ରାଉରକେଲା: ପୂର୍ବ ଘୋଷଣା ଅନୁଯାୟୀ ଗତ ୨୬ ତାରିଖରୁ ରାଉରକେଲା-କୋଲକାତାକୁ ସିଧାସଳଖ ବିମାନ ସେବା ଆରମ୍ଭ ହେଲା। ସପ୍ତାହକୁ ତିନି ଦିନ (ମଙ୍ଗଳବାର, ଗୁରୁବାର ଓ ଶନିବାର) ଚାଲିବ ବୋଲି ସମୟ ଧାର୍ଯ୍ୟ କରାଗଲା। ପ୍ରଥମ ଦିନ ଅର୍ଥାତ୍‌ ମଙ୍ଗଳବାର ବିମାନ ବାତିଲ ହେଲା। ଯାତ୍ରୀମାନେ ଫେରିଗଲେ। ଗୁରୁବାରଠୁ ସ୍ବାଭାବିକ ହୋଇଯିବ କମ୍ପାନି ପକ୍ଷରୁ କହାଗଲା। ହେଲେ ମଙ୍ଗଳବାର ପରି ଗୁରୁବାର ମଧ୍ୟ କୋଲକାତାରୁ ରାଉରକେଲା ବିମାନ ଆସିଲାନି। କେବଳ ରାଉରକେଲାରୁ କୋଲକାତା ନୁହେଁ ବରଂ ରାଉରକେଲାରୁ ଭୁବନେଶ୍ବର ମଧ୍ୟ ସେହି ଦଶା। ଭୁବନେଶ୍ବରକୁ ମାସେ କି ଦୁଇମାସ ନୁହେଁ ବିମାନସେବା ଆରମ୍ଭ ହେବା ଦିନଠୁ ସମସ୍ୟା ଲାଗି ରହିଛି। ଆବଶ୍ୟକ ଦୃଶ୍ୟତା (ଭିଜିବିଲିଟି) ନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ବିମାନ କମ୍ପାନି ଆଲିଆନ୍ସ ଏୟାର୍‌ ପକ୍ଷରୁ ସଫେଇ ଦିଆଯାଉଛି। ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ରାଉରକେଲା-ଭୁବନେଶ୍ବର ଓ ରାଉରକେଲା-କୋଲକାତା ଯେଉଁ ବିମାନ ଯାତାୟତ କରୁଛି, ସେହି ବିମାନ କୋଲାକାତାରୁ ଅନ୍ୟ ସହରକୁ ମଧ୍ୟ ଯାଉଛି। ଘରୋଇ ବିମାନ କମ୍ପାନି ‘ଆଲିଆନ୍ସ ଏୟାର’ର ଗୋଟିଏ ମାତ୍ର ବିମାନ ଦିନକରେ ରାଜ୍ୟର ବିଭିନ୍ନ ସହରକୁ ଯାଉଥିବାରୁ ସମୟ ସ୍ବଳ୍ପତା କାରଣରୁ ଏଭଳି ଜଟିଳ ସମସ୍ୟା ଉପୁଜୁଥିବା କୁହାଯାଉଛି। ବାରମ୍ବାର ବିମାନ ବାତିଲ ହେଉଥିବାରୁ ଦିନକୁଦିନ ବିମାନ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଛି। ପୂର୍ବରୁ ରାଉରକେଲାରୁ ଯେତିକି ଯାତ୍ରୀ ଭୁବନେଶ୍ବର ଓ କୋଲାକାତା ଯାଉଥିଲେ, ଏବେ ତା’ର ପ୍ରାୟ ୨୦ରୁ୩୦% କମ୍‌ ଯାତ୍ରୀ ଟିକଟ୍‌ କରୁଛନ୍ତି।

Advertisment

ଯେବେଠୁ ବାରମ୍ବାର ବିମାନ ବାତିଲ ହେଉଛି, ସେବେଠୁ ଏଭଳି ସମସ୍ୟା ଦେଖାଦେଇଛି। ଗୁରୁବାର ଆଲିଆନ୍ସ ଏୟାର କୋଲକାତାରୁ ବାହାରି ରାଉରକେଲାରେ ପହଞ୍ଚିବାର ଥିଲା। ତା’ପରେ ରାଉରକେଲାରୁ ବାହାରି ଭୁବନେଶ୍ବର ଯାଇଥାନ୍ତା। ପୁଣି ଭୁବନେଶ୍ବରରୁ ବାହାରି ରାଉରକେଲାରେ ଅପରାହ୍ନ ୩ଟା ୫୫ ମିନିଟ୍‌ରେ ପହଞ୍ଚି ସଂଧ୍ୟା ୫ଟା ୧୫ ମିନିଟ୍‌ରେ କୋଲକାତା ଫେରିଥାଆନ୍ତା। ହେଲେ ନା କୋଲକାତା ନା ଭୁବନେଶ୍ବର କୋଉଠିକୁ ବି ଉଡ଼ିଲାନି। ଘଣ୍ଟାଘଣ୍ଟା ଅପେକ୍ଷା କରି ପ୍ରାୟ ୭୦ରୁ ଅଧିକ ଯାତ୍ରୀ ବିମାନବନ୍ଦରରୁ ଫେରି ଯାଇଥିଲେ। ଯାତ୍ରୀଙ୍କ ଟିକେଟ୍‌ ଭଡ଼ା ଫେରାଇ କାମ ସାରି ଦେଇଥିଲା। ଆଲିଆନ୍ସ ଏୟାର ଶେଷ ମୁହୂର୍ତ୍ତରେ ବିମାନ ବାତିଲ ସଂପର୍କରେ ଘୋଷଣା କରୁଥିବାରୁ ଅପେକ୍ଷାରତ ଯାତ୍ରୀମାନେ ନିଜ ଗନ୍ତବ୍ୟକୁ ଯିବା ପାଇଁ ଅନ୍ୟ କୌଣସି ବିକଳ୍ପ ବି ପାଇପାରୁ ନାହାନ୍ତି। ଶୁକ୍ରବାର ଭୁବନେଶ୍ବର-ରାଉରକେଲା ଓ ରାଉରକେଲା- ଭୁବନେଶ୍ବର ମଧ୍ୟର ବିମାନ ସେବା ବାତିଲ ହୋଇଥିଲା। ୩୨ ଜଣ ଯାତ୍ରୀ ରାଉରକେଲା ବିମାନବନ୍ଦରୁ ନିରାଶ ହୋଇ ଘରକୁ ଫେରିଥିଲେ। କିପରି ନିୟମିତ ବିମାନ ଚାଲିବ, ଏଥିପ୍ରତି କମ୍ପାନି ଆଦୌ ଗୁରୁତ୍ବ ଦେଉ ନଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଏମିତି ସ୍ଥିତି ଜାରି ରହିଲେ, ରାଉରକେଲାରୁ ବିମାନସେବା ସଂପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଆଶଂକା କରାଯାଉଛି। ଆସନ୍ତା ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ତା’ ପୂର୍ବରୁ ଦୈନିକ ବିମାନସେବା ବାରମ୍ବାର ବାତିଲ ହେବା, ସରକାରଙ୍କ ଚିନ୍ତା ବଢ଼ାଇଛି। ଖେଳାଳିଙ୍କ ଯିବାଆସିବା ପାଇଁ ସରକାର କିଛି ବିକଳ୍ପ ବ୍ୟବସ୍ଥା କରିପାରନ୍ତି ବୋଲି ଆଲୋଚନା ହେଉଛି।