ଜୟପୁର: ଘଟଣାର ୫ଦିନ ପରେ ପୁଲିସ ଜୟପୁର ନୂଆସାହି ପଞ୍ଚମ ଲାଇନ ବାଇପାସ ରାସ୍ତା‌ରେ ଯୁବକ ଅରୁଣ ଓ ନକାଙ୍କୁ ଦୁର୍ବୁତ୍ତ ଖଣ୍ଡା, ଛୁରୀ ଓ ଅନ୍ୟ ମାରାଣାସ୍ତ୍ରରେ ଆକ୍ରମଣକରି ହତ୍ୟା କରିବା ମାମଲାର ପର୍ଦ୍ଦାପାସ କରିଛି। ମାମଲାରେ ସମ୍ପୃକ୍ତ ଥିବା ୨ ପ୍ରମୁଖ ମାଷ୍ଟର ମାଇଣ୍ଡଙ୍କ ସହ ଆଉ ୩ ଜଣଙ୍କୁ ଗିରଫ କରିଛି। ଏହା ସହ ୨ଟି ଖଣ୍ଡା ଓ ଗୋଟିଏ ବାଇକକୁ ଜବତ କରିଛି। ପୂର୍ବ ଶତ୍ରୁତା ଓ ପତିଆରା ଲଢ଼େଇକୁ ନେଇ ନିଜ ଜ୍ବାଇଁଙ୍କ ଭାଇ ତଥ‌ା ନୂଆସାହି ୪ର୍ଥ ଲାଇନ ନିବାସୀ ଅଭିଯୁକ୍ତ ଅର୍ଜୁନ ବାଘ ଓ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ଗାଁର ବଡତାରାଗୁଡା ଗାଁର ରେମନ୍ତ ବିଷଇ ଓରଫ ରମାନ (୨୨) ଏହି ମାମଲାର ମାଷ୍ଟର ମାଇଣ୍ଡ।

Advertisment

ଏମାନଙ୍କ ଅନ୍ୟ ସହଯୋଗୀ ଅଭିଯୁକ୍ତ ମାନେ ହେଲେ ଜୟପୁର ନୂଆସାହିର ରାମ ନାୟକ (୧୯), କୋଟପାଡ ମିସନ କମ୍ପାଉଣ୍ଡ ଅଞ୍ଚଳର ଅଭିଶେଖ ମାଳି (୨୧), ମାଙ୍ଗଲି ସାହିର କପିଳାଶ ମାଙ୍ଗଲି (୧୮) ‌ବୋଲି ଟାଉନଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ହରିଶ ବି.ସି ଓ ଟାଉନଥାନା ଅଧିକାରୀ ସମ୍ବିତ ବେହେରା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଅରୁଣ ବିଭିନ୍ନ ସ୍ଥାନରେ କାମ କରୁଥିଲେ ହେଁ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଅପଦସ୍ଥ କରିବା, ସମ୍ମାନହାନୀ କରାଇବା, ବିଭିନ୍ନ ଅପଶବ୍ଧ ବ୍ୟବହାର କରିବା ସହ ଗଣ୍ଡଗୋଳ କରି ଆସୁଥିଲେ। ଘଟଣାର କିଛିଦିନ ପୂର୍ବରୁ ମୃତ ଅରୁଣ ଏହି ମାମଲାର ମୁଖ୍ୟଅଭିଯୁକ୍ତ ଅର୍ଜୁନଙ୍କ ସହ କୌଣସି କଥ‌ାକୁ କେନ୍ଦ୍ର କରି ଗଣ୍ଡଗୋଳ ବି ହୋଇଥିଲା। ସେଭଳି ସହ ମୁଖ୍ୟ ଅଭିଯୁକ୍ତ ରମାନଙ୍କୁ ବି ଅପଦସ୍ଥ କରିଥିଲେ। ଅଭିଯୁକ୍ତ ଅର୍ଜୁନ ଓ ରମନ ମିଳିତ ଭାବେ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରି ଷଡଯନ୍ତ୍ର କରିଥିଲେ। ରମାନ ସମସ୍ତ ଅଭିଯୁକ୍ତଙ୍କୁ ଏଥିରେ ସାମିଲ କରିଥିଲେ। ଘଟଣା ଦିନ ନବରଙ୍ଗପୁରରୁ ଗୋଟିଏ ଅଟୋକୁ ରମାନ ଭଡ଼ାରେ ନେଇକି ଆସିଥିଲେ। କୋଟପାଡରୁ ବୋରିଗୁମ୍ମା ଆସି ପୂର୍ବରୁ ଅଭିଶେଖ, ଓ କପିଳାଶ ଅପେକ୍ଷା କରିଥିଲେ।

ବୋରିଗୁମ୍ମା‌ରୁ ଏହି ଦୁହେଁଙ୍କ ସହ ଆଉ କିଛି ଅଭିଯୁକ୍ତଙ୍କୁ ନେଇ ରମାନ ଜୟପୁର ଆସିଥିଲେ। ରମାନ ଜୟପୁର ଆସିବା ପୂର୍ବରୁ ମୃତ ଅରୁଣ ନୂଆସାହି ୫ମ ଲାଇନ୍ ନିକଟରେ ବାଇପାସ ରୋଡ ପାର୍ଶ୍ବରେ ଥିବା ଭଲିବଲ ପଡ଼ିଆକୁ କେତେବେଳେ ଯାଏ ଆଦି ରେକି କରି ଅର୍ଜୁନ ଓ ରାମ ଦେଖିଥିଲେ। ଅଭିଯୁକ୍ତ ମାନେ ମୁଖା ପିନ୍ଧି ଘଟଣାସ୍ଥଳକୁ ଆସିବା ପର୍ଯ୍ୟନ୍ତ ଉଭୟ ‌ଅପେକ୍ଷା କରି ରହିଥିଲେ। ଆଟୋରେ ଆସିଥିବା ଅଭିଯୁକ୍ତ ମାନେ ଖଣ୍ଡା, କାତି, ଛୁରୀ ଆଦି ମାରଣାସ୍ତ୍ରରେ ମୃତ ଅରୁଣଙ୍କୁ ଆକ୍ରମଣ କରି ମାରିଥିଲେ। ଏଥିରେ ଅରୁଣର ମୁଣ୍ଡର ପଛ ପାର୍ଶ୍ବ ଓ ଦେହ ରେ ବାଜିବା ସହ ହାତରେ ଗୁରୁତର ମାଡ଼ ବାଜିଥିଲା। ପ୍ରବଳ ରକ୍ତସ୍ରାବ ହେବା ଫଳରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେବା ମାତ୍ରକେ ଡାକ୍ତର ମାନେ ମୃତ ଘୋଷଣା କରିଥିଲେ। ପୁଲିସ ମୃତ ଅରୁଣଙ୍କ ପତ୍ନୀ ଆଲଫାଙ୍କ ଏତଲା ଓ ବୟାନକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲେ। ଆଲଫା ସନ୍ଦେହ କରୁଥିବା କିଛି ଜଣଙ୍କୁ ପୁଲିସ ଉଠାଇ ଥାନାକୁ ଆଣି ପଚାରାଉଚାରା ଆରମ୍ଭ କରିଥିଲେ। ଏମାନଙ୍କ ମଧ୍ୟରେ ଅଭିଯୁକ୍ତ ଥିବା ରାମଙ୍କୁ ପୁଲିସ ଅଟକ ରଖି ପଚାରାଉଚାରା କରିବାବେଳେ‌ ସେ ଦୋଷକୁ ସ୍ବୀକାର କରିବା ସହ କିଭଳି ହତ୍ୟା ପାଇଁ ଷଡଯନ୍ତ୍ର କରାଯାଇଥିଲା, ଏବଂ ହତ୍ୟାରେ କିଏ କିଏ ସାମିଲ ଥିଲେ କହିଥିଲେ। ପୁଲିସ ଏହା ପରେ ଅନ୍ୟ ୪ ଅଭିଯୁକ୍ତଙ୍କୁ ଉଠାଇଥିବା କହିଛନ୍ତି ଏସଡିପିଓ ଓଥାନା ଅଧିକାରୀ। ତେବେ ଏହି ମାଲାରେ ସମ୍ପୃକ୍ତ ଥିବା ଆଉ ୩ ଜଣ ଅଭିଯୁକ୍ତ ଏବେ ଫେରାର ରହିଛନ୍ତି। ଫେରାର ଅନ୍ୟ ତିନି ଅଭିଯୁକ୍ତଙ୍କୁ ଅତିଶୀଘ୍ର ଧରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।