ତିନି କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଘଟଣା: ଠକେଇର ଶିକାର ହୋଇଥିବା ଗ୍ରାହକ-ପୁଲିସ ମୁହାଁମୁହିଁ, ୨ ମହିଳାଙ୍କ ସମେତ ୫ ଅଟକ

ବାସୁଦେବପୁର: ଇଲେକ୍‌ଟ୍ରୋନିକ୍ସ ଓ ଅନ୍ୟ ଘରୋଇ ସାମଗ୍ରୀ ୫୦ ପ୍ରତିଶତ ରିହାତିରେ ଦେବାକୁ କହି ଜଣେ ଅଣ ଓଡ଼ିଆ ଦୋକାନୀ ପ୍ରାୟ ତିନି କୋଟି ଟଙ୍କା ଠକି ନେବା ଘଟଣାକୁ କେନ୍ଦ୍ର କରି ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ସହରରେ ଗ୍ରାହକ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି। ଟଙ୍କା ନେଇ ଦୋକାନୀ ଫେରାର ହୋଇଯାଇଥିବା ବେଳେ ଗ୍ରାହକମାନେ ଦୋକାନରୁ ଜିନିଷ ନେବା ପାଇଁ ଉଦ୍ୟମ କରିଛନ୍ତି। ମାତ୍ର ଏତିକି ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବାରଣ କରିବାରୁ ଉତ୍ତେଜନା ଦେଖାଦେଇଛି। ଟଙ୍କା ହରାଇଥିବା ଗ୍ରାହକମାନେ ରାଜପଥକୁ ଓହ୍ଲାଇ ଟାୟାର ଜାଳି ଉତ୍ତେଜନା ସୃଷ୍ଟି କରିଥିବା ବେଳେ ପୁଲିସ ସେମାନଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରିପୋର୍ଟ ଅନୁସାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ସହରରେ ଜଣେ ଅଣ ଓଡ଼ିଆ ବ୍ୟବସାୟୀ ‘ଦୂର୍ଗା ଏଜେନ୍‌ସି ଅଡର ସପ୍ଲାୟ’ ନାମରେ ଏକ ଦୋକାନ ଖୋଲିଥିଲେ। ସେ ଯେକୌଣସି କମ୍ପାନିର ଜିନିଷ ଲୋକମାନଙ୍କୁ ୫୦ ପ୍ରତିଶତ ଦରରେ ବିକ୍ରି କରୁଥିଲେ। ଫଳରେ ତାଙ୍କ ଦୋକାନରେ ପ୍ରବଳ ଭିଡ଼ ରହୁଥିଲା। ବାସୁଦେବପୁର ବ୍ୟତୀତ ଧାମରା ଅଞ୍ଚଳରୁ ମଧ୍ୟ ଗ୍ରାହକମାନେ ଏଠାକୁ ଆସି ଲମ୍ବା ଲାଇନ ଲଗାଉଥିଲେ।

ଅଣ ଓଡ଼ିଆ ବ୍ୟବସାୟୀଙ୍କ ଦେକାନ ଦିନକୁ ଦିନ ଲେକପ୍ରିୟ ହେବାକୁ ଲାଗିଥିଲା। ଗତ ୨୧ ତାରିଖରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଗ୍ରାହକ ଦୁର୍ଗା ଏଜେନ୍ସିକୁ ଜିନିଷ କିଣିବା ପାଇଁ ପ୍ରାୟ ୩ କୋଟି ଟଙ୍କା ଅଗ୍ରୀମ ଆକାରରେ ଦେଇଥିଲେ। ମାତ୍ର ୨୨ ତାରିଖ ଦିନ ସେ କୁଆଡ଼େ ନିଖୋଜ ହୋଇଯାଇଥିଲେ, ତାହା ଜଣାପଡ଼ି ନଥିଲା। ତାଙ୍କର ଦୋକାନ ବନ୍ଦ ଥିବା ବେଳେ, ସେ ରହୁଥିବା ଭଡ଼ାଘରେ ତାଲା ଝୁଲୁଥିଲା ଏବଂ ମୋବାଇଲ ସୁଇଚଅଫ ଥିଲା। ତାଙ୍କୁ ଯୋଗାଯୋଗ କରିବା ସମ୍ଭବପର ହୋଇପାରି ନ ଥିଲା। ଏହା ପରେ ଗ୍ରାହକମାନେ ବାସୁଦେବପୁର ଥାନାରେ ଠକେଇ ନେଇ ଏତଲା ଦେଇଥିଲେ।

ଆଜି ବାସୁଦେବପୁର ଥାନା ଅଧିକାରିଣୀ ମଧୁମିତା ମହାନ୍ତି, ବାସୁଦେବପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ ବେହେରା, ଅତିରିକ୍ତ ତହସିଲଦାର ରାଧାକାନ୍ତ ବାରିକ, ପୌରପାଳିକା କର୍ମଚାରୀ ଓ ପୁଲିସ ଉପସ୍ଥିତିରେ ଦୁର୍ଗା ଏଜେନ୍‌ସିର ସିଲ ଖୋଲି ଜିନିଷଗୁଡିକୁ ପୁଲିସ ସିଜର ଲିଷ୍ଟ କରି ଗାଡ଼ିରେ ଲୋଡ଼ କରୁଥିବା ବେଳେ ଠକାମିର ଶିକାର ହୋଇଥିବା ଲୋକମାନେ ପୁଲିସର ସିଜକୁ ବିରୋଧ କରି ବାସୁଦେବପୁର-ଅନନ୍ତପୁର ମୁଖ୍ୟ ରାସ୍ତାର ଦେଉଳି ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ଏଥି ସହିତ ଜିନିଷ ଲୋଡ଼ ହୋଇଥିବା ଗାଡ଼ିକୁ ଅଟକାଇଥିଲେ। ପୁଲିସ ଲୋକମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଏହା ପରେ ପୁଲିସ ଲୋକମାନଙ୍କୁ ଘଉଡ଼ାଇ ଥିଲା। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୁଲିସ ମୁତାୟନ କରାଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର