ଜୟପୁର: ପିଆଜ ଚାଷୀଙ୍କୁ ମିଳିନି ପିଆଜ ବିହନ। ବିହନ ବିଳମ୍ବରେ ମିଳିଲେ ଚାଷ ଓ ଅମଳରେ ହେବ ବାଧାପ୍ରାପ୍ତ। ଗତ ବର୍ଷ ବି ନିମ୍ନମାନର ପିଆଜ ବିହନ ଉଦ୍ୟାନ ବିଭାଗ ଯୋଗାଇବା ଦ୍ବାରା ବହୁ କ୍ଷତିର ସହିଥିବା ଚାଷୀ ଚିତ୍ରସେନ ମିଶ୍ର, ଗୋପାଳ ମାଳି ପ୍ରମୁଖ ଅଭିଯୋଗ କରିଛନ୍ତି। ଏହା ସହ ତୁରନ୍ତ ପିଆଜ ବିହନ ଯୋଗାଇବା ଆଦି ୫ଦଫା ଦାବିକୁ ନେଇ ବୋରିଗୁମ୍ମା ଅଂଚଳର ଶତାଧିକ ଚାଷୀ ମାନେ ଜୟପୁର ଉପକୃଷି ନିର୍ଦେଶକଙ୍କ କାର୍ଯ୍ୟାଳୟକୁ ଘେରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉଦ୍ୟାନ ବିଭାଗର ଜିଲ୍ଲା କୃଷି ଉପନିର୍ଦେଶକ ସଂଜୀବ କୁମାର ମହନ୍ତଙ୍କୁ ଏହି ୫ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ।
ହୁ ହୁ ହୋଇ ସାରା ରାଜ୍ୟରେ ବଢ଼ିବାରେ ଲାଗିଛି ପିଆଜ ଦର। ଜୟପୁର ସହରରେ ଏହା ୯୦ ଟଙ୍କାରେ ପହଞ୍ଚିଥିବା ବେଳେ ଦର ନିୟନ୍ତ୍ରଣ ନହେଲେ ଏହା ଖୁବଶୀଘ୍ର ଶହେ ଟପି ଯିବ। ଆଉ ପିଆଜର ଏପରି ଦର ବୃଦ୍ଧି ଖାଉଟିକୁ ଚିନ୍ତାରେ ପକାଇଛି। ଅନ୍ୟ ପକ୍ଷରେ ପିଆଜ ଦର ବୃଦ୍ଧି ଲାଗି ରହିଥିବା ବେଳେ କୋରାପୁଟର ପିଆଜ ଚାଷୀ ଏବର୍ଷ ଶୀଘ୍ର ପିଆଜ ଅମଳ କରି ଭଲ ଦୁଇ ପଇସା ଲାଭ କରିବା ଆଶାରେ ରହିଥିଲେ। ହେଲେ ଉଦ୍ୟାନ କୃଷି ବିଭାଗ ତରଫରୁ ଚାଷୀଙ୍କୁ ଯୋଗାଇ ଦିଆ ଯାଉଥିବା ବିହନ ଏବେ ପର୍ଯ୍ୟନ୍ତ ବିତରଣ କରାଯାଇନି। ବିଳମ୍ବରେ ପିଆଜ ବିହନ ମିଳିଲେ ଅମଳ ପ୍ରଭାବିତ ହେବାର ଆଶଙ୍କା ରହିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ତେଣୁ ଠିକ ସମୟରେ ବିହନ ଯୋଗାଇବା, ନକଲି ବିହନ ଯୋଗାଣ ତୁରନ୍ତ ବନ୍ଦ, ପିଆଜ ପାଇଁ ଗୋଦାମ ନିର୍ମାଣ, ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ଓ ଅଧିକାରୀ ମାନେ ବିହନ ବେପାରୀଙ୍କ ସହ ମଧୁଚନ୍ଦ୍ରିକା ତୁରନ୍ତ ବନ୍ଦ କରିବା ଏପରି ୫ ଦଫା ଦାବି ନେଇ ସ୍ମାରକପତ୍ର ପ୍ରଦାନ କରି ବୋରିଗୁମ୍ମାର ଶତାଧିକ ଚାଷୀ ଉଦ୍ୟାନ କୃଷି ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
/sambad/media/post_attachments/wp-content/uploads/2020/10/jpr-onion-farmers-1-1024x523.jpg)
ଗୋଦାମ ନଥିବାରୁ ଜମା ରଖିବା ଏବଂ ଶୀତଳଭଣ୍ଡାର ନଥିବାରୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସାଇତି ରଖି ହେଉନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏହା ଫଳରେ ଶାଗମାଛ ଦରରେ ଅମଳ ହେବା ସାଙ୍ଗେ ସାଙ୍ଗେ ୧୦ରୁ ୧୨ଟଙ୍କାରେ କିଲୋକୁ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଚାଷୀ ମାନେ କହିଛନ୍ତି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି କରିଛନ୍ତି ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ। ଖୁବ ଶୀଘ୍ର ଚାଷୀଙ୍କୁ ବିହନ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଏ ବର୍ଷ ଚାଷୀଙ୍କୁ ସିଧାସଳଖ ବିହନରେ ରିହାତି ବଦଳରେ ଚାଷୀ ମାନେ ୫୭୦ଟଙ୍କା ଜମା କଲେ ଜମିକୁ ଜିଓ ଟ୍ୟାଗିଂ କରି ଏକର ପିଛା ୪୧୦୦ ଟଙ୍କା ସବସିଡି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। କୋରାପୁଟ ଜିଲ୍ଲାରେ ଆଳୁ ସହିତ ପିଆଜ ବି ପ୍ରତିବର୍ଷ ଭଲ ଅମଳ ହେଉଛି।ହେଲେ ଭଲ ବିହନ ସାଙ୍ଗକୁ ସଂରକ୍ଷଣ ବ୍ୟବସ୍ଥା ଓ ଚାଷୀଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେଲେ ଏହା ଜିଲ୍ଲାର ଚାଷୀଙ୍କ ଉତ୍ପାଦନ ବଢିବା ସହ ଏହା ଜିଲ୍ଲାବାସୀଙ୍କ ଆବଶ୍ୟକ ଚାହିଦା ପୂରଣ କରି ପାରନ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/jpr-onion-farmers-2.jpg)
