ମୋହନା: ଗୁଣି ଗାରେଡ଼ି କିଭଳି ଗାଁଗହଳିର ଲୋକଙ୍କୁ ଗ୍ରାସ କରି ରଖିଛି ତା’ର ଏକ ଜ୍ୱଳନ୍ତ ନିଦର୍ଶନ ଗଜପତି ଜିଲ୍ଲା ମୋହନା ବ୍ଲକ କର୍ଚ୍ଚବାଡ଼ି ପଞ୍ଚାୟତରେ ଦେଖିବାକୁ ମିଳିଛି। ଏଠି ଗୁଣି ସନ୍ଦେହରେ କିଛି ଦୁର୍ବୃତ୍ତ ବଗଡ଼ରେ ଜଗିଥିବା ପତିପତ୍ନୀଙ୍କୁ ଆଖିରେ ଲଙ୍କାଗୁଣ୍ଡ ପକାଇ କବଳିତ କରିବା ପରେ ଅତ୍ୟନ୍ତ ନିର୍ମମ ଭାବେ ଛୁରି ଭୁଷି ହତ୍ୟା କରିଛନ୍ତି। ସେମାନେ ହେଲେ - ଗପଟିମା ଗ୍ରାମର ପଟ୍ର ମଳିକ(୪୫) ଓ ତାଙ୍କ ପତ୍ନୀ ସବିତା ମଳିକ(୩୦)। ଏପଟେ, ସେମାନଙ୍କ ହତ୍ୟାର ଖବର ପାଇ ମୋଟର ସାଇକଲ(ଓଡି ୦୭ ଇ ୭୩୩୮)ରେ ଘଟଣାସ୍ଥଳକୁ ଦେଖିବାକୁ ଯାଉଥିବା ୩ ସମ୍ପର୍କୀୟ ରାମାନାଜୁ ଗ୍ରାମର ସୁଧିର ମଳିକ(୪୨), ରାଜେନ୍ଦ୍ର ମଳିକ(୪୩) ଓ ହୁଏରୀ ଗ୍ରାମର ରାମ ମଳିକ(୪୫) ରାଇସିଂ ଘାଟି ଗଡ଼ିବା ବେଳେ ଏକ ପିକ୍ଅପ୍ ଭ୍ୟାନ(ଓଡି ୦୭ ଆର ୦୦୮୭) ସହ ମୁହାଁମୁହିଁ ଧକ୍କାରେ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ଜୀବନ ଜୀବିକା ପାଇଁ ଗପଟିମାର ପଟ୍ର ଓ ସବିତା ପ୍ରତିଦିନ ନିଜ ଗ୍ରାମଠାରୁ ଏକ କିଲୋମିଟର ଦୂର କୁଡିମାହା ପାହାଡ଼ରେ ବଗଡ଼ ଚାଷ କରି ପେଟ ପୋଷନ୍ତି। ଆଜି ସକାଳେ ମଧ୍ୟ ସେମାନେ ବଗଡ଼କୁ ଯାଇଥିଲେ। ବଗଡ଼ରେ ଥିବା ତେନ୍ତୁଳି ଗଛର ତେନ୍ତୁଳିଗୁଡ଼ିକୁ ମାଙ୍କଡ଼ ଖାଇ ଦେଉଥିବା ଯୋଗୁଁ ମାଙ୍କଡ଼ ଘଉଡ଼ାଇବା ପାଇଁ ସେମାନେ ଜଗି ବସିଥିଲେ। ସକାଳ ପ୍ରାୟ ୮ଟା ସମୟରେ ପୂର୍ବରୁ ଯୋଜନାବଦ୍ଧ ଭାବେ ସେଠାରେ ଲୁଚି ରହିଥିବା କିଛି ଦୁର୍ବୃତ୍ତ ପ୍ରଥମେ ସେମାନଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇଥିଲେ। ଫଳରେ, ପତି-ପତ୍ନୀ ଦୁହେଁ ଆଉ କୁଆଡ଼େ ଯିବାକୁ ବାଟ ପାଇ ନଥିଲେ। ତାପରେ ଦୁହିଁଙ୍କ ଛରିରେ ଭୁଷି ହତ୍ୟା କରିଥିବା ଅନୁମାନ କରାଯାଉଛି। ତେନ୍ତୁଳିଗଛ ମୂଳରେ ପଟ୍ରର ଶବ ପଡ଼ି ରହିଥିବା ବେଳେ ୫୦ /୬୦ ମିଟର ଦୂରରେ ସବିତାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ଠାବ କରାଯାଇଛି। ଉଭୟଙ୍କ ମୁହଁ ସାରା ଲଙ୍କାଗୁଣ୍ଡ ଲାଗିରହିଛି।
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଓ୍ଵାର୍ଡ ସଭ୍ୟ ଦିଲ୍ଲୀପ ଦଳାଇ ମୋହନା ଥାନାରେ ଜଣାଇବା ପରେ ଘଟଣାସ୍ଥଳରେ ସବ୍ ଇନସ୍ପେକ୍ଟର ପିଙ୍କି ମୁର୍ମୁ, କୃପାସିନ୍ଧୁ ସାର୍କା ସଦଳବଳ ପହଞ୍ଚିଥିଲେ। ଅନୁସନ୍ଧାନ ଆରମ୍ଭ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ଏ ନେଇ ମୋହନା ଥାନାରେ ମକଦ୍ଦମା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲୁ ରହିଥିବା ପୁଲିସ ପକ୍ଷରୁ ପ୍ରକାଶ।
ପଟ୍ରର ଦୁଇଟି ପତ୍ନୀ। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୩ ବର୍ଷ ହେବ ସେ ଜେନାଖାଲ ଗ୍ରାମରୁ ଦ୍ଵିତୀୟ ପତ୍ନୀ ଗ୍ରହଣ କରିଥିଲେ। ପ୍ରଥମ ପତ୍ନୀଙ୍କ ୩ ଜଣ ପୁଅ ଅଛନ୍ତି। ସେଥି ମଧ୍ୟରୁ ଦୁଇଟି ପୁଅ ବାହାରେ ରହୁଥିବା ବେଳେ ପରମଙ୍ଗା ଉନ୍ନୀତ ଊଚ୍ଚ ବିଦ୍ୟାଳୟରେ ପଢୁଥିବା ପୁଅ ସିଁଜୀବ ମଳିକ(୯) ଗତକାଲି ଗପଟିମା ଗ୍ରାମରେ ପୂଜା ପର୍ବ ଚାଲିଥିବା ଯୋଗୁଁ ସେ ବାପାମା’ଙ୍କ ସହ ଆଜି ଆଉ ବଗଡ଼କୁ ଯାଇ ନଥିଲା। ହୁଏତ, ସେ ଉପସ୍ଥିତ ଥିଲେ ଦୁର୍ବୃତ୍ତମାନଙ୍କ କବଳରୁ ତା ଜୀବନ ପ୍ରତି ମଧ୍ୟ ବିପଦ ଯେ ଘନେଇ ଥାନ୍ତା ବୋଲି ମଧ୍ୟ ଏକ ଆଶଙ୍କା ପ୍ରକାଶ ପାଇଥିଲା।
ଏମାନଙ୍କୁ ଦେଖିବା ପାଇଁ ଆସୁଥିବା ସୁଧିର, ରାଜେନ୍ଦ୍ର ଓ ରାମଙ୍କ ଦୁର୍ଘଟଣାରେ ଦେହାନ୍ତ ପରେ କ୍ଷତିପୂରଣ ଦାବି କରି ଅଞ୍ଚଳବାସୀ ଘଣ୍ଟାଏ କାଳ ରାସ୍ତାରୋକ କରିଥିଲେ। ବିଡିଓ ବଂଶୀଧର ଖୋସଲା ଘଟଣାସ୍ଥଳରେ ପହଞ୍ଚି ରେଡକ୍ରସରୁ ୨୦ ହଜାର ଟଙ୍କା ଅନୁକମ୍ପା ରାଶି ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସହାୟତା ଦେବା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/IMG_20200316_154813.jpg)