ଜଗତସିଂହପୁର ଟାଉନ୍: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଡ଼ୁଥିବା ହାଇମାଷ୍ଟ୍ ଜାତୀୟ ପତାକାରେ କଣା। ତ୍ରିରଙ୍ଗାର ଉପର ଭାଗରେ ଏହି କଣା ଦେଖିବାକୁ ମିଳିଛି। କେତେକ ଲୋକ ଏହା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ପ୍ରାୟ ଦୁଇ ମାସ ପୂର୍ବେ ପତାକାର ସିଲେଇ ଫିଟି ଯିବାରୁ ଏହା ଚିରିଗଲା ଭଳି ଦେଖା ଯାଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହ ଜାତୀୟ ପତାକାକୁ ଅସମ୍ମାନ ହୋଇଥିଲା। କାରଣ କିଛି ଦିନ ଧରି ଏହି ପତାକା ଉଡ଼ିଥିଲା।
ଏହା ପରେ ପୁଣି ପତାକା ଖୋଲାଯାଇ ସିଲାଇ କରାଯିବା ପରେ ଲଗା ଯାଇଥିଲା। ଏବେ ପତାକାରେ କଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ହାଇମାଷ୍ଟ୍ ପତାକା ଲଗା ଯାଇଥିବା ବେଳେ ସିଲାଇ ଫିଟିଯିବା, କଣା ହୋଇଯିବା ସହ ଅସମ୍ମାନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଅଳିଆ ଆବର୍ଜନା, ମରିଗଲା ଗଛ
ଜାତୀୟ ପତାକା ତଳେ ଲାଇଟ୍ ଲଗା ଯାଇଥିବା ବେଳେ ପାହାଚ ମଧ୍ୟ କରାଯାଇଛି। ଏଠାରେ ବସିବା ବ୍ୟବସ୍ଥା ମଧ୍ୟ ରହିଛି। ୨୦୨୨ ଅଗଷ୍ଟ ୧୫ରେ ଏହାର ଉଦ୍ଘାଟନ କରାଯାଇଥିଲା। ମାତ୍ର ବର୍ଷେ ନ ହେଉଣୁ ତଳେ ସୌନ୍ଦର୍ଯ୍ୟ ପାଇଁ ରଖା ଯାଇଥିବା ଫୁଲକୁଣ୍ଡ ଭାଙ୍ଗିଗଲାଣି। ପ୍ଲାଷ୍ଟିକ୍ ବୋତଲ, ପଲିଥିନ୍, ଖାଦ୍ୟ ପୁଡ଼ିଆ ଓ ଅଳିଆ ପଡ଼ି ଆବର୍ଜନାମୟ ହୋଇଗଲାଣି। ସୌନ୍ଦର୍ଯ୍ୟୀକରଣ ପାଇଁ ଲଗା ଯାଇଥିବା ଗଛ ରକ୍ଷଣାବେକ୍ଷଣ ଅଭାବରୁ ମରିଗଲାଣି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ହାଇମାଷ୍ଟ୍ ଲଗାଯାଇଥିବା ବେଳେ ଏତେଶୀଘ୍ର ଆବର୍ଜନାମୟ ହୋଇ ପଡ଼ିବା ନେଇ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। କେବଳ ଉଦ୍ଘାଟନ ପାଇଁ ତରବରିଆ ଭାବେ ଫୁଲକୁଣ୍ଡରେ ପଲିଥିନ୍ ସହ ଗଛ ରଖା ଯାଇଥିଲା ବୋଲି କୁହାଯାଉଛି।