ଠିକାଦାରଙ୍କୁ ହତ୍ୟା ଉଦ୍ୟମ ମାମଲା, ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ

କୋରାପୁଟ: କୋରାପୁଟ ସହକାରୀ ଦୌରା ଜଜ ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତ ମନୁ ଦୁରିଆଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏହି ରାୟ ଶୁଣାଇଛନ୍ତି ବିଚାରପତି ନିଶା ସାମଲ। ସୁନାବେଡା ଥାନା ଅନ୍ତର୍ଗତ କାକିଗାଁ ଗ୍ରାମର ଅଭିଯୁକ୍ତ ମନୁ ଦୁରିଆଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦୦୦ ଟଙ୍କା ଜୋରିମାନା ଶୁଣାଇଛନ୍ତି। ଜରିମାନା ଅନଦେୟ ହେଲେ ଆଉ ୩୦ଦିନ ଅଧିକ କାରାଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି। ସୂଚନା ଅନୁଯାୟୀ, ଗତ ୧୯ ମେ ୨୦୧୪ ତାରିଖ ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅନ୍ତର୍ଗତ କାକି ଗାଁ ଗ୍ରାମର ଠିକାଦାର ଧନୁର୍ଯ୍ୟୟ କଣ୍ଟାଙ୍କୁ ସେହି ଗ୍ରାମର ମନୁ ଦୁରିଆ ଓ ପତି କଣ୍ଟା ଏକ ରାସ୍ତା କାମକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ଆହତ ଧନୁର୍ଯ୍ୟୟ କଣ୍ଟାଙ୍କ ସ୍ତ୍ରୀ ପଦ୍ମା କଣ୍ଟା ସୁନାବେଡା ଥାନାରେ ଏତଲା ଦେଇଥିଲେ।
ଥାନାରେ ଏତଲା ଦେବାପରେ  ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୮୭/୩୦୭/୫୦୬/୩୪ ଅନୁଯାୟୀ ସୁନାବେଡା ଥାନାରେ କେଶ ନମ୍ବର ୩୨/୨୦୧୪ ରୁଜ୍ଜୁ ହୋଇଥିଲା। ସୁନାବେଡା ପୁଲିସ ଘଟଣାର ତଦନ୍ତ କରି  ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। ପରବର୍ତ୍ତୀ ସମୟରେ କୋରାପୁଟ ସହକାରୀ ଦୌରା ଜର୍ଜଙ୍କ ଅଦାଲତରେ କେଶ ନମ୍ବର ସିଟି ୧୫୮/୨୦୧୪ ରେ ବିଚାର ଚାଲିଥିଲା। ମାମଲାଟି ବିଚାରାଧୀନ ଥିବାବେଳେ ଅଭିଯୁକ୍ତ ପତି କଣ୍ଟାଙ୍କ ଦେହାନ୍ତ ହୋଇଯାଇଥିଲା। ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ମାନ୍ୟବର ବିଚାରପତି ଆଜି ଉପରୋକ୍ତ ରାୟ ଶୁଣାଇଛନ୍ତି। ଏହି ମାମଲାଟିକୁ ସରକାରୀ ଓକିଲ ବିଦ୍ୟାଧର ସାହୁ ପରିଚାଳନା କରିଥିଲେ।
ସମ୍ବନ୍ଧିତ ଖବର