ବ୍ରହ୍ମପୁର: ଗଂଜେଇ ଚାଲାଣ ମାମଲାର ଶୁଣାଣି କରି ଏଡିଜେ-୩ ନିରଂଜନ ଜେନା ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ ୫ଜଣ ଅଭିଯୁକ୍ତଙ୍କୁ ୧୪ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୨ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ କୋର୍ଟ ଚୂଡ଼ାନ୍ତ ରାୟ ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ଅଡ଼ବାର ଜିତେନ୍ଦ୍ର ସିଂ, କୁଞ୍ଜବିହାରୀ ମହାପାତ୍ର, ଟୁନା ନାୟକ, ସୁରେଶ କୁମାର ନାୟକ ଓ ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟର ଗୋବିନ୍ଦ ମାଳି।
ଗତ ୨୦୧୬ ନଭେମ୍ବର ୨୪ ତାରିଖରେ ଗୋସାଇଁ ନୂଆଗାଁ ଥାନା ପୁଲିସ ଅନ୍ଧପସରା ରୋଡ଼ରେ ବ୍ଲକିଂ କରି ଗାଡ଼ି ଯାଞ୍ଚ କରୁଥିଲା। ଆମ୍ବ ବଜାର ଦିଗରୁ ହଳଦିଆପଦର ପଟେ ଯାଉଥିବା ଏକ କାର୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡ଼ିରେ ଗଂଜେଇ ଭର୍ତ୍ତି ରହିଥିବା ଜଣାପଡ଼ିଥିଲା। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଗାଡ଼ି ଭିତରୁ ମୋଟ ୧୭୧କେଜି ଗଂଜେଇ ଜବତ କରାଯାଇଥିଲା। ଗଜପତିରୁ ଗଂଜେଇ ଆଣି ବ୍ରହ୍ମପୁର ଦେଇ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଥିଲା ବୋଲି ତଦନ୍ତରେ ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ କେସ୍ ନମ୍ବର ୮୫/୧୬ରେ ପୁଲିସ ଡ୍ରାଇଭର୍ ସମେତ ୫ଜଣଙ୍କୁ ଗିରଫ କରିଥିଲା।
ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଗୋସାଇଁ ନୂଆଗାଁ ଥାନା ଅଧିକାରୀ ରମେଶ ଦାଶ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ଘଟଣା ପର ଠାରୁ ସମସ୍ତ ଅଭିଯୁକ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। ଏହି ମାମଲାର ବିଚାରଣା ବେଳେ ମୋଟ ୧୩ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଆବଶ୍ୟକ ପ୍ରମାଣ ଥିବା ଯୋଗୁଁ କୋର୍ଟ ଅଭିଯୁକ୍ତମାନଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଟଙ୍କା ନଦେଲେ ଅଧିକ ୨ବର୍ଷ ଜେଲଦଣ୍ଡ ଦେବାକୁ ନିର୍ଦ୍ଦେଶ ରହିଛି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନରେଶ ପ୍ରସାଦ ପାତ୍ର ମକଦ୍ଦମା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/arrests.jpg)