ବୈପାରିଗୁଡ଼ା: ଡକାୟତି ପାଇଁ ଯୋଜନା କରିବା ସହ ପଥର ପକେଇ ରାସ୍ତା ଅବରୋଧ କରିଥିବା ବେଳେ ପୁଲିସ ହାବୁଡ଼ରେ ଧରାପଡ଼ିଛନ୍ତି ୫ ଜଣ ଅଭିଯୁକ୍ତ। ସେମାନେ ହେଲେ ବୈପାରିଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପଡାର ହରିବନ୍ଧୁ ଖରା, ନବରଙ୍ଗପୁର ଜିଲ୍ଲା ଥାନା ଅନ୍ତର୍ଗତ ପଟାଗୁଡା ଗ୍ରାମର ଗୋବିନ୍ଦ ଜାନି, ଖାତିଗୁଡାର ରଞ୍ଜିତ ଖିଲ, ଦଶରଥ ସାନ୍ତା ଓ ଜଣେ ନାବାଳକ। ଫେରାର ଅଭିଯୁକ୍ତ ମଧ୍ୟ ଖାତିଗୁଡା ଥାନା ଅଞ୍ଚଳର ବୋଲି ଆଇଆଇସ ପ୍ରକାଶ କରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୫ ଜଣକୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଛି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୈପାରିଗୁଡା ଥାନା ଆଇଆଇସି ଈଶ୍ୱର ତାଣ୍ଡି ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଗତ ୨୯ ତାରିଖ ରାତିରେ ୧୧୨ ନମ୍ବରକୁ ଜଣେ ସୂଚନା ଦେଇ ଜଣାଇଥିଲେ ଯେ ଲମତାପୁଟ-ଜୟପୁର ରାସ୍ତାର ମାଉଲି ମନ୍ଦିର ନିକଟରେ ପଥର ପକେଇ ରାସ୍ତା ଅବରୋଧ କରିଛନ୍ତି।

ଉପରୋକ୍ତ ସୂଚନା ପାଇବା ମାତ୍ରେ କୋରାପୁଟ କଂଟ୍ରୋଲ ରୁମ୍‌ ବୈପାରିଗୁଡ଼ା ଥାନାକୁ ସୂଚନା ଦେବା ସହ ଆଇଆଇସିଙ୍କ ଫୋନ୍‌ ନମ୍ବରରେ ଯୋଗାଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ବ୍ୟକ୍ତି ଜଣକ ସାଂଗେ ସାଂଗେ ବୈପାରିଗୁଡ଼ା ଆଇଆଇସିଙ୍କୁ ଫୋନ୍‌ ଯୋଗେ ରାସ୍ତା ଅବରୋଧ ସଂପର୍କରେ ଜଣାଇଥିଲେ। ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ଅସିତ କୁମାର ବଳବନ୍ତରାୟ ସଦଳବଳ । ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ପଥର ପକାଇ ଅବରୋଧ କରାଯାଇଥିବା ଦେଖିବାକୁ ପାଇଥିଲା। ରାସ୍ତାରୁ ପଥର ହଟେଇ ପୁଲିସ ଆଗକୁ ବଢିଥିଲେ ମଧ୍ୟ କାହାକୁ ପାଇନଥିଲା।

ତେବେ ଯେଉଁ ବ୍ୟକ୍ତି ଜଣକ ପୁଲିସକୁ ଫୋନ୍‌ କରିଥିଲେ ସେ ଜୟପୁର ବାସିନ୍ଦା ଏବଂ ଲମତାପୁଟ ଯାଇଥିଲେ। ପୁଲିସ ତାଙ୍କୁ ସୁରକ୍ଷା ଦେବା ସହ କୋଟା ଛକ ଯାଏ ପହଞ୍ଚାଇ ଥିଲା। ପରେ ନିଜେ ଯାଇଥିବା ଗାଡ଼ିକୁ କୋଟା ଛକରେ ରଖି ପାଦରେ ଚାଲି ଚାଲି ମନ୍ଦିର ଯାଏ ଯାଇଥିଲା। ଡକାୟତ ମାନେ ପୁଣିଥରେ ପଥର ପକେଇ ରାସ୍ତା ଅବରୋଧ କରିବା ଦେଖି ପୁଣିଥରେ ରାସ୍ତା ସଫା କରିବା ସହ ଅନେକ ଖୋଜାଖୋଜି ପରେ ମଧ୍ୟ କାହାରିକୁ ପାଇ ନଥିଲେ।

ପୁଲିସ ସାରା ରାତି ସେମାନଙ୍କୁ ଅପେକ୍ଷା କରି ରହିଥିଲା। ରାତି ପାହିବା ଦେଖି ଡକାୟତ ଦଳ ରାସ୍ତା ଉପରକୁ ଆସିବା ମାତ୍ରେ ସେମାନଙ୍କୁ କାବୁ କରିଥିଲା। ତେବେ ଛଅ ଜଣ ମଧ୍ୟରୁ ଜଣେ ଖସି ଯିବାରେ ସଫଳ ହୋଇଥିଲା। ପାଞ୍ଚ ଜଣ ଡକାୟତ ମାନଙ୍କୁ ଥାନାରେ ଆଣି ସେମାନଙ୍କୁ ପଚରାଉଚରା କରାଯାଇଥିଲା। ଗିରଫ ଡକାୟତ ମାନଙ୍କ ପାଖରୁ ଏକ ଲୁହା ଛଡ଼, କାତି, ମୋବାଇଲ, ଆଧାର କାର୍ଡ, ଟଙ୍କା ଏବଂ ବ୍ୟବହାର କରୁଥିବା ଦୁଇଟି ବାଇକ୍‌ ଜବତ ହୋଇଛି।