ବାରିପଦା (ରାଜକିଶୋର ଦାସ): ହାତୀଦାନ୍ତ ଚୋରା ଚାଲାଣ ବେଳେ ଆଜି ବାରିପଦା ବନଖଣ୍ଡ ପକ୍ଷରୁ ଦୁଇଖଣ୍ଡ ହାତୀଦାନ୍ତ ଜବତ କରାଯାଇଛି। ବାରିପଦା ବନଖଣ୍ଡ ଅଧିନସ୍ତ ତିତିଆ ଛକ ନିକଟରୁ ଏହାକୁ ଜବତ କରାଯାଇଛି। ଏହାସହିତ ଏହାକୁ ଚୋରା ଚାଲାଣ କରୁଥିବା ୫ଜଣ ବେପାରୀଙ୍କୁ ମଧ୍ୟ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ୪୫ ସେଣ୍ଟିମିଟର ଲମ୍ବ ଓ ୭୦୦ ଗ୍ରାମ୍‌ ଓଜନର ଗୋଟିଏ ଏବଂ ୩୮ସେଣ୍ଟିମିଟର୍‌ ଲମ୍ବ ଓ ୬୦୦ ଗ୍ରାମ୍‌ ଓଜନ ବିଶିଷ୍ଟ ମୋଟ୍‌ ଦୁଇଟି ହାତୀଦାନ୍ତ ଜବତ କରାଯାଇଛି।

Advertisment

ତେବେ ଜବତ ଦୁଇ ଦାନ୍ତ ୮-୯ ବର୍ଷର ଦନ୍ତାହାତୀ ଛୁଆ ନିକଟରୁ କଟାଯାଇଥିବା ସୂଚନା ମିଳିଛି। ତେଣୁ ଜବତ ଏହି ଦାନ୍ତର ମୂଲ୍ୟ ୫୦ହଜାରରୁ ୭୦ହଜାର ମଧ୍ୟରେ ହୋଇପାରେ ବୋଲି ବନବିଭାଗ ପକ୍ଷରୁ ପ୍ରକାଶ। ଏହି ଚାଲଣ ବେଳେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ଉପରତାଳଡିହା ଗ୍ରାମର ଦେବେନ୍ଦ୍ରନାଥ ମାହାଳି, ଜଗନ୍ନାଥ ସିଂ, ପଙ୍କଜ କୁମାର ମାହାଳି, ବିନୁ ସିଂ ଏବଂ ଜାମୁଡିହା ଗ୍ରାମର ସୁଶାନ୍ତ ସିଂଯ ଗିରଫ ଅଭିଯୁକ୍ତମାନେ ଶିକାରୀ ନୁହନ୍ତି। ମାତ୍ର ହାତୀଦାନ୍ତ ଚୋରା କାରବାର ଏମାନଙ୍କର ନିୟମିତ ବ୍ୟବସାୟ ବୋଲି ସୂଚନା ମିଳିଛି।

publive-image

ଏହି ଦାନ୍ତକୁ ପଶ୍ଚିମବଙ୍ଗ ନିଆଯାଉଥିବା ଜଣାପଡ଼ିଛି। ବାରିପଦା ବନଖଣ୍ଡ ରେଞ୍ଜ୍‌ ଅଧିକାରୀ ଲକ୍ଷ୍ମୀଧର ବେହେରା, ଫରେଷ୍ଟର୍‌ ପ୍ରଶାନ୍ତ କୁମାର ସିଂସାମନ୍ତ, ଫରେଷ୍ଟ ଗାର୍ଡ ତ୍ରିନାଥ ସାମଲ, ଅନିଲ କୁମାର ମହାନ୍ତଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଏହି ଚୋରା ଚାଲଣକାରୀଙ୍କୁ ଗିରଫ କରିଛନ୍ତି।

କୁଆଡ଼େ ଗଲା ଦନ୍ତାହାତୀର ଶବ

ଆଜି ଜବତ ହୋଇଥିବା ଦୁଇ ଖଣ୍ଡ ହାତୀଦାନ୍ତ ବର୍ଷେ ଦୁଇ ବର୍ଷ ତଳର ବୋଲି ଜଣାପଡ଼ିଛି। ମାତ୍ର ଦାନ୍ତ କଟାହୋଇଥିବା କେଣସି ହାତୀର ଶବ କିନ୍ତୁ ଏହି ସମୟସୀମା ମଧ୍ୟରେ ଏପର୍ଯ୍ୟନ୍ତ ମିଳିନାହିଁ। ତେଣୁ ଏହାକୁ ନେଇ ସଂଶୟ ରହିଛି ବୋଲି ପୂର୍ବତନ ଅବେତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ହାତୀର ଶବକୁ ଲୁଚାଇ ଦିଆଯାଇଥାଇ ପାରେ କିମ୍ବା ଶିମିଳିପାଳ କୋର୍‌ ଏରିଆରେ ଶିକାର ହୋଇଥିବାରୁ ହାତୀର ଶବ ସମ୍ପର୍କରେ ସୂଚନା ମିଳି ନଥାଇପାରେ ବୋଲି ଶ୍ରୀ ଆଚାର୍ଯ୍ୟ ସନ୍ଦେହ କରିଛନ୍ତି।