଠନ କିମ୍ବା ବେଆଇନ ଜନ୍ତୁ ଶିକାର ବା କୌଣସି ମାଓ ସଂଗଠନ ସହ ସଂପୃକ୍ତି କି ନାହିଁ ସେ ଦିଗକୁ ନେଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ପି କହିଛନ୍ତି। ଅଭିଯୁକ୍ତ ସୁରେଶ ଶବର ନାମରେ ପୂର୍ବରୁ ବାରକୋଟ ଥାନା ୩ଟି ଓ ବାରକୋଟ ଫରେଷ୍ଟ ରେଞ୍ଜରେ ୨ଟି ମାମଲା ରହିଥିବା ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ବାରକୋଟ ଥାନା  ମର୍ହା  ଗ୍ରାମ ନିକଟସ୍ଥ ତାଲବିଲା ଜଙ୍ଗଲ ରାସ୍ତାରେ ପୁଲିସ ପାଟ୍ରୋଲିଂ ସମୟରେ ୫ ଜଣ ବ୍ୟକ୍ତି ବୁଲୁଥିବା ବେଳେ ପୁଲିସ ସେମାନଙ୍କୁ ପଚରାଉଚରା କରିବା ସହ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସମେତ ୨ଟି ବୋମା, ବୋମା ପ୍ରସ୍ତୁତ ସାମଗ୍ରୀ, ଧନୁତୀର, ହରିଣ ସିଂଘ, ହାତୀ କଳ ଦାନ୍ତ ଓ ୩୬୦ଟି ମୟୂର ପୁଚ୍ଛ ଜବତ କରାଯାଇଛି।

ସମ୍ବନ୍ଧିତ ଖବର