ରାୟଗଡ଼ାରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ: ସର୍ଗିଗୁଡ଼ା, କୁମ୍ଭାରଢ଼ାମୁଣୀ ଟିଏମସି ନିଷିଦ୍ଧାଞ୍ଚଳ ଘୋଷଣା  

 ବେଥିଆପଡ଼ାକୁ ୪୮ ଘଣ୍ଟା ସଟଡାଉନ୍ ଘୋଷଣା କଲେ ସରପଞ୍ଚ

ରାୟଗଡ଼ା: ରାୟଗଡ଼ାରୁ ଆଜି ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୨ ଜଣ ବିଷମକଟକ ବ୍ଲକର କୁମ୍ଭାରଢ଼ାମୁଣୀ ଓ ୩ ଜଣ କାଶୀପୁର ବ୍ଲକ ସର୍ଗିଗୁଡ଼ା ଗ୍ରାମର। ସମସ୍ତଙ୍କୁ ଜେକେପୁରସ୍ଥିତ କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ନୂଆ ପଜିଟିଭ୍ ଚିହ୍ନଟ ପରେ କୁମ୍ଭାରଢ଼ାମୁଣିର ପଡୋଶୀ ପଞ୍ଚାୟତ ବେଥିଆପଡ଼ାକୁ ୪୮ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। ସେହିପରି କୁମ୍ଭାରଢ଼ାମୁଣୀ, ସର୍ଗିଗୁଡ଼ା ଟିଏମସିକୁ ପ୍ରଶାସନ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛି।

ସର୍ଗିଗୁଡ଼ାର ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଦିଲ୍ଲୀ ଫେରନ୍ତାଙ୍କ ଲିଙ୍କରେ ଆକ୍ରାନ୍ତ ହୋଇଛନ୍ତି। ଜଣେ ୧୬ ବର୍ଷ ଓ ଜଣେ ୨୩ ବର୍ଷ ଯୁବକ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ। ୨ଜଣ ସର୍ଗିଗୁଡ଼ା ଟିଏମସିରେ ରହିଥିଲେ। ସ୍ବାବ ପରୀକ୍ଷଣ ପରେ ପଜିଟିଭ୍ ଆସିବା ପରେ ଉଭୟଙ୍କୁ କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସେହିପରି ମେ’ ୨୩ ତାରିଖରେ ଆନ୍ଧ୍ରପ୍ରଦେଶର ନେଲୁରୁ ସହରରୁ ନିଜ ଗାଁ ସର୍ଗିଗୁଡ଼ାକୁ ଫେରିଥିଲେ ୨୧ ବର୍ଷିୟ ଯୁବକ। ଘରକୁ ଫେରିବା ପରେ ୧୪ ଦିନ ଟିଏମସିରେ ରହି ନିଜ ଘରକୁ ଫେରିଥିଲେ। ତେବେ ଘରେ ଥିବା ସମୟରେ ପରୀକ୍ଷା ପାଇଁ ଯାଇଥିବା ସ୍ବାବ ଗତକାଲି ପଜିଟିଭ୍ ଆସିଥିଲା। ପଜିଟିଭ୍ ଚିହ୍ନଟ ପରେ ଯୁବକଙ୍କୁ କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ସହ ସର୍ଗିଗୁଡ଼ା ଝୋଡ଼ିଆ ସାହିକୁ ପୂର୍ବ ଭଳି କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ। ଅନ୍ୟପକ୍ଷରେ ଗତ ଦୁଇ ସପ୍ତାହ ତଳେ ବିଜୟୱାଡାରୁ ଫେରି କୁମ୍ଭାରଢ଼ାମୁଣୀ ଟିଏମସିରେ ଥିବା ଦୁଇ ଜଣଙ୍କ ସ୍ବାବ ପଜିଟିଭ୍ ଆସିଛି। ବିଜୟୱାଡାରେ ଥିବା ସମୟରେ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଏମାନେ ଆସିଥିଲେ।

କଣ୍ଟାକ୍ଟ ଟ୍ରେସିଂ ପରେ ଆନ୍ଧ୍ରପ୍ରଦେଶ ପୁଲିସ୍ ରାୟଗଡ଼ା ପ୍ରଶାସନକୁ ଖବର ଦେବା ପରେ ଟିଏମସିରେ ଥିବା ଦୁଇ ଜଣଙ୍କ ସ୍ବାବ ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ପଠାଯାଇଥିଲା। ଯାହାର ରିପୋର୍ଟ ଗତକାଲି ପଜିଟିଭ୍ ଆସିଛି। ପଜିଟିଭ୍ ଘୋଷଣା ପରେ ବେଥିଆପଡ଼ା ସରପଞ୍ଚ ବାରିକ କାଡ୍ରେକା ନିଜ ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି। ପଞ୍ଚାୟତର ସମସ୍ତ ରାସ୍ତାକୁ ସିଲ୍ କରାଯାଇ ଦୋକାନ, ବଜାର ବନ୍ଦ ରଖିବା ସହ ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ସରପଞ୍ଚ ନିବେଦନ କରିଛନ୍ତି।

କୁମ୍ଭାରଢ଼ାମୁଣୀ, ସର୍ଗିଗୁଡ଼ା ଟିଏମସି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ପ୍ରଶାସନ ଘୋଷଣା କରି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି। ଉଭୟ ଟିଏମସିକୁ ସାନିଟାଇଜ୍ କରି କରୋନା ମୁକାବିଲା ପାଇଁ ପରବର୍ତ୍ତୀ ପଦକ୍ଷେପ ନେଇଛି ସ୍ବାସ୍ଥ୍ୟ ବିଭାଗ। ଜିଲ୍ଲା ଓ ବ୍ଲକସ୍ତରୀୟ ପ୍ରଶାସନିକ ଅଧିକାରୀ ଉଭୟ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦେଇ ସ୍ଥିତି ନିୟନ୍ତ୍ରଣାଧୀନ ପାଇଁ ପ୍ରୟାସ ଚାଲିଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ। ଆଜିର ୫ ଆକ୍ରାନ୍ତଙ୍କୁ ନେଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୫ ଜଣ ଚିକିତ୍ସିତ ହେଉଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। ୫ ଜଣ ଜୟପୁର କୋଭିଡ଼୍ ହସପିଟାଲରେ ଏବଂ ୧୦ ଜଣ ଜେକେପୁରସ୍ଥିତ କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

 

ସମ୍ବନ୍ଧିତ ଖବର