କାଲିମେଳା: ମାଲକାନଗିରି ଜିଲ୍ଲା ମୋଟୁ ପୁଲିସ ଆଜି ୨୯୬ କେଜି ୭ଗ୍ରାମ ଗଂଜେଇ ଜବତ କରିବା ସହିତ ଏଥିରେ ସଂପୃକ୍ତ ୫ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି। ସୂଚନାରୁ ଜଣାପଡ଼ିଛି ଯେ କୌଣସି ସୂତ୍ରରୁ ଖବର ପାଇ ଆଜି ମୋଟୁ ପୁଲିସ ଅନନ୍ତପାଲୀ ଗ୍ରାମ ନିକଟସ୍ଥ କୁର୍ସନପାଲୀ ନଦୀ ଘାଟ ଅଂଚଳରୁ ଏହି ଗଂଜେଇକୁ ଜବତ କରିବାରେ ସଫଳ ହୋଇଥିଲା। ଗଂଜେଇ କାରବାରେ ବ୍ୟବହୃତ ଏକ ଅଟୋ, ଏକ ବାଇକ, ୩୬୦୦ ଟଙ୍କା ଓ ୩ଟି ମୋବାଇଲ ଫୋନ ଜବତ କରାଯାଇଥିବାର ଜଣାପଡ଼ିଛି। ଏଥିରେ ସଂପୃକ୍ତ ଥିବା ୫ଜଣ ଯୁବକମାନଙ୍କ ମଧ୍ୟରେ ଅଛନ୍ତି। ଟାଗରକୋଟାର ମାଡ଼କାମୀ ଭୀମା ଓ ମାଡ଼କାମୀ ସୁବା, ଏମଭି-୨୯ର ଗୋପାଳ ମଣ୍ଡଳ ଓ ଜୀବନ ବିଶ୍ୱାସ, ଏମପିଭି-୭୪ ଗ୍ରାମର ସତିଶ ସରକାର ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବାବେଳେ ଏମାନଙ୍କ ବିରୋଧରେ ମୋଟୁ କେସ ନଂ ୮୭ ଏନଡ଼ିପିଏସ ଦଫାରେ ମାମଲା ରୁଜୁ କରାଯାଇଥିବାର ଜଣାପଡ଼ିଛି।
ଏସଡ଼ିପିଓଙ୍କ ନିର୍ଦେଶରେ ମୋଟୁ ଥାନା ଅଧିକାରୀ ଏସ.କେ ସାହୁଙ୍କ ସମେତ ପୁଲିସ କର୍ମଚାରୀମାନେ ଚଢ଼ାଉ କରି ଏହି ଗଂଜେଇ ଜବତ କରିବାରେ ସଫଳ ହୋଇଥିଲେ। ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାର ସିଲେରୁ ଓ ସାବେରୀ ନଦୀର ବିଭିନ୍ନ ଘାଟ ଦେଇ ପଡ଼ୋଶୀ ରାଜ୍ୟକୁ ଅବାଧରେ ଗଂଜେଇ ଚାଲାଣ କରାଯାଉଥିବାବେଳେ ପୁଲିସ ହାବୁଡ଼ରେ ଅନେକ ଧରାପଡ଼ି ଏବେ ବିଭିନ୍ନ ଜେଲରେ ବନ୍ଦୀଜୀବନ ବିତାଉଥିବାର ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/892739c0-b758-4c19-9361-4dbf239234a6.jpg)