କାଲୋବାହାଲ-ସର୍ଗିପାଲି ରାସ୍ତାରେ ଲୁଟେରାଙ୍କ ଉତ୍ପାତ, ୫ ଗିରଫ

ଲେଫ୍ରିପଡା: ଲେଫ୍ରିପଡା ଥାନା ଅନ୍ତର୍ଗତ କାଲୋବାହାଲ-ଟପରିଆ ରାସ୍ତା ଝୁରିମାଲ ନିକଟରେ ବୁଧବାର ରାତିରେ କେତେକ ଦୁର୍ବୃତ୍ତ ଛକି ରହି ରାସ୍ତାରେ ଆସୁଥିବା ଲୋକଙ୍କୁ ଧମକଚମକ ଦେଇ ଲୁଟ୍ କରୁଥିବା ବେଳେ ରାସ୍ତାରେ ପେଟ୍ରୋଲିଂ କରୁଥିବା ସର୍ଗିପାଲି ଫାଣ୍ଡି ଇନଚାର୍ଜ କାଶୀନାଥ ବାରିକ ସଦଳବଳ ସେମାନଙ୍କୁ କାବୁ କରି ନେଇଥିବା ଜଣାପଡିଛି। ସୂଚନା ମୁତାବକ ମାତାଲ ଅବସ୍ଥାରେ ଥିବା ଉକ୍ତ ୫ ଲୁଟେରା ଝୁରିମାଲ ଗ୍ରାମର ଦୁଇଜଣ ଗରିବ ବ୍ୟକ୍ତି ବିଜୟ ଗରୁଡ଼ ଏବଂ ଲକ୍ଷ୍ମଣ ଖରସେଲ କିଛି ଶୁଖିଲା କାଠ ନେଇ ସର୍ଗିପାଲି ଅଞ୍ଚଳକୁ ବିକ୍ରି ପାଇଁ ଆସୁଥିବା ବେଳେ ଲୁଟେରା ମାନେ ସେହି ବ୍ୟକ୍ତି ଦ୍ବୟଙ୍କୁ ଅଟକାଇ ସେମାନେ ବନବିଭାଗ କର୍ମଚାରୀ ଏବଂ ତାଙ୍କୁ ୫୦୦ ଟଙ୍କା ଦାବୀ କରିଥିଲେ। ତେ‌ବେ ସେମାନଙ୍କ ପାଖରେ ଟଙ୍କା ପଇସା ନଥିବା କହିବାରୁ ତାଙ୍କୁ ମାଡପିଟ୍ କରି ଉଭୟଙ୍କ ପକେଟରେ ଥିବା ପ୍ରାୟ ୨୨୦୦ ଟଙ୍କା ଲୁଟି ନେଇଥିବା ଥାନାରେ ବିଜୟ ଅଭିଯୋଗ କରିଛନ୍ତି।

ଲୁଟେରାଙ୍କ ମଧ୍ୟରେ ସଦର ଥାନା ଅନ୍ତର୍ଗତ ଟାଙ୍ଗରପାଲି ଗ୍ରାମର ସାହିଲ ତନ୍ତୀ, ସୌଭାଗ୍ୟ ସେଠ, ଓ ସଚିନ୍ ଭୋଇ ରହିଥିବା ହେମଗିର ଥାନା ଅନ୍ତର୍ଗତ ବାଲିଚୁଆଁର ଉମେଶ କଲେତ, ଅନୀଲ ପ୍ରଧାନ ଏବଂ ଲେଫ୍ରିପଡା ଥାନା ଅନ୍ତର୍ଗତ ବଡଖଲିଆ ଗ୍ରାମର ରୋଶନ ନାଏକ ରହିଥିବା ବେଳେ ଲେଫ୍ରିପଡା ଥାନା କେଶ୍ ନଂ ୧୩୧ ତା:୨୨.୦୭.୨୧ ଅନୁଯାୟୀ ଆଜି ସମସ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ୨ ଟି ବାଇକ୍, ଏକ ସ୍କୁଟି ସମେତ ନଗଦ ୨୨୦୦ ଟଙ୍କା ପୁଲିସ ଜବତ କରିଛି। ଗିରଫ ଯୁବକଙ୍କ ମଧ୍ୟରୁ ସାହିଲ, ସୌଭାଗ୍ୟ ଏବଂ ରୋଶନ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ମାମଲା ରହିଥିବା ମଧ୍ୟ ଜଣାପଡିଛି।

ସମ୍ବନ୍ଧିତ ଖବର