ରାୟଗଡ଼ା/ମୁନିଗୁଡ଼ା/ଲାଞ୍ଜିଗଡ଼: ମୁନିଗୁଡ଼ା ଥାନା କୁମୁଡ଼ାବାଲି ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନ୍ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ମହାଲିଙ୍ଗ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବା ସହ ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ପ୍ରଦାନରେ ବିଫଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ମାଓ ସଂଗଠନ ଦାବି କରିଛି। ଏଥି ସହିତ ମମିତାଙ୍କ ହତ୍ୟା ପଛରେ ହାତ ଥିବା ଉଚ୍ଚସ୍ତରର ଅଫିସର, ରାଜନେତା ଓ ପୁଲିସ୍ ବଳକୁ କଠୋର ଦଣ୍ଡ ଦିଆଯାଉ। ମମିତାଙ୍କ ସଂପର୍କୀୟଙ୍କୁ ଚାକିରୀ ସହ ୫୦ ଲକ୍ଷ କ୍ଷତିପୂରଣ ପ୍ରଦାନ କରିବାକୁ ମାଓ ସଂଗଠନ ଦାବି କରିଛି।
ମମିତା ମେହେର ହତ୍ୟା ଘଟଣା ସାରା ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଥିବାରୁ ନ୍ୟାୟ ପାଇଁ ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଅନ୍ୟ ମନ୍ତ୍ରୀ ଓ ନେତା ସଂପୃକ୍ତି ଥିବାରୁ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ବିଜେପି-କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛନ୍ତି। ପୁରା ଓଡ଼ିଶାବାସୀ ଏହି ଘଟଣା ଉପରେ ନଜର ରଖିଥିବା ବେଳେ ମମିତାଙ୍କୁ ନ୍ୟାୟ ଦାବି କରି ମାଓ ସଂଗଠନ ସ୍ବର ଉତ୍ତୋଳନ କରିବା ସରକାରଙ୍କୁ ହରଡ଼ଘଣାରେ ପକାଇଛି।
ରାଜ୍ୟରେ ମହିଳାଙ୍କ ଉପରେ ନିର୍ଯ୍ୟାତନା ବଢ଼ୁଥିବାରୁ ମାଓ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ବହୁ ଦିନର ବ୍ୟବଧାନ ପରେ ମାଓ ସଂଗଠନ କୌଣସି ଏକ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ପୋଷ୍ଟର୍ ଲଗାଇଛି। ଗତକାଲି ରାତିରେ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ଲଗାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ଆଜି ସକାଳେ ମାଓ ପୋଷ୍ଟର ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦେଶରେ ମୁନିଗୁଡ଼ା ପୁଲିସ୍ ବମ୍ ସ୍କ୍ବାର୍ଡ ସହ କୁମୁଡ଼ାବାଲିରେ ପହଞ୍ଚି ମାଓ ପୋଷ୍ଟରକୁ ଜବତ କରିଛି। ଗତ କିଛି ମାସ ହେଲା ମୁନିଗୁଡ଼ା-କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ମାଓ ସଂଗଠନ ସକ୍ରିୟ ହୋଇ ଉଠିଛି। ଗତ ୨ ମାସ ମଧ୍ୟରେ ମାଓ ସଂଗଠନ ପକ୍ଷରୁ ୩ଟି ସ୍ଥାନରେ ମାଓ ପୋଷ୍ଟର ଲଗାଯାଇଥିବା ବେଳେ ପୁଲିସ୍ ଇନଫର୍ମର ସନ୍ଦେହରେ ମାଓବାଦୀ ଜଣେ ଗ୍ରାମରକ୍ଷୀକୁ ହତ୍ୟା କରିଛନ୍ତି। ଇନଫର୍ମର ଭାବେ କାମ କରୁଥିବା ବହୁ ଯୁବକଙ୍କୁ ପୁଲିସ୍ କାର୍ଯ୍ୟ କଳାପରୁ ଦୂରେଇ ରହିବାକୁ ମାଓ ସଂଗଠନ ଚେତାବନୀ ଦେଇଛି। ମାଓ ପୋଷ୍ଟର ଜବତ ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର୍ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/0a8baa1f-7c17-445d-bf75-3b31987a630e.jpg)