ଆସିକା: ନକଲି ସାର୍ଟିଫିକେଟ ପ୍ରସ୍ତୁତିର ପର୍ଦ୍ଦାଫାଶ କରିଛି ଗଂଜାମ ଜିଲ୍ଲାର ଆସିକା ପୁଲିସ। ରାକେଟ୍ର ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଭିତରେ ୨ ଜଣ ଶିକ୍ଷକ ମଧ୍ୟ ସାମିଲ ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଶିକ୍ଷକ ଗୌରୀ ଶଙ୍କର ଜେନା, ପ୍ରକାଶ ଚନ୍ଦ୍ର ପଲେଇ, ଦୁର୍ଗା ପ୍ରସାଦ ମିଶ୍ର, ଧୀରେନ କୁମାର ଦୋରା ଓ ରଂଜିତ କୁମାର ପାଲଟା।
ପୂରା ଗଞ୍ଜାମ ଜିଲ୍ଲା ନକଳି ସାର୍ଟିଫିକେଟ ନେଇ ଶିକ୍ଷକତା କରୁଥିବା ଏକ ଅଭିଯୋଗ ଉଠିଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ମତେ ପ୍ରତ୍ୟେକ ବ୍ଲକ ଶିକ୍ଷା ଅଧିକାରୀ ସେମାନଙ୍କ ବ୍ଲକରେ ନକଲି ସାର୍ଟିଫିକେଟ ନେଇ ଶିକ୍ଷକତା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଆସିକା ଥାନାରେ ୨ଟି ମାମଲା ରୁଜୁ ହୋଇଥିଲା।
ପ୍ରାଥମିକ ପର୍ଯ୍ୟାୟରେ ପୁଲିସ ଘଟଣାକୁ ଅତି ଗମ୍ଭୀରତାର ସହିତ ନେଇ ପ୍ରଥମେ ଅଭିଯୋଗ ଥିବା ୨ ଜଣ ଶିକ୍ଷକ ଗୌରୀ ଶଙ୍କର ଜେନା (୪୨) ଓ ପ୍ରକାଶ ଚନ୍ଦ୍ର ପଲେଇ (୪୫)ଙ୍କୁ ଉଠାଇଥିଲା। ସେମାନଙ୍କୁ ପଚରାଉଚରା ବେଳେ ରାକେଟର ମଧ୍ୟସ୍ତି ତଥା ପୋଲସରାର ଦୁର୍ଗା ପ୍ରସାଦ ମିଶ୍ରଙ୍କ ସଂପର୍କରେ ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ଦୁର୍ଗାପ୍ରସାଦଙ୍କୁ ଉଠାଇ ତାଙ୍କୁ ପଚରାଉଚରା କରିବାରୁ ପୂରା ଘଟଣା ପଦାକୁ ଆସିଥିଲା।
ଏହି ଘଟଣାରେ କୋଦଳା ପରିବା ବଜାର ନିକଟରେ ଶ୍ରୀଦେବୀ ପ୍ରିଣ୍ଟରର୍ସ ନାଁରେ ଦୋକାନ କରିଥିବା କେ. ଧୀରେନ କୁମାର ଦୋରା ନିଜର କମ୍ପ୍ୟୁଟର ଦେକାନରେ ବିଭିନ୍ନ ସଫ୍ଟେଓ୍ଵର ବ୍ୟବହାର କରି ଅବିକଳ ନକଲି ଦଶମ, ଯୁକ୍ତ ୨, ସିଟି, ବିଏଡ ଆଦି ସାର୍ଟିଫିକେଟ ପ୍ରସ୍ତୁତ କରୁଥିଲା ଏବଂ ସିଲ (ରବରଷ୍ଟାମ୍ପ) ମଧ୍ୟ ପ୍ରସ୍ତୁତ କରୁଥିଲା। ତାପରେ ଏହି ନକଲି ସାର୍ଟିଫିକେଟ କୋଦଳା ପଣ୍ଡାସାହିର ରଂଜିତ କୁମାର ପାଲଟା ନିକଟକୁ ପହଞ୍ଚୁଥିଲା।
ରଂଜିତ ନକଲି ସାର୍ଟିଫିକେଟରେ ଅଧିକାରୀମାନଙ୍କର ନକଲି ଦସ୍ତଖସ୍ତ କରୁଥିଲା। ତାପରେ ଆବଶ୍ୟକତା ଅନୁସାରେ ସାର୍ଟିଫିକେଟଗୁଡ଼ିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିଲା। ପ୍ରୋବେସନ ଆଇପିଏସ ଅଭିଳାଶ ଜି ପ୍ରତକ୍ଷ୍ୟ ତତ୍ୱାବଧାନରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଏହି ଘଟଣାରେ ୫ଶହରୁ ଅଧିକ ରୋବରଷ୍ଟାମ୍ପ, ଭିନ୍ନ ଭିନ୍ନ ମହାବିଦ୍ୟାଳୟର ନକଲି ସାର୍ଟିଫିକେଟ, ନଗର ୨୨ ହଜାର ଟଙ୍କା, କମ୍ପ୍ୟୁଟର ସରଞ୍ଜାମ ଜବତ କରିଛନ୍ତି।
୨୦୦୬ ମସିହାରୁ ଏହି ରାକେଟ କାମ କରିଆସୁଥିଲା। ୩ ଶହରୁ ଉର୍ଦ୍ଧ୍ୱ ସାର୍ଟିଫିକେଟ ପ୍ରସ୍ତୁତ କରିଥିବା ଅଭିଯୁକ୍ତମାନେ କହୁଥିବା ବେଳେ ପ୍ରକୃତରେ ଏହି ସଂଖ୍ୟା ଅଧିକ ହେବେ। ପୁଲିସ ଜବତ କରିଥିବା ହାର୍ଡଡିସ୍କକୁ ଫରେନସିକ ଲ୍ୟାବ ପଠାଇ ପ୍ରକୃତରେ କେତେ ସାର୍ଟିଫିକେଟ ପ୍ରସ୍ତୁତ ହୋଇଛି, ତାହା ତଦନ୍ତ କରିବ।