ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ; ଦୁଇ ଦିନରେ ୫ ଲକ୍ଷ ଟଙ୍କା ‌ଜରିମାନା ଆଦାୟ

ଖୋର୍ଦ୍ଧା: ଖୋର୍ଦ୍ଧା ଉପଖଣ୍ଡରେ ଲଘୁଖଣିଜ ଦ୍ରବ୍ୟର ବ୍ୟାପକ ଚୋରାଚାଲାଣ ହେଉଥିବା ଖବର ସମ୍ବାଦରେ ଲଗାତର ପ୍ରକାଶିତ ହୋଇଥିଲା। ଖୋର୍ଦ୍ଧା ଉପଖଣ୍ଡରେ ବେଆଇନ କାରବାରକୁ ନିୟନ୍ତ୍ରଣ କରିବାକୁ ଏବେ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଗତ ଦୁଇ ଦିନ ମଧ୍ୟରେ ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ସଂଖ୍ୟାଧିକ ଟ୍ରକ୍, ଟ୍ରାକ୍ଟର ଜବତ କରାଯିବା ସହ ୫ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅନୁଜ ଦାସପଟ୍ଟନାୟକ, ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆଙ୍କ ନେତୃତ୍ୱରେ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା।

ଖୋର୍ଦ୍ଧା ବ୍ଲକ ଓ ପୌରାଞ୍ଚଳରୁ ବେଆଇନ ଭାବେ ପଥର ପରିବହନ କରୁଥିବା ୨ଟି ଟ୍ରକ୍, ଟାଙ୍ଗୀରୁ ୪ଟି, ବେଗୁନିଆରୁ ୨ଟି ଓ ବାଣପୁରରୁ ୨ଟି ଟ୍ରକ୍ ଓ ଟ୍ରାକ୍ଟର ଜବତ ହୋଇଛି। ଏନେଇ ଉପଜିଲ୍ଲାପାଳ ଶ୍ରୀ ବେଉରିଆ କହିଛନ୍ତି ଯେ, ଗତ ୧ ସପ୍ତାହ ଧରି ବିଭିନ୍ନ ଅଞ୍ଚଳର ତହସିଲଦାରଙ୍କ ନେତୃତ୍ୱରେ ଚଢ଼ଉ ଜାରି ରହିଛି। ଗତକାଲି ବେଆଇନ କଳାମୁଗୁନି ପଥର, ମୋରମ ଓ ମାଙ୍କଡ଼ାପଥର ଚାଲାଣ ହେଉଥିବା ଗାଡ଼ିଗୁଡ଼ିକ ଜବତ କରାଯାଇ ଜୋରିମାନା ଆଦାୟ କରାଯାଇଛି। ଖୋର୍ଦ୍ଧା ତହସିଲରୁ ୬୦ହଜାର ଟଙ୍କା, ଟାଙ୍ଗୀ ତହସିଲରୁ ୧ଲକ୍ଷ ୮୭ହଜାର ଟଙ୍କା, ବେଗୁନିଆରୁ ୪୫ହଜାର ଟଙ୍କା, ଚିଲିକାରୁ ୨୦ହଜାର ୧୪୦ଟଙ୍କା, ବାଣପୁରରୁ ୩୫ ହଜାର ଟଙ୍କା ଏଭଳି ମୋଟ ୩ଲକ୍ଷ ୯୭ହଜାର ୧୪୦ଟଙ୍କା ଆଦାୟ କରାଯାଇଥିଲା।

ଆଜି ଜବତ ୧୦ଟି ଗାଡ଼ିଗୁଡ଼ିକରୁ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ବଳକା ଗାଡ଼ି ଗୁଡ଼ିକୁ ଜବତ କରାଯାଇଛି। ସେଗୁଡ଼ିକ ଉପରେ ଆଇନାନୁସାରେ ପଦକ୍ଷେପ ମଧ୍ୟ ନିଆଯିବ। ସୂଚନାଯୋଗ୍ୟ, ଅକ୍ଟୋବର ୨୨ ତାରିଖରେ ବେଗୁନିଆ ତହସିଲରେ ଏକ ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଚଢ଼ଉ କରାଯାଇ ଏକକାଳୀନ ୬ଟି ମିନିଟ୍ରକ୍ ଜବତ କରାଯାଇଥିଲା। ଏହାପରେ କିଛି ଦିନ ପାଇଁ ଚଢ଼ଉ ଧିମେଇ ଯାଇଥିଲା। ଦୁଇଦିନ ପୂର୍ବେ ଚଢ଼ଉ ବେଳେ ବୋଲଗଡ଼ ତହସିଲଦାରଙ୍କୁ ଆକ୍ରମଣ କରାଯାଇଥିଲା। ସେହିଭଳି ୨୦୧୭-୧୮ ଓ ୨୦୧୯-୨୦ରେ ଖୋର୍ଦ୍ଧା ଜିଲ୍ଲା ପ୍ରାଶାସନ ପକ୍ଷରୁ ଚଢ଼ଉ କରାଯାଇ ମୋଟ ୧୨୮ଟି ଟ୍ରକ୍, ଟିପର, ମିନିଟ୍ରକ୍ ଓ ଟ୍ରାକ୍ଟର ଜବତ କରାଯିବା ସହ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା ।

ସମ୍ବନ୍ଧିତ ଖବର