ମଧ୍ୟପ୍ରଦେଶ ଓ ଛତିଶଗଡରୁ ଆସି ହୋଟେଲ ରହୁଥିଲେ ୫ ନକଲି କିନ୍ନର, ନମ୍ବର ବିହୀନ କାର୍‌ ଜବତ

ରାଉରକେଲା: ସହର ଓ ଏହାର ଆଖପାଖରେ ସାଧାରଣ ଜନତା, ବ୍ୟବସାୟୀ ଓ ଅନ୍ୟମାନଙ୍କ ଉପରେ ଜୁଲମ୍‌ କରିବା ଓ ଜୋରଜବରଦସ୍ତ ଘରେ ପଶିବା ଘଟଣାରେ ସେକ୍ଟର-୧୫ ପୁଲିସ ଏକ ନକଲି କିନ୍ନର ଗ୍ୟାଙ୍କର ୫ ଜଣଙ୍କୁ ଅଟକ ରଖିଛି। ଅଟକ ସମସ୍ତ ନକଲି କିନ୍ନର ଛତିଶଗଡ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଏକ ନମ୍ବରବିହୀନ ମାରୁତି କାର୍‌ ଜବତ ହୋଇଛି। ସେମାନେ ଗତ କିଛି ଦିନ ଧରି ରାଉରକେଲା ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ନିକଟସ୍ଥ ଏକ ‌ହୋଟେଲରେ ରହୁଥିଲେ। ତେବେ ସେମାନେ ଅସଲ ନା ନକଲି କିନ୍ନର, ଏ ସଂପର୍କରେ ପୁଲିସ ଏଯାଏ କିଛି ସ୍ପଷ୍ଟ କହିନାହିଁ। କେବଳ କୁହା ଯାଇଛି ଯେ ସେମାନଙ୍କ ଠାରୁ ଜବତ ଆଧାର କାର୍ଡ ଯାଞ୍ଚ କରା ଯାଉଛି। ବାସ୍ତବରେ ସେମାନେ ଅସଲି ନା ନକଲି ତଦନ୍ତ ହେଉଛି।

ମିଳିଥିବା ସୂଚନା ମୁତାବକ, ଏହି ୫ ଜଣିଆ ନକଲି କିନ୍ନର ଗ୍ୟାଙ୍ଗ ରାଉରକେଲାର ଏକ ହୋଟେଲରେ ଭଡାରେ ରହୁଥିଲେ। ସେମାନେ ଏକ ନମ୍ବରବିହୀନ କାର୍‌ରେ ବିଶ୍ରା, ଜଗଦା ସମେତ ରାଉରକେଲାର ପ୍ରମୁଖ ବଜାର, ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଇ ସାଧାରଣ ଲୋକଙ୍କୁ ଟଙ୍କା ମାଗୁଥିଲେ। ଯେଉଁମାନେ ଟଙ୍କା ଦେଉ ନଥିଲେ ସେମାନଙ୍କୁ ନାନା ହଇରାଣ ହରକତ କରୁଥିଲେ। କିଛି ଲୋକ ଏ ସଂକ୍ରାନ୍ତରେ ସୁନ୍ଦରଗଡ କିନ୍ନର ଆସୋସିଏସନର ସାଧାରଣ ସମ୍ପାଦିକା ଜୟା ତ୍ରିପାଠୀଙ୍କୁ ଜଣାଇଥିଲେ। ଜୟା ତ୍ରିପାଠୀଙ୍କ ନେତୃତ୍ବରେ ଏକ କିନ୍ନର ଟିମ୍‌ ରାଉରକେଲା ଜଗଦା ଅଞ୍ଚଳରୁ ନକଲି କିନ୍ନର ଗ୍ୟାଙ୍ଗକୁ ଧରି ସେକ୍ଟର-୧୫ ଥାନାରେ ଜିମା ଦେଇଥିଲେ। ଜୟା ତ୍ରିପାଠୀ କହିଛନ୍ତି, ଏମାନେ ବାସ୍ତବରେ ନକଲି କିନ୍ନର। ସେମାନେ ସୁନ୍ଦରଗଡରେ କିନ୍ନର ସମାଜକୁ ବଦ୍‌ନାମ କରୁଛନ୍ତି। ଏମାନଙ୍କ ନାଁରେ ପୂର୍ବରୁ ରଘୁନାଥପାଲୀ ଥାନାରେ ଅପରାଧୀକ ମାମଲା ରହିଛି। ସେକ୍ଟର-୧୫ ପୁଲିସ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ସୁନ୍ଦରଗଡ କିନ୍ନର ସମାଜ ଦରକାର ପଡ଼ିଲେ ଥାନା ଘେରାଉ କରିବାକୁ ବାଧ୍ୟ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର