ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ମୃତ ଦନ୍ତାହାତୀ ଘଟଣାରେ ଆଜି ୫ ଜଣଙ୍କୁ ବନ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଜୁଲାଇ ମାସ ୨୯ ତାରିଖ ଦିନ ସଂଧ୍ୟା ୬ଟା ସମୟରେ ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଅନ୍ତର୍ଗତ ବାଲିକିଆରୀ ସଂରକ୍ଷିତ ଜଙ୍ଗଲ ବାରସିଙ୍ଗା ବିଟ ହାଉସ ନିକଟରେ ଚିକିତ୍ସାଧୀନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଗତ ଜୁଲାଇ ମାସ ୩୧ ତାରିଖ ଦିନ ଭୋର ପ୍ରାୟ ସାଢ଼େ ୫ଟା ସମୟରେ ଆଠଗଡ଼ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ନରସିଂହପୁର ଅଞ୍ଚଳରୁ ହାତୀ ଶିକାରୀ ସନ୍ଦେହରେ ୫ଜଣଙ୍କୁ ଉଠାଇ ନେଇ ପଚରା ଉଚରା ଜାରି ରଖିଥିଲା। ତଦନ୍ତରେ ବ୍ୟାଘାତ ହେବା ନେଇ ସେମାନଙ୍କ ପରିଚୟ ଗୁପ୍ତ ରଖାଯାଇଥିଲା।ତେବେ ନରସିଂହପୁର ଥାନା ଅନ୍ତର୍ଗତ ଦେବଭୁଇଁ ପଞ୍ଚାୟତ କନ୍ଧ ଦେବଭୁଇଁ ଗ୍ରାମର ବାମଦେବ ପ୍ରଧାନ, କଣ୍ତାଳ ଗ୍ରାମର ଶଙ୍କର ପରିଡା, ଚାଉଁରିଆ ନାଳୀ ଗ୍ରାମର ନିରଞ୍ଜନ ଆରୁକ, ସୁବାଷ ଗୁରୁ ଓ ବଡମ୍ବା ଥାନା ଅନ୍ତର୍ଗତ ବଡ଼ ବାରସିଂହ ଗ୍ରାମର ଧନିଆ ବେହେରା ସମେତ ୫ ଜଣଙ୍କୁ ଆଜି ଅପରାହ୍ନ ପ୍ରାୟ ସାଢ଼େ ୫ଟା ସମୟରେ ନରସିଂହପୁର ବିଚାର ବିଭାଗୀୟ କୋର୍ଟରେ ହାଜର କରାଯାଇଥିଲା।
ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି ବୋଲି ଫରେଷ୍ଟର ବିଶ୍ୱଜିତ ପୃଷ୍ଟି ସୂଚନା ଦେଇଛନ୍ତି।ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ନରସିଂହପୁର ବନାଞ୍ଚଳରେ ଏକ ମାସ ଅନ୍ତରରେ ଦୁଇଟି ଦନ୍ତାକୁ ଗୁଳିକରି ମାରିବା ଏକ ପ୍ରକାର ହଇଚଇ ସୃଷ୍ଟି କରିଛି। ଦୀର୍ଘ ୫ଦିନ ଧରି ଅଭିଯୁକ୍ତମାନଙ୍କୁ ବନ ବିଭାଗ ପକ୍ଷରୁ ଜେରା କରିବା ପରେ ଆଜି କୋର୍ଟରେ ହାଜର କରାଯାଇଥିଲା। ପ୍ରକୃତ ହାତୀ ଶିକାରୀ ଧରିବାରେ ବନ ବିଭାଗ କେତେ ସକ୍ଷମ ହେଉଛି ତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/WhatsApp-Image-2022-08-05-at-6.44.50-PM.jpeg)