ଖରିଫ ଯାଇ ରବି ହେଲା, ମିଳିଲାନି ପାଉଣା; ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ୫ଟି ବ୍ଲକର ଚାଷୀ

କୋରାପୁଟ: ଖରିଫ ଋତୁ ଯାଇ ରବି ଋତୁ ଆସିବାକୁ ବସିଲାଣି। ହେଲେ ବିକ୍ରି କରିଥିବା ମାଣ୍ଡିଆର ପାଉଣା ଏବେ ଯାଏ ମିଳିଲାନି। ଜିଲ୍ଲାପାଳ, ଟିଡିସିସି ଓ ଓଡ଼ିଶା ମିଲେଟ୍‌ ମିଶନକୁ ଦୌଡି ଦୌଡି ନୟାନ୍ତ ହେଲେ କୋରାପୁଟ ଜିଲ୍ଲାର ୫ଟି ବ୍ଲକରେ ରହୁଥିବା ଶତାଧିକ ଚାଷୀଙ୍କ ସେମାନଙ୍କ ପାଉଣା ମିଳିପାରୁନାହିଁ। କାହାର ମାଣ୍ଡିଆ ଓଜନ ହୋଇ ରହିଛି ତ କାହାର ମାଣ୍ଡିଆ ବିକ୍ରି ହୋଇଛି ହେଲେ ପାଉଣା ମିଳିନି। ଏନେଇ ଆଜି କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ୍‌. ଅଖତରଙ୍କ ଦ୍ବାରସ୍ଥ ହୋଇଛନ୍ତି ଜିଲ୍ଲାର ବୈପାରିଗୁଡା, ବୋରିଗୁମ୍ମା, ଲକ୍ଷ୍ମୀପୁର, ଲମତାପୁଟ ଓ ନନ୍ଦପୁର ବ୍ଲକରୁ ଆସିଥିବା ଚାଷୀ।

ମିଳିଥିବା ସୂଚନା ମୁତବାକ ଖରିଫ- ୨୦୨୦ ଋତୁରେ ପ୍ରାୟ ୩୬୯ଜଣ ଚାଷୀ ୪୫୧୩.୫୧ କୁଇଣ୍ଟାଲ ମାଣ୍ଡିଆ ବିକ୍ରି କରିଥିବାବେଳେ ସେମାନେ ତାଙ୍କ ପ୍ରାପ୍ୟ ପାଇ ନାହାଁନ୍ତି। ସେହିପରି ୩୧୩ ଜଣଚାଷୀଙ୍କର ୨୭୯୫.୭୭ କୁଇଣ୍ଟାଲ ମାଣ୍ଡିଆ ଓଜନ ହୋଇ ମଣ୍ଡିରେ ପଡିଥିବାବେଳେ ବର୍ଷା ହେଲେ ଓଦା ହେଉଛି। କିନ୍ତୁ ଏହାକୁ ପ୍ରଶାସନ ଟାର୍ଗେଟ ଶେଷ ହୋଇଯାଇଥିବା ଦର୍ଶାଇ କିଣୁ ନ ଥିବା ଚାଷୀ ଶୈଳେନ୍ଦ୍ର କୁମାର ଖୀଲ, ଭୁବନ ଜାନୀ, ଭୂଷଣ ହନ୍ତାଳ, ଟଙ୍କଧର ପାଇକ, ମଦନ ମାଣ୍ଡି, ଅଭି ଗୌଡ, ଡୁକୁ ପେଣ୍ଟିଆ, ଡମ୍ବୁ ଖୀଲ, ଖଗପତି ପ୍ରଧାନୀ, ଗୋପିନାଥ ଖରା, ସତ୍ୟ ନାୟକ, ସେମାନାଥ ନାୟକ, ଦାମ କ୍ରୀଶାନି, ଗୁରୁବନ୍ଦୁ ଖରା, ହରି ଦୋରା, ଦୈତାର ବାରିକ, ଖଗପତି ଖରା, ମଦନ ଚାଲାଣ, ଗୁରୁବନ୍ଧୁ ଖରା, ରାମ କୃଷ୍ଣ ଖୀଲ, ସୁକ୍ର ମୁଦୁଲି, ଭୀମ ଗଲରୀ, ହୀରାମଣି ବାଙ୍କିଆ, ମଇନା କ୍ରୀଶାନି ପ୍ରମୁଖ ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ମାଣ୍ଡିଆ କିଣା ନ ଗଲେ ଓ ଅର୍ଥ ନ ମିଳିଲେ ସେମାନେ ରାଜରାସ୍ତାକୁ ଓହ୍ଲେଇବା ସହ ସାମୁହିକ ଆତ୍ମହତ୍ୟା ଧମକ ଦେଇଛନ୍ତି। ଏଥି ପାଇଁ ସରକାର ଦାୟୀ ରହିବେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହାର ଏକିତା ନକଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କୋରାପୁଟ ଓ ନବରଙ୍ଗପୁର ସାଂସଦ, କୋରାପୁଟ, ଜୟପୁର, ଲକ୍ଷ୍ମୀପୁର, ପଟାଙ୍ଗୀ ଓ କୋଟପାଡ ବିଧାୟକ, ବହନ ନିଗମ ଅଧ୍ୟକ୍ଷ ଓ ଜିଲ୍ଲା କୃଷି ଅଧିକାରୀଙ୍କ ନିକଟକୁ ପଠାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର