୩ ଦିନରେ ବାତିଲ୍‌ ହେଲାଣି ୬ ବିମାନ

ଝାରସୁଗୁଡ଼ା: ପୁଣି ଚର୍ଚ୍ଚାରେ ରାଜ୍ୟର ଦ୍ବିତୀୟ ତଥା ଝାରସୁଗୁଡ଼ାସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରଥମ ବିମାନ ବନ୍ଦର। ପ୍ରାୟ ସମୟରେ ବିମାନବନ୍ଦରର କୌଣସି ନା କୌଣସି ବିମାନ ବାତିଲ୍‌ ହେଉଥିବାରୁ ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ବି ଅସନ୍ତୋଷ ଦେଖାଦେଲାଣି। ଗତ ୩ ଦିନରେ ଅର୍ଥାତ୍‌ ୨୭, ୨୮ ଓ ୨୯ ତାରିଖ ସ୍ପାଇସ୍‌ ଜେଟ୍‌ର ୬ଟି ବିମାନ ବାତିଲ୍‌ ହୋଇଛି। ଏହା ମଧ୍ୟରେ ହାଇଦ୍ରାବାଦ ଓ ଦିଲ୍ଲୀ ବିମାନ ମଧ୍ୟ ରହିଥିବା ଜଣାପଡ଼ିଛି। ଗତ ୧୫ ଦିନର ଚିତ୍ରକୁ ଦେଖିଲେ ସ୍ପାଇସ୍ ଜେଟ୍‌ର ୧୨ ବିମାନ ବାତିଲ୍‌ ହେଲାଣି।

ଏଭଳି ସ୍ଥିତିରେ ଝାରସୁଗୁଡ଼ା ବିମାନ ବନ୍ଦର ପ୍ରତି ଲୋକଙ୍କ ଭରସା ତୁଟିବାରେ ଲାଗିଛି। ବିମାନ ବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରିଙ୍କୁ ପଚାରିବାରେ, ସ୍ପାଇସ୍ ଜେଟ୍‌ କାହିଁକି ବାରମ୍ବାର ବାତିଲ୍‌ କରୁଛି ତାହା ସେ ହିଁ କହିପାରିବ ବୋଲି ଉତ୍ତର ଦେଇଛନ୍ତି। ୧୦ ଜୁଲାଇରୁ ଝାରସୁଗୁଡ଼ା ଭିଏସ୍‌ଏସ୍‌ ବିମାନ ବନ୍ଦରରୁ କୋଲକାତା ଓ ବିଶାଖାପାଟଣାକୁ ସ୍ପାଇସ୍ ଜେଟ୍‌ର ନୂଆ ବିମାନ ଉଡ଼ିବ ବୋଲି ଘୋଷଣା କରିଥିଲେ। ମାତ୍ର ଜୁଲାଇ ୧୦ ଯାଇ ଏବେ ସେପ୍ଟେମ୍ବର ୧୦ ସରିଥିବା ବେଳେ ଏହି ରୁଟ୍‌ରେ ସ୍ପାଇସ୍‌ ଜେଟ୍‌ର ବିମାନ ଉଡ଼ାଣ ଭରିପାରି ନାହିଁ।

ସମ୍ବନ୍ଧିତ ଖବର