ସାଇକେଲରେ ପଶ୍ଚିମବଙ୍ଗ ଯାଉଥିବା ୫ ଶ୍ରମିକଙ୍କୁ ଧରିଲା ପୁଲିସ

ରାଉରକେଲା: ଲକ୍‌ଡାଉନ୍‌ ପରେ ବଢ଼ି ଯାଇଛି ଦାଦନ ଶ୍ରମିକଙ୍କ ଦୁଃଖ। ଠିକାଦାର ସେମାନଙ୍କ କଥା ବୁଝୁ ନାହାନ୍ତି। ଏଥିପାଇଁ ଶହ ଶହ ଶ୍ରମିକ ଭୋକ ଉପାସରେ ସାଇକେଲ ଅବା ଚାଲି ଚାଲି ଗାଁକୁ ଫେରୁଛନ୍ତି। ବାଟରେ ପୁଲିସ ସେମାନଙ୍କୁ ଧରି କ୍ବାରେଣ୍ଟିନ୍‌ରେ ରଖୁଛି। ଗତକାଲି ରାତିରେ ଘଟିଛି ଏମିତି ଘଟଣା। ସମ୍ବଲପୁର କାମ କରୁଥିବା ପଶ୍ଚିମବଙ୍ଗ ମୁର୍ସିଦାବାଦର ୫ ଶ୍ରମିକଙ୍କୁ ପୁଲିସ ରାଉରକେଲା ଷ୍ଟେସନରେ ଧରିଛି। ସମସ୍ତଙ୍କୁ ରାତ୍ରୀ ଆଶ୍ରୟସ୍ଥଳୀକୁ ପଠାଇ ଦେଇଛନ୍ତି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗ ମୁର୍ସିଦାବାଦ୍‌ର ୭ ଶ୍ରମିକ ସମ୍ବଲପୁର ଏକ ନିର୍ମାଣକାରୀ ସଂସ୍ଥାରେ କାମ କରୁଥିଲେ। ଏମାନଙ୍କ ମଧ୍ୟରୁ ଦୁଇଜଣ ଲକ୍‌ଡାଉନ୍‌ ପୂର୍ବରୁ ଗାଁକୁ ଫେରି ଯାଇଥିଲେ। ଅନ୍ୟ ୫ ଜଣ ଶ୍ରମିକ ନିର୍ମାଣକାରୀ ସଂସ୍ଥାର ପକ୍ଷରୁ ଦିଆଯାଇଥିବା ଭଡାଘରେ ରହୁଥିଲେ। ଠିକାଦାର ସେମାନଙ୍କୁ କିଛି ଦିନ ଖାଇବାକୁ ଦେବା ପରେ କାରଖାନା ଛାଡି ପଳାଇ ଯାଇଥିଲେ। ଶ୍ରମିକମାନେ ଦୁଇ ଦିନ କିଛି ଖାଇବାକୁ ନ ପାଇବାରୁ ସୋମବାର ସମ୍ବଲପୁର ସାଇକେଲ ଯୋଗେ ଘରକୁ ବାହାରି ଥିଲେ।

ଝାରସୁଗୁଡା, ସୁନ୍ଦରଗଡ ଦେଇ ଗତକାଲି ରାତି ପ୍ରାୟ ୯ଟାରେ ରାଉରକେଲା ରେଳଷ୍ଟେସନରେ ପହଞ୍ଚିଥିଲେ। ଭୋକ ଉପାସରେ ଥିବାରୁ ସେଠାରେ କିଛି ଲୋକ ସେମାନଙ୍କୁ ଖାଇବାକୁ ଦେଇଥିଲେ। ପରେ ପୁଲିସ ଖବର ପାଇ ସେମାନଙ୍କୁ ନେଇଯାଇଥିଲେ। ଲକ୍‌ଡାଉନ୍‌ ପରେ ସେମାନଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇ ଯାଇଥିବା ସହ ଭୋକ ଉପାସରେ ସେମାନଙ୍କୁ ରହିବାକୁ ପଡୁଥିଲା।ସେଥିପାଇଁ ସେମାନେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ସ୍ଥିତ ତାଙ୍କ ଗାଁକୁ ଯିବାପାଇଁ ସାଇକେଲରେ ବାହାରିଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର