‘ଦେବଝରଣ’ ଜଳପ୍ରପାତ: ପାଞ୍ଚ ବର୍ଷରେ ନେଲାଣି ୫ ଜଣଙ୍କ ଜୀବନ

ଭୁବନେଶ୍ୱର/ଯୁଯୁମୁରା(ମହେନ୍ଦ୍ର ସାହୁ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ‘ଦେବଝରଣ’ ଜଳପ୍ରପାତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି। ଏଠାକାର ଶାନ୍ତ ଓ ପ୍ରାକୃତିକ ପରିବେଶ ପାଇଁ ବହୁ ଦୂରରୁ ପର୍ଯ୍ୟଟକମାନେ ପିକ୍‌ନିକ୍‌ କରିବାକୁ ଆସୁଛନ୍ତି। ମାତ୍ର ପର୍ଯ୍ୟଟକମାନେ ଖୁସିର ସୀମା ଲଙ୍ଘୁଥିବାରୁ ଜୀବନ ହରାଉଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଏଠାରେ ଗାଧୋଉଥିବା ସମୟରେ ୫ ଜଣଙ୍କ ମୃତ୍ୟୁ ଘଟି ସାରିଛି। ପର୍ଯ୍ୟଟକମାନେ ପାଣିର ଗଭୀରତା ସଂପର୍କରେ ଅଜ୍ଞାତ ଥିବାରୁ ମୃତ୍ୟୁମୁଖରେ ପଡୁଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତପ୍ରକାଶ କରୁଛନ୍ତି। ତେଣୁ ଏଠାରେ ପିକ୍‌ନିକ କରିବା ଅଥବା ଗାଧୋଉଥିବା ବେଳେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।

ଜଳପ୍ରପାତରେ ଗାଧୋଉଥିବା ବେଳେ ଆଜି ସକାଳୁ ସମ୍ବଲପୁର ଭିସୁଟ ଇଞ୍ଜିନିୟରିଂ କଲେଜର ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଇଞ୍ଜିନିୟରିଂ କଲେଜର ବିଜ୍ଞାନ ବିଭାଗର ତୃତୀୟ ବର୍ଷର ୪୦ ଜଣ ଛାତ୍ର ଭୋଜି କରିବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ସମୟରେ ଅଘଟଣ ଘଟିଥିଲା। ସୌମ୍ୟରଂଜନ ବେହୁରିଆ ଓ ଅଭିଜିତ ସାମଲକୁ ପାଣିରୁ ଉଦ୍ଧାର କରି ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ୨ ଇଞ୍ଜିନିୟରିଂ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ।

ବର୍ଷ ୨୦୧୮ରେ ଗାଧୋଉଥିବା ସମୟରେ ଦେବଝରଣ ଜଳପ୍ରପାତରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଜାନୁୁଆରି ୧ ତାରିଖରେ ଧମା ଥାନା ଅନ୍ତର୍ଗତ ଭେଜିଟିକିରା ଗ୍ରାମର ରତ୍ନାକର ଭୋଇ (୩୨) ପାଣିରେ ବୁଡ଼ି ଯାଇଥିଲେ। ଦୁଇ ଦିନ ପରେ ରତ୍ନାକରଙ୍କ ମୃତଦେହ ଉଦ୍ଧାର ହୋଇଥିଲା।  ସେହି ବର୍ଷ ଡିସେମ୍ବର ୨୬ରେ ସାଙ୍ଗମାନଙ୍କ ସହିତ ପିକନିକରେ ଆସି ଅମରେନ୍ଦ୍ର ଯାଦବ (୩୧) ନାମରେ ଜଣେ ବ୍ୟକ୍ତି ଜୀବନ ହାରିଥିଲେ। ସମ୍ବଲପୁର ଲପଙ୍ଗାସ୍ଥିତ ଆଦିତ୍ୟ ବିର୍ଲା କମ୍ପାନିର କର୍ମଚାରୀ ଅମରେନ୍ଦ୍ର ସାଙ୍ଗମାନଙ୍କ ସହିତ ଗାଧୋଉଥିଲା ବେଳେ ଅଘଟନ ଘଟିଥିଲା।

ଧନୁପାଲି ଥାନା ସାକ୍ଷୀପଡ଼ାର ଅଙ୍କୁର ମେହେର (୨୪) ମଧ୍ୟ ଦେବଝରଣ ଜଳପ୍ରପାତରେ ବୁଡ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ଥିଲା ୨୦୧୫ ଜୁଲାଇ ୧୩ ତାରିଖର ଘଟଣା।

ସଂକ୍ଷେପରେ ଦେବଝରଣ

କଟକରୁ ସମ୍ବଲପୁରକୁ ସଂଯୋଗ କୁରଥିବା ୫୫ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ବ୍ଲକ ଛକ ଠାରୁ ୪ କିଲୋମିଟର ଦୂରରେ ରହିଛି ‘ଦେବଝରଣ’ ଜଳପ୍ରପାତ। ସମ୍ବଲପୁର ଜିଲ୍ଲାରେ ଥିବା ଏହି ଜଳପ୍ରପାତକୁ ଯିବା ପାଇଁ ଜାତୀୟ ରାଜପଥରୁ ଅଳ୍ପ ବାଟ ଜଙ୍ଗଲିଆ ରାସ୍ତା ଦେଇ ଯିବାକୁ ପଡ଼ିଥାଏ। ପୁଣି ପ୍ରାୟ ଅଧ କିଲୋମିଟର ଆଗକୁ ଗଲେ ଦେବଝରଣ ଗାଁକୁ ଯିବା ପର୍ଯ୍ୟନ୍ତ ପିଚୁ ରାସ୍ତା ଅଛି। ପର୍ଯ୍ୟଟକଙ୍କୁ ଜଳପ୍ରପାତର ୧୦୦ ମିଟରରେ ଦୂରରେ ନିଜର ଗାଡ଼ିମୋଟର ରଖିବାକୁ ପଡ଼ିଥାଏ।

ଦେବଝରଣ ନିକଟରେ ଡ୍ୟାମ୍‌

ଦେବଝରଣ ଜଳପ୍ରପାତ ନିକଟରେ ଏକ ଛୋଟ ଡ୍ୟାମ୍‌ ମଧ୍ୟ ରହିଛି। ଏଠି ପର୍ଯ୍ୟଟକମାନେ କିଛି ସମୟ ଅତିବାହିତ କରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ। ସହରାଞ୍ଚଳର ପର୍ଯ୍ୟଟକମାନେ ଏଠାକୁ ଯାଇ ପାଣି-ପାହାଡ଼ ଓ ଜଙ୍ଗଲକୁ ଦେଖି ବହୁତ ଖୁସି ଅନୁଭବ କରିଥାନ୍ତି।

ସମ୍ବନ୍ଧିତ ଖବର