ଘନ କୁହୁଡ଼ି ହେଲା କାଳ, ଚାରିଘେରା ମାରି ବିଶାଖାପାଟଣାରୁ ଭୁବନେଶ୍ବର ଫେରିଗଲା ବିମାନ

ଜୟପୁର: ଗତ ପ୍ରାୟ ଏକ ସପ୍ତାହ ହେବ କୋରାପୁଟ ଜିଲ୍ଲାରେ ଘନ କୁହୁଡି ଦେଖାଦେଉଛି। ସକାଳ ପ୍ରାୟ ୯ ଟା ପର୍ଯ୍ୟନ୍ତ ଏହି ଘନ କୁହୁଡି ଅନୁଭୁତ ହେଉଛି। ଜୟପୁର ଉପଖଣ୍ଡରେ ଅଧିକା ଦେଖିବାକୁ ମିଳିଛି। କୁହୁଡି ରେ ଲୋକେ ସକାଳୁ ମର୍ଣ୍ଣିଙ୍ଗ ୱାକ ଯିବା ପାଇଁ ସୁରକ୍ଷିତ ମଣୁନାହାନ୍ତି । କୌଣସି ଗାଡି ମୋଟର ଯିବା ଆସିବା କରୁଥିବା ବେଳେ କୁହୁଡି ଯୋଗୁଁ ଆଦୌ ରାସ୍ତା ଦେଖାଯାଉନାହିଁ। ଦୁରଦୁରାନ୍ତରୁ ଆସୁଥବା ଦ୍ରୁତଗାମୀ ବସଗୁଡିକ କୁହୁଡି ଯୋଗୁଁ ବିଳମ୍ବରେ ଆସୁଥିବା ଦେଖାଦେଉଛି। ଏପରି କୁହୁଡିରେ ଲୋକେ ଯାନବାହନ ନେଇ ସକାଳୁ ଯାତ୍ରା କରିବା ସୁରକ୍ଷିତ ମଣୁନାହାନ୍ତି। ପାଣିପାଗ ବିଭାଗ ଜିଲ୍ଲାକୁ ୱେଲୋ ଓ୍ବାର୍ଣ୍ଣଂ ଜାରି କରିଛି । ଅନ୍ୟପଟେ ଭୁବନେଶ୍ବର-ଜୟପୁରକୁ ଚାଲୁଥିବା ଇଣ୍ଡିଆ ୱାନ ଏୟାରର ଦ୍ବିତୀୟ ବିମାନ ଜୟପୁର ବିମାନବନ୍ଦରରେ ଓହ୍ଲାଇ ନ ପାରି ଫେରିଯାଇଥିଲା। ଘନ କୁହୁଡ଼ି ସାଙ୍ଗକୁ ମେଘୁଆ ଥିବାରୁ ନିର୍ଦ୍ଧାରିତ ସମୟରେ ବିମାନଟି ଆସିଥିଲେ ହେଁ ଚାରି ରାଉଣ୍ଡ ଘେରା ବୁଲି ପଳାଇଥିଲା। ତେବେ ଟିକେଟ ସଂରକ୍ଷିତ କରିଥିବା ଏବଂ ବିମାନରେ ଆସୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗୋଟିଏ ପଟେ ଖର୍ଚ୍ଚାନ୍ତ ଅପର ପଟେ ଘଣ୍ଟାକର ଯାତ୍ରାକୁ ୨ଦିନ ଧରି ଯାତ୍ରା କରିବାକୁ ପଡ଼ୁଛି। ମାନସିକ ଅବସାଦ ସହ ଭୟ ମଧ୍ୟରେ ଯାତ୍ରା କରିବାକୁ ପଡୁଛି ବୋଲି କହିଛନ୍ତି ବହୁ ଯାତ୍ରୀ। ସୂଚନା ଅନୁଯାୟୀ ଆଜି ଭୁବନେଶ୍ବରରୁ ସକାଳ ୭ଟା ୧୦ରେ ବାହାରିଥିଲା ବିମାନ।

ଜୟପୁର ବିମାନବନ୍ଦରରେ ବିମାନ ୮ଟା ୪୫ରେ ଓହ୍ଲାଇବାର ରହିଥିଲା। ଏଠାରୁ ପୁଣି ୯ଟାରେ ବାହାରି ଭୁବନେଶ୍ବରରେ ସକାଳ ସାଢ଼େ ୧୦ଟାରେ ପହଚିଂବାର ଥିଲା। ତେବେ ପାଗ ଘନ କୁହୁଡ଼ି ସାଙ୍ଗକୁ ମେଘୁଆ ରହିଥିଲା। ବିମାନଟି ଜୟପୁର ବିମାନବନ୍ଦରର ଆକାଶ ଉପରକୁ ଆସିବା ପରେ ଓହ୍ଲାଇବା ପାଇଁ ବିମାନବନ୍ଦରରୁ ଯେଉଁ ଅନୁମତି ମିଳିବା କଥା କୁଆଡେ ମିଳି ନଥିଲା। ବହୁ ସମୟ ଧରି ବିମାନଟି ସହର ଉପରେ ଚାରି ଘେରା ଚକ୍କର ମାରିଥିଲା। ଇନ୍ଧନକୁ ଦୃଷ୍ଟିରେ ରଖି ପାଇଲଟ୍ ଆଉ ଅଧିକା ସମୟ ନ ବୁଲାଇ ପୁଣି ବିମାନକୁ ବିଶାଖାପାଟଣା ନେଇଥିଲେ।

ତଳେ ଜୟପୁରରୁ ଭୁବନେଶ୍ବର ଯିବା ପାଇଁ ଯାତ୍ରୀମାନେ ଟିକେଟ୍ କାଟି ବିମାନକୁ ଅପେକ୍ଷା କରି ସେଭଳି ଜଳକା ହୋଇ ଫେରିଥିଲେ। ସେଭଳି ଜୟପୁରରେ ଓହ୍ଲାଇବାକୁ ଥିବା ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଆକାଶ ଉପରୁ ଦେଖି ସୁଦ୍ଧା ଓହ୍ଲାଇ ନ ପାରି ପୁଣି ବିଶାଖାପାଟଣା ଯାଇଥିଲେ। ଆଜି ଯାତ୍ରୀମାନେ ନାହିଁ ନଥିବା ହଇରାଣ ହୋଇଥିଲେ। ନିଜେ ଗାଡ଼ି ଭଡ଼ା କରି ଜୟପୁର ଫେରିଥିଲେ। ପ୍ରତିମାସରେ ଏଭଳି ବାରମ୍ବାର ହେଉଥିବାରୁ ଯାତ୍ରୀମାନଙ୍କର ଏହି ବିମାନରେ ଯିବା ପାଇଁ ଭରସା ଓ ଆସ୍ଥା ରହିବ କି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ଆଜି ନୂଆବର୍ଷ ପାଇଁ ବହୁ ଯାତ୍ରୀ ଏଠାରେ ଦିନକୁ ମନାଇବା ପାଇଁ ବିମାନରେ ଭୁବନେଶ୍ବରରୁ ଜୟପୁର ଓ ଜୟପୁରରୁ ଭୁବନେଶ୍ବର ଯାଇପାରିନଥିଲେ। ଯାତ୍ରୀଙ୍କ ଏଭଳି କ୍ଷତି ପାଇଁ କିଏ ଉତ୍ତରଦାୟୀ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର