ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ଗତ ୭ ତାରିଖ ରାତିରେ ଘଟିଥିବା ଯୋଗେଶ ବେହେରା ହତ୍ୟା ଘଟଣା ପଛର ମୂଳ କାରଣ ରାଜନୈତିକ ଷଡ଼୍‌ଯନ୍ତ୍ର। ଗତ ପଞ୍ଚାୟତ ନିର୍ବାଚନ ସମୟରେ ବିଜେଡିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ସମର୍ଥିତ ସମିତିସଭ୍ୟା ପ୍ରାର୍ଥିନୀଙ୍କୁ ବିରୋଧ ଓ ତାଙ୍କର ପରାଜୟର ପ୍ରତିଶୋଧ ନେବାକୁ ଯାଇ ଯୋଗେଶଙ୍କୁ ହତ୍ୟା କରା ଯାଇଥିବା ପୁଲିସ ସ୍ପଷ୍ଟ କରିଛି। ଆଜି ଏହି ଚର୍ଚ୍ଚିତ ହତ୍ୟାକାଣ୍ଡରେ ଜଡ଼ିତ ୫ ଜଣଙ୍କୁ ପୁରୁଷାତ୍ତମପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜାମୁନି ଗ୍ରାମର ଦୁଇଭାଇ ଗଜପତି ମହାରଣା ଓରଫ୍‌ ଗଜାନନ, ବଡ଼ଭାଇ ଝଡ଼ିଆ ମହାରଣା, ହରିହର ମହାନ୍ତି, ପବିତ୍ରମୋହନ ପାଣିଗ୍ରାହୀ ଓ ବୁରୁତୁଳୁ ଗ୍ରାମର ଜୟସେନ ପାଢ଼ୀ ବୋଲି ପୁଲିସ କହିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଜବତ କରାଯାଇଛି। ଏହି ହତ୍ୟାକାଣ୍ଡରେ ପୁଲିସ ମାମଲାରେ ଅଭିଯୁକ୍ତ ଥିବା ବ୍ଲକ୍‌ ବିଜେଡି ସଭାପତିଙ୍କ ସମେତ ଆଉ ତିନି ଜଣ ବର୍ତ୍ତମାନ ସୁଦ୍ଧା ଫେରାର୍‌ ଥିବା ପୁଲିସ କହିଛି। ଅନ୍ୟପକ୍ଷରେ ଏମାନଙ୍କୁ ଖସାଇବା ପାଇଁ ଘଟଣା ପରଠାରୁ ପୁଲିସ ଉପରେ ପ୍ରବଳ ଚାପ ପଡ଼ୁଥିଲା। କିନ୍ତୁ ସବୁ ଚାପ ଓ ଚକ୍ରାନ୍ତ ବିଫଳ ହୋଇଛି।

Advertisment

ପୁଲିସର ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନରେ ଜୟସେନଙ୍କ ପତ୍ନୀ ସମିତିସଭ୍ୟା ପ୍ରାର୍ଥିନୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ତାଙ୍କୁ ଜାମୁନି ଗ୍ରାମର ଯୋଗେଶ ବେହେରା ଓ ଅଜିତ କୁମାର ପାଣିଗ୍ରାହୀ ବିରୋଧ କରୁଥିଲେ। ନିର୍ବାଚନରେ ଜୟସେନଙ୍କ ପତ୍ନୀଙ୍କ ପରାଜୟ ହୋଇଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଯୋଗେଶ ଓ ଅଜିତଙ୍କୁ ଜୀବନରେ ମାରିଦେବା ପାଇଁ ବିରୋଧୀ ଗୋଷ୍ଠୀ ଷଡ଼୍‌ଯନ୍ତ୍ର କରିଥିଲେ। ଗତ ୭ ତାରିଖ ରାତିରେ ଯୋଗେଶ ଓ ଅଜିତ ଏକ ବାଇକ୍‌ରେ ଜାମୁନି ଜଗନ୍ନାଥ ମନ୍ଦିର ରାସ୍ତା ଦେଇ ଫେରୁଥିଲେ। ଏହି ସମୟରେ ପୁରୁଷୋତ୍ତମପୁର ବ୍ଲକ୍‌ ବିଜେଡି ସଭାପତି ଗୋପାଳକୃଷ୍ଣ ମହାନ୍ତି, ଅଶୋକ ପାଣିଗ୍ରାହୀ, ଗଜପତି, ଝଡ଼ିଆ, ଜୟସେନ, ହରିହର, ଦିଗାମ୍ବର ପାଣିଗ୍ରାହୀ ଓ ପବିତ୍ର ସେମାନଙ୍କୁ ଅଟକାଇଥିଲେ। ଏହପରେ ଖଣ୍ଡା‌ ଓ ବିଭିନ୍ନ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଯୋଗେଶଙ୍କ ମୃତ୍ୟୁ ଘଟିଥିଲା। ଅଜିତ ଗୁରୁତର ହୋଇଥିଲେ। ଅଜିତଙ୍କ ଚିତ୍କାର ଶୁଣି ଜାମୁନି ଗ୍ରାମର ସରପଞ୍ଚ ଇନ୍ଦ୍ରଜିତ ନାୟକ, ଅଲେଖ ମଲ୍ଲିକ, ନୀଳାମ୍ବର ନାୟକ ଓ ପଦ୍ମନାଭ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଯୋଗେଶଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ବେଳେ ଗୁରୁତର ଅଜିତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ସ୍ଥାନାନ୍ତର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୋଗେଶଙ୍କ ମୃତଦେହ ଜବତ କରିଥିଲା। ଅଜିତଙ୍କ ଅଭିଯୋଗ କ୍ରମେ ପୁରୁଷୋତ୍ତମପୁର ଥାନା ପୁଲିସ କେସ୍ ନମ୍ବର ୩୧୪/୨୨ରେ ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଅନୁସଂଧାନ ଆରମ୍ଭ କରିଥିଲା। ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ରହିଥିବା ପୁଲିସ ଜାଣିବାକୁ ପାଇଥିଲା। ଏହି ଘଟଣାରେ ପୁଲିସ ଦୁଇଭାଇ ସମେତ ୫ଜଣଙ୍କୁ ଗିରଫ କରିଛି। କିନ୍ତୁ ବ୍ଲକ୍‌ ବିଜେଡି ସଭାପତିଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରି ନାହିଁ। ଯାହାକୁ ନେଇ ଅଞ୍ଚଳରେ ଅସ‌ନ୍ତୋ‌ଷ ଲାଗି ରହିଛି। ପୁଲିସ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।