ଜୟପୁର: ପୁଣି ଆଉ ଦୁଇ ଦିନ ପାଇଁ ଇଣ୍ଡିଆ ୱାନ ଏୟାର ବିମାନ ଚଳାଚଳକୁ ବାତିଲ୍ କରିଥିବା ସୂଚନା ମିଳିଛି। ଭୁବନେଶ୍ବର –ଜୟପୁର, ଜୟପୁର- ବିଶାଖାପାଟଣା, ବିଶାଖାପାଟଣା-ଜୟପୁର, ଜୟପୁର–ଭୁବନେଶ୍ବର ଯିବା ପାଇଁ ଟିକେଟ ଅଗ୍ରିମ ସଂରକ୍ଷିତ କରିଥିବା ଯାତ୍ରୀମାନଙ୍କୁ ଆଜି ଫୋନ ଯିବା ପରେ ପୁଣି ଯାତ୍ରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ମାସରେ କେବେ ବିଳମ୍ବରେ ତ ଆଉ କେତେବେଳେ ବାତିଲ ହେବା ପ୍ରକ୍ରିୟାରେ ଭୁବନେଶ୍ବର-ଜୟପୁର ବିମାନ ଚଳାଚଳ କରୁଛି। ଏପରିକି ବହୁ ସମୟରେ ଜୟପୁରରୁ ବିଶାଖାପାଟଣା ବିମାନ ବି ଯାଉନାହିଁ। ଗତ ୧୫ତାରିଖ ଦିନ ବିମାନ ଭୁବନେଶ୍ବରରୁ ଜୟପୁର ଆସି ବିମାନବନ୍ଦରର ଆକାଶ ଉପରେ ଛଅ ଚକ୍କର କାଟି ପୁଣି ଭୁବନେଶ୍ବରକୁ ଫେରି ଯାଇଥିଲା।
ଗତକାଲି ଠାରୁ ସାମାନ୍ୟ ପାଗ କୋହଲା ଥିବାବେଳେ ଆଜି ସକାଳଠାରୁ ଝିପିଝିପି ବର୍ଷା ଲାଗି ରହିଛି। ଅପରପକ୍ଷରେ ଇଣ୍ଡିଆ ୱାନ ଏୟାର ପକ୍ଷରୁ ପାଗକୁ ଦେଖିକି ଯନ୍ତ୍ରାଂଶ ମରାମତି ନାଁରେ ଆଜି ଓ ଆସନ୍ତାକାଲିର ଯାତ୍ରାକୁ ବାତିଲ୍ କରିଥିବା ସୂଚନା ମିଳିଛି। ପୁଣି ୧୯ ତାରିଖ ପାଇଁ ଟିକେଟ ବୁକିଂ ହେଉଥିବା ସୂଚନା ମିଳିଛି। ଏହି ବର୍ଷା ମାସ ଏଭଳି ସ୍ଥିତି ଲାଗି ରହିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ବିମାନବନ୍ଦରର ଜଣେ କର୍ମଚାରୀ ନିଜ ନାଁକୁ ଗୋପନରେ ରଖି କହିଛନ୍ତି। ଡିଜିସିଏ୍ ପକ୍ଷରୁ ପାଗ ନିରୀକ୍ଷଣ ପାଇଁ କିଛି ନୂଆ ନୂଆ ଅତ୍ୟାଧୁନିକ ଯନ୍ତ୍ରାଂଶ ଲଗାଇବାକୁ ଦେଇଥିବା ପରାମର୍ଶ ବି କାର୍ଯ୍ୟକାରୀ ହୋଇନଥିବା ସୂଚନା ମିଳିଛି। ତେଣୁ ଏଭଳି ସମସ୍ୟା ବାରମ୍ବାର ଉପୁଜୁଛି ବୋଲି ସୂଚନା ମିଳିଛି। ବାରମ୍ବାର ବାତିଲ ଏବଂ ଆକାଶରୁ ଅବତରଣ କରି ନ ପାରି ଫେରିଯିବା ଘଟଣାକୁ ପ୍ରଶାସନ ଗୁରୁତର ସହ ନେଉ। କେଉଁ ପରିସ୍ଥିତିରେ ବାରମ୍ବାର ଏଭଳି ସମସ୍ୟା ଉପୁଜୁଛି ତାହାର ଦୀର୍ଘ ସ୍ଥାୟୀ ସମାଧାନ କରାଯାଉ ବୋଲି ଦାବି ହୋଇଛି।