ମୟୂରଭଞ୍ଜରେ ବର୍ଷା ବିତ୍ପାତ: ରାସ୍ତା ବୁଡ଼ିଲା, ପୋଲ ଧୋଇଲା

ବାରିପଦା: ଲଘୁଚାପଜନିତ ଲଗାଣ ବର୍ଷା ଏବଂ ଶିମିଳିପାଳର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମୟୂରଭଞ୍ଜରେ ଦେଖାଦେଇଛି ବର୍ଷା ବିତ୍ପାତ। ଏପରିକି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ଆଜି ସକାଳୁ ପୁରା ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଏହା ଫଳରେ ଜିଲ୍ଲାର ପ୍ରମୁଖ ନଦୀ ବୁଢ଼ାବଳଙ୍ଗରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିଲା। ମାତ୍ର ଅପରାହ୍ନ ୩ ପରେ ଏହା ସ୍ଥିର ହୋଇଥିବା ଜଣାପଡ଼ିଛି। କିନ୍ତୁ ଜିଲ୍ଲାରେ ମୁଣ୍ଡ ନେଇଛି ଲଗାଣ ବର୍ଷା। ସାରସକଣା ବ୍ଲକ ଧାଙ୍ଗୁଡିଷୋଳ ପଞ୍ଚାୟତ ଅସନାଷୋଳ ଗ୍ରାମର ରାମ ସିଂ(୪୭)ଙ୍କ ଲଗାଣ ବର୍ଷା ଯୋଗୁଁ ଘର କାନ୍ଥ ପଡି  ମୃତ୍ୟୁ ଘଟିଛି। ବାରିପଦା ପୌରପାଳିକା ସମେତ ଉଦଳା, ଖୁଣ୍ଟା, ବଡ଼ସାହି, ବେତନଟୀ, ବାଙ୍ଗିରିପୋଷି, କୁଳିଅଣା, ଜିବିନଗର, ଶ୍ୟାମାଖୁଣ୍ଟା ଆଦି ବ୍ଲକରେ ବିଭିନ୍ନ ସ୍ଥାନରେ ବର୍ଷା କାରଣରୁ ରାସ୍ତା ଓ ପୋଲ ଧୋଇଯାଇଛି। ସେହିପରି ବାରିପଦା ପୌରପାଳିକା, ଉଦଳା, ଖୁଣ୍ଟା, ବଡ଼ସାହି ଓ ବେତନଟୀ ଆଦି ବ୍ଲକରୁ ୫ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଳାପାଳ ବିନିଥ ଭରଦ୍ବାଜ ସୂଚନା ଦେଇଛନ୍ତି। ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ସହିତ ରିଲିଫ ବଣ୍ଟନ କରାଯାଇଛି।

ଜିଲ୍ଲାରେ କିନ୍ତୁ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବୁଢ଼ାବଳଙ୍ଗ ସହିତ ସୋନ,ପଳପଳା, ଗଙ୍ଗାହାର, ସୁବର୍ଣ୍ଣରେଖା ଆଦି ନଦୀ ଏବଂ ଏକାଧିକ ଉପନଦୀଗୁଡିକ ମଧ୍ୟ କୁଳ ଲଙ୍ଘିଛି। ଯାହାଫଳରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଖୁଣ୍ଟା ବ୍ଲକ ଅନ୍ତର୍ଗତ ନାଲହୁଆ ନଦୀ ପାଣି ମୁଖ୍ୟ ରାସ୍ତାରେ ପ୍ରବାହିତ ହେଉଛି। ଯାହା ଫଳରେ ବାରିପଦା-ଉଦଳା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଶ୍ୟାମାଖୁଣ୍ଟା ବ୍ଳକ ବାଲଡିହା ଡ୍ୟାମ ନିକଟରେ ମଧ୍ୟ ଉଛୁଳା ପାଣି ଆଶଂକାର କାରଣ ସାଜିଛି। ବାରିପଦା ପୌରପାଳିକାର ୱାର୍ଡ ନଂ ୭ ଓ ୯ର କିଛି ଅଞ୍ଚଳରେ ବୁଢ଼ାବଳଙ୍ଗ ପାଣି ପଶିଯାଇଛି। ଯାହାଫଳରେ ସ୍ଥାନୀୟ ଅଧିବାସୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମ୍ପୂର୍ଣ୍ଣ ଜିଲ୍ଲାରେ ଅଧିକାରୀମାନଙ୍କୁ ସଜାଗ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଲଘୁଚାପ ଜନିତ ବର୍ଷା କାରଣରୁ ଜିଲ୍ଲାର ସମସ୍ତ ଜଳଭଣ୍ଡାର ଗୁଡ଼ିକରେ ଉଛୁଳା ପରିସ୍ଥିତି ସୃଷ୍ଟି କରିଛି। ଆଜି ପୁରା ଦିନ ପ୍ରମୁଖ ନଦୀ ବୁଢ଼ାବଳଙ୍ଗ ଜଳସ୍ତର ଧୀରେ ଧୀରେ ଫୁଲିବାରେ ଲାଗିଥିଲା।

ସନ୍ଧ୍ୟା ୬ଟା ସୁଦ୍ଧା ଜାତୀୟ ରାଜପଥ-୫ ‌ଗୋବିନ୍ଦପୁର ନିକଟରେ ବୁଢ଼ାବଳଙ୍ଗ ସତର୍କ ସୂଚନା ୭.୨୧ ମିଟରରୁ ଊର୍ଧ୍ବ ୭.୬୬ ମିଟରରେ ପ୍ରବାହିତ ହେଉଥିଲା। ଅନ୍ୟାନ୍ୟ ନଦୀ ଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଲାଗିରହିଛି। ଯଦିଓ କେହି ବିପଦ ସଙ୍କେତରୁ ଊର୍ଧ୍ବରେ ପ୍ରବାହିତ ହେଉନାହାନ୍ତି, ତଥାପି ସବୁ ନଦୀର ଜଳସ୍ତର ଧୀରେ ଧୀରେ ବଢ଼ୁଥିବା ଜଣାପଡ଼ିଛି। ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୨୭.୪୯ ମିମି ବର୍ଷା ରେକର୍ଡ କରାଯାଇଛି। ସମସ୍ତ ୨୬ଟି ବ୍ଲକ୍‌କୁ ମିଶାଇ ଜିଲ୍ଲାରେ ମୋଟ ୭୧୪.୬୨ ମିମି ବର୍ଷା ରେକର୍ଡ କରାଯାଇଛି। ଜଳଭଣ୍ଡାର ଗୁଡ଼ିକରେ ବର୍ଷା ଜଳ ଅଧିକ ହେଉଥିବାରୁ ପାଣି ଛଡ଼ାଯାଉଛି। ଯାହା ଫଳରେ ତଳିଆ ଅଞ୍ଚଳର ଲୋକେ ପ୍ରଭାବିତ ହେଉଛନ୍ତି। ଜିଲ୍ଲାରେ ଏବେବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲାରେ ଗତ ୨୪ ଘଣ୍ଟା ଶ୍ୟାମାଖୁଣ୍ଟାରେ ୬୪ ମିମି, ବଡ଼ସାହିରେ ୨୨, ବେତନଟୀରେ ୩୧,ମୋରଡ଼ାରେ ୫୬, ରାସଗୋବିନ୍ଦପୁରରେ ୨୧.୦୨, କୁଳିଅଣାରେ ୫୪, ବାରିପଦାରେ ୨୮, ସାରସକଣାରେ ୭୨, ଶୁଳିଆପଦାରେ ୬୨.୨, ବାଙ୍ଗିରିପୋଷିରେ ୮୫.୬, ଖୁଣ୍ଟା ଓ ଜିବି ନଗରରେ ୨୫.୩, ଉଦଳାରେ ୬.୬, କପ୍ତିପଦାରେ ୪୨, ବିଶୋଇରେ ୧୬, ବିଜାତଳାରେ ୨, ରାଇରଙ୍ଗପୁରରେ ୧, କୁସୁମିରେ ୧୨, ବହଳଦାରେ ୬.୨ , ତିରିଂରେ ୧୩.୨, ଯାମଦାରେ ୫, ଯଶୀପୁରରେ ଓ କରଞ୍ଜିଆରେ ଆଦୋୖ ବର୍ଷା ହୋଇନଥିବା ରେକର୍ଡ କରାଯାଇଛି। ଠାକୁରମୁଣ୍ଡାରେ ୨୭, ଶୁକୃଳିରେ ୨୪.୨ ଏବଂ ରରୁଁଆରେ ୧୩ ମିମି ବର୍ଷା ରେକର୍ଡ କରାଯାଇଛି।

ସେହିପରି ବୁଢ଼ାବଳଙ୍ଗ ନଦୀ ଅସ୍ତିଆ ନିକଟରେ ବିପଦସଙ୍କେତ ୩୦.୯୨ ମିଟର ଠାରୁ ଆଜି ଅପରାହ୍ନ ୬ଟା ସୁଦ୍ଧା ୨୯ ମିଟରରେ ପ୍ରବାହିତ ହେଉଛି। ଯଦିଓ ଏହା ସତର୍କ ସୂଚନା ପାଖାପାଖି ରହିଛି ତଥାପି ଅପରାହ୍ନ ୩ ପରେ ଏହା ସ୍ଥିର ରହିଥିବାରୁ ଆଶ୍ୱସ୍ତି ଆଣିଛି। ଗୋବିନ୍ଦପୁର ନିକଟରେ ବୁଢ଼ାବଳଙ୍ଗ ବିପଦସଙ୍କେତ ୮.୧୨ ମିଟର ତୁଳନାରେ ୭.୬୬ ମିଟରରେ, ରାଜଘାଟ ନିକଟରେ ସୁବର୍ଣ୍ଣରେଖା ବିପଦସଙ୍କେତ ୧୦.୩୬ ମିଟର ତୁଳନାରେ ୯.୪୦, ଜୟପୁର ନିକଟରେ ସୋନ ୨୨.୩୦ ଏବଂ ବାଲିମୁଣ୍ଡୁଳି ନିକଟରେ ଗଙ୍ଗାହାର ବିପଦସଙ୍କେତ ୪୦ ମିଟର ତୁଳନାରେ ୩୯.୭୮ ମିଟରରେ ପ୍ରବାହିତ ହେଉଛି। ସେହିପରି କାଳ ଜଳଭଣ୍ଡାରରେ ଧାର୍ଯ୍ୟ ଜଳସ୍ତର ୭୭.୭୦ମିଟର ତୁଳନାରେ ୭୬.୬୨ ମିଟର ରହିଛି। ଏହି ଜଳଭଣ୍ଡାରରେ ଆଜିକା ଦିନରେ ଏହାର ଜଳଧାରଣ କ୍ଷମତା ୨୪୨୪ ହେକ୍ଟୋ ମିଟର ତୁଳନାରେ ୧୮୨୪ ହେକ୍ଟୋ ମିଟର ଜଳ ଗଚ୍ଛିତ ରହିଛି। ମାତ୍ର ଏହି ଜଳଭଣ୍ଡାରରୁ ୧୭୯.୩୨ କ୍ୟୁସେକ ଜଳ ଛଡ଼ାଯାଉଛି।

ସୁନେଇ ଜଳଭଣ୍ଡାରରେ ୪୬୧୫.୪୪ ହେକ୍ଟୋ ମିଟର, ଖଡ଼ାଖାଇରେ ୪୦୪୩.୫୮ , ନେଶ‌ାରେ ୩୦୭.୭୦, ଦେଓ ଜଳଭଣ୍ଡାରରେ ୨୬୧୫.୨୦ ଏବଂ ବାଙ୍କବଳ ଜଳଭଣ୍ଡାରରେ ୨୨୯୭.୨୬ ହେକ୍ଟୋମିଟର ଜଳ ଗଚ୍ଛିତ ଅଛି। ଧାର୍ଯ୍ୟ ଜଳଧାରଣ କ୍ଷମତାରୁ ସବୁ ଜଳ ଭଣ୍ଡାରରେ କମ ଥିଲେ ମଧ୍ୟ ବିଭିନ୍ନ ଜଳଭଣ୍ଡାରରେ ଉଛୁଳା ପରିସ୍ଥିତି କାରଣରୁ ପ୍ରବେଶ ତୁଳନାରେ ଅଧିକ ଜଳ ନିଷ୍କାସନ କରାଯାଉଥିବା ଜଣାପଡିଛି।  ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜିଲ୍ଲାରେ ବର୍ଷା ଲାଗିରହିଥିବାରୁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର