ନାବାଳିକା ଦୁଷ୍କର୍ମକାରିକୁ ୫ ବର୍ଷ ସଶ୍ରମ କାରାଦଣ୍ଡ, ସ୍କୁଲରୁ ଫେରିବା ବେଳେ ହୋଇଥିଲେ ଦୁଷ୍କର୍ମର ଶିକାର

ବାରିପଦା: ପାଠ ପଢ଼ା ସାରି ବିଦ୍ୟାଳୟରୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ। ଆଉ ଆଜି ଉକ୍ତ ନାବାଳିକା (୧୩) ଦୁଷ୍କର୍ମକାରିକୁ ୫ ବର୍ଷ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍‌ ତଥା ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ୱତନ୍ତ୍ର ବିଚାରପତି ମହେନ୍ଦ୍ର କୁମାର ସୂତ୍ରଧର। ଦୁଷ୍କର୍ମ ମାମଲାର ବିଚାର କରି ଅପରାଧିକୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୩ ମାସ ଜେଲ ଦଣ୍ଡାଦେଶ ସଜା ଦେଇଛନ୍ତି ବିଚାରପତି। ବାରିପଦା ଟାଉନ ଥାନା ଅଧୀନରେ ଅକ୍ଟୋବର ୨୦୧୬ରେ ଘଟିଥିଲା ଏହି ଘଟଣା। ଅଭିଯୁକ୍ତ ସୁଶାନ୍ତ ବିନ୍ଧାଣି ସ୍କୁଟିରେ ସ୍କୁଲରୁ ଫେରୁଥିବା ପୀଡ଼ିତା ନାବାଳିକାଙ୍କୁ  ଅପହରଣ କରିନେଇ ଏକ ନିଛାଟିଆ ଜାଗାରେ ବଳପୂର୍ବକ ଦୂଷ୍କର୍ମ କରିଥିଲେ।

ସ୍କୁଲରୁ ଫେରିବାରେ ବିଳମ୍ବ ହେବାରୁ ଘର ଲୋକେ ପିଲାକୁ ଖୋଜାଖୋଜି କରୁଥିବା ବେଳେ ଅପରାହ୍ନ ୪ଟା ବେଳେ ଅଭିଯୁକ୍ତ କବଳରୁ ନବାଳିକା ଉଦ୍ଧାର କରିଥିଲେ। ଏନେଇ ୨୭ ଅକ୍ଟୋବର ୨୦୧୬ରେ ଥାନାରେ ଅଭିଯୋଗ କରିବାରୁ ପୁଲିସ ସେହିଦିନ ଆସାମୀକୁ ଗିରଫ କରିଥିଲା। ଗିରଫ ଦିନ ଠାରୁ ଅଭିଯୁକ୍ତ ବିଚାରାଧୀନ କଏଦୀ ଭାବରେ ଜେଲ ହାଜତରେ ଥିଲେ। ତେବେ ଏହି ମାମଲା ସ୍ୱତନ୍ତ୍ର ଅଦାଲତରେ ବିଚାରାଧୀନ ଥିବା ବେଳେ, ସ୍ୱତନ୍ତ୍ର ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ। ଏହି ମାମଲାରେ ମାନ୍ୟବର ବିଚାରପତି ସୂତ୍ରଧର ଘଟଣାରେ ୧୬ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣକୁ ବିଚାର କରି ଆସାମୀ ସୁଶାନ୍ତ ବିନ୍ଧାଣିକୁ ୫ବର୍ଷ ଜେଲଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୩ମାସ ଜେଲ ଦଣ୍ଡ ରାୟ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର