ଛିଡ଼ା ହୋଇଥିବା ହାଇୱାକୁ ଧକ୍‌କା ଦେଲା କାର, ୫ ଗୁରୁତର

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରଠାରୁ ୬ କିମି ଦୂର ୧୪୩ ନଂ ଜାତୀୟ ରାଜପଥର ଲାସେଠାରେ ଗତକାଲି ରାତି ପ୍ରାୟ ୧୦ଟା ବେଳେ ଜେଏଚ୍ ୦୧ ଡିଟି ୦୮୮୬ ନଂ କାର୍ ରାସ୍ତା କଡରେ ଠିଆ ହୋଇଥିବା ଓଡି ୧୪ ଏକ୍ସ ୩୭୯୭ ନଂଏକ ହାଇୱାକୁ ମୁହାଁମୁହିଁ ଧକ୍‌କାଦେବାରୁ କାର୍ ଡ୍ରାଇଭର ସମେତ ୫ ଜଣ ଗୁରୁତର ଅବସ୍ଥାରେ ଆର୍‌ଜିଏଚ୍‌ରେ ଚିକିତ୍ସିତ ହେଉଛନ୍ତି। ରାଉରକେଲାରୁ ସିମଡେଗା ଯାଉଥିବା ଏହି କାର୍‌ରେ ଡ୍ରାଇଭର ସମେତ ୫ ଜଣ ଯାଉଥିଲେ। ଲାସେ ଛକ ପାଖରେ ରାଉରକେଲା ଆଡ଼କୁ ମୁହଁକରି ଛିଡ଼ା ହୋଇଥିବା ହାଇୱାକୁ କାର୍‌ଟି ସାମନାରୁ ଅତି ଦ୍ରୁତଗତିରେ ଆସି ପିଟି ହୋଇଥିଲା। ଫଳରେ ଡ୍ରାଇଭର ଆକାଶ କେର୍କେଟା (୨୫), ପ୍ରକାଶ ସୁରୀନ(୨୧), ରବି ସୁରୀନ(୨୨), ମୋହିତ ଟପ୍ପୋ(୨୨) ଏବଂ ଅଏସ୍ ଡୁଙ୍ଗଡୁଙ୍ଗ(୨୦) ଗୁରୁତର ହୋଇଥିଲେ। ଦୁର୍ଘଟଣା ଶବ୍ଦ ଶୁଣି ଆଖପାଖ ଲୋକେ ଧାଇଁଆସି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଡ୍ରାଇଭର ଷ୍ଟିଅରିଂରେ ଚାପିହୋଇ ଯାଇଥିବାରୁ ବହୁ କଷ୍ଟରେ ବାହାର କରାଯାଇଥିଲା। ଖବରପାଇ ବୀରମିତ୍ରପୁର ପୁଲିସ ଏସ୍‌ଆଇ ଦୋଳମଣି ନାଏକ ଓ ଗଣେଶ ନାଏକ ପ୍ରମୁଖ ପହଞ୍ଚି ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ଗାଡ଼ି ଦୁଇଟିକୁ ଜବତ କରିଛି।

ସମ୍ବନ୍ଧିତ ଖବର