ମୟୂରଭଂଜ: ଟ୍ରକ ଧକ୍କାରେ ସ୍କର୍ପିୟ ଚୁରମାର, ୩ ଗୁରୁତର, ୨ ଆହତ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଦ୍ଵାରଶୁଣୀ ଘଟିରେ ପୁଣି ଦୃର୍ଘଟଣା ଘଟିଛି। ବିଶୋଇ ଥାନା ଅଂଚଳର କିଛି ଯୁବକ ଏକ ସ୍କର୍ପିୟ ନଂ (ଓଡ଼ି ୧୧ଇ ୩୭୫୫)ରେ ବାରିପଦାରୁ ବାହୁଡ଼ାଯାତ୍ରା ଦେଖି ଫେରୁଥିବା ବେଳେ ଶନିବାର ବିଳମ୍ବିତ ରାତିରେ ବିପରୀତ ଦିଗରୁ ଆସୁଥିବା ଟ୍ରକ (ଡବ୍ଲୁବି ୨୩ଓ ୭୫୩୬) ସହିତ ଧକ୍କା ହୋଇଥିଲା। ଦୃର୍ଘଟଣା ଘଟାଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ସ୍କର୍ପିୟରେ ଥିବା ଯାତ୍ରୀଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଓ ଦୁଇ ଜଣ ଆହତ ହୋଇଥିଲେ। ବିଶୋଇ ଥାନା ଅନ୍ତର୍ଗତ ଅସନା ଗ୍ରାମ ର ରାଧାକାନ୍ତ ବିନ୍ଧାଣୀ (୨୮), ଫାଲଗୁନି ନାଏକ (୨୩), ତଳାପାତି ଗ୍ରାମର ରାଜା ବିନ୍ଧାଣୀ (୨୫) ଗୁରୁତର ଆହତ ହେବା ସହିତ ଅସନା ଗ୍ରାମର ଶଂକର ଗିରି ଓ ତଳାପାତି ଗ୍ରାମର ରାକେଶ ବିନ୍ଧାଣୀ ଆହତ ହୋଇଥିଲେ। ଗୁରୁତର ଓ ଆହତଙ୍କୁ ଅଗ୍ନିଶ୍ରମ ବିଭାଗ ଓ ସ୍ଥାନୀୟ ପୁଲିସ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ବାରିପଦା ହସ୍‌ପିଟାଲ ରେଫର କରିଥିଲା। ସେଥିମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାରିପଦାରୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ ଏକ ମାସ ଭିତରେ ୧୦ଟିରୁ ଅଧିକ ଦୁର୍ଘଟଣା ଘଟିଥିବା ବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନ ନେବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର