ଜାତୀୟ ରାଜପଥରେ ଡକାୟତି ଯୋଜନା ପଣ୍ଡ, ୬ ପିସ୍ତଲ ଓ ୨ବନ୍ଧୁକ ସହ ୪ ଅଭିଯୁକ୍ତ ଗିରଫ

ବେଆଇନ ମାରଣାସ୍ତ୍ର ରଖିବା ମାମଲାରେ ସମିତି ସଭ୍ୟଙ୍କ ସ୍ୱାମୀ ଗିରଫ

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା ଚାଲିଥିବା ବେଳେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ‌ଥାନା ପୁଲିସ ଏହାକୁ ପଣ୍ଡ କରି ଦେଇଛି। ପୁଲିସ ୪ ଜଣ ଅଭିଯୁକ୍ତଙ୍କ ଠାରୁ ୬ଟି ପିସ୍ତଲ, ୨ଟି ବନ୍ଧୁକ, ୩ଟି‌ ‌ବାଇକ ସମେତ ମୋବାଇଲ ଫୋନ ଓ ଅନ୍ୟ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଂଜାମ ଜିଲ୍ଲା କୋଦଳ ଥାନା ଅନ୍ତର୍ଗତ ବି ନୂଆପାଲି ଗାଁର ରଙ୍କନିଧି ଖଟେଇଙ୍କ ପୁଅ ସନ୍ତୋଷ ଖଟେଇ (୨୯), କାଳିମେଘି ଗାଁର କବିରାଜ ଜେନାଙ୍କ ପୁଅ ମୁନାରାମ ଜେନା (୨୧), ଫାସିଆଲା ଗାଁର ବୈକୁଣ୍ଠନାଥ ମହାପାତ୍ରଙ୍କ ପୁଅ ରାଜଗୋପାଳ ମହାପାତ୍ର ଓ ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗାଁର ପର୍ଶୁରାମ ଦାସଙ୍କ ପୁଅ ଧିରେନ୍ଦ୍ର ଦାସ (୨୪)।

୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ଅଭିଯୁକ୍ତମାନେ ଏକ ବଡ଼ଧରଣର ଯୋଜନା ଚାଲିଥିବା ବେଳେ ଖଲ୍ଲିକୋଟ ଥାନା ପୁଲିସକୁ ସୂଚନା ମିଳିଥିଲା। ଏହା ପରେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୯ଏମଏମ ରାଉଣ୍ଡର ୪ଟି ପିସ୍ତଲ, ୨ଟି ସିଙ୍ଗିଲ ରାଉଣ୍ଡର ପିସ୍ତଲ, ଗୋଟିଏ ରିଭଲଭର, ଗୋଟିଏ ଏୟାର ଗନ ଓ ୩ଟି ବାଇକ ଜବତ କରିଥିଲା। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୨ଟି ଖଣ୍ଡା, ୩ଟି ମୋବାଇଲ, ଲଙ୍କା ଗୁଣ୍ଡ, ୨ଟି ଟର୍ଚ୍ଚ ଲାଇଟ ଓ କିଛି ମାସ୍କ ଜବତ କରିଥିଲା।

ସେହିପରି ଅନ୍ୟ ଏକ ଘଟଣାରେ ସମିତି ସଭ୍ୟଙ୍କ ସ୍ୱାମୀଙ୍କୁ  ବେଆଇନ ମାରଣାସ୍ତ୍ର ରଖିବା ମାମଲାରେ ଖଲ୍ଲିକୋଟ ପୁଲିସ ଗିରଫ କରିଛି । ରାଜନୈତିକ ଶତ୍ରୁତାରୁ ପ୍ରତିଶୋଧ ନେବା ପାଇଁ  କୈରାଶି ପଞ୍ଚାୟତର ସମିତି ସଭ୍ୟା ଉସାରାଣୀ ରାଉତଙ୍କ ସ୍ୱାମୀ ସନ୍ତୋଷ ରାଉତ ଘରେ ମାରଣାସ୍ତ୍ର ରଖିଥିଲେ। ପୁଲିସ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଅତର୍କିତ ଭାବେ ଚଢ଼ାଉ କରି ସରପଂଚଙ୍କ ଘରୁ ମାରଣାସ୍ତ୍ର ଜବତ କରିଛି। ଖଲ୍ଲିକୋଟ ପୁଲିସ ଆଜି  ଦୁଇଟି ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର